ନଳକୂପ ଅଚଳ; ସଚଳ ପାଇଁ ଦାବି


 ଦଶରଥପୁର, : କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଲୋକମାନଙ୍କୁ ମୁନେ୍ଦ ସ୍ୱଚ୍ଛ ପାଣି ଯୋଗାଇ ଦେବାପାଇଁ ଯୋଜନାମାନ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ହେଲେ ସରକାରଙ୍କର ଏହି ଯୋଜନା ବିରିପଟା ପଞ୍ଚାୟତରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିବା ଦେଖିବାକୁ ମିଳିଛି । ଏହି ପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ପାନୀୟ ଜଳ ସମସ୍ୟା ଏକ ଗୁରୁତର ସମସ୍ୟା ହୋଇଥିଲେ ବି ସେଥିପ୍ରତି ନା ପଞ୍ଚାୟତ ନା ବ୍ଲକ୍ ପ୍ରଶାସନ ନା ଜଳ ଓ ପରିମଳ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଉଛି । ହେଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ ନଳକୂପ ଗୁଡ଼ିକର ମରାମତି ନିମନ୍ତେ ଏକାଧିକ ପମ୍ପ ଡ୍ରାଇଭର ଓ ଏସ୍ଏମ୍ମାନଙ୍କୁ ନିଯୁକ୍ତି ଦିଆଯାଇ ମାସକୁ ମାସ ସେମାନଙ୍କୁ ମାଗଣାରେ ଦରମା ପ୍ରଦାନ କରାଯାଉଛି । ଏଥିଲାଗି ଗୋଟିଏ ଗୋଟିଏ ବ୍ଲକ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜନସାଧାରଣ ମୁନେ୍ଦ ସ୍ୱଚ୍ଛ ପାନୀୟ ଜଳ ପାଇପାରୁନାହାନ୍ତି । 
ଏହି ପଞ୍ଚାୟତ କାର୍ଯ୍ୟାଳୟ ସହ ନିକଟରେ ଥିବା କୃଷି ବିଭାଗର ଏକ କାର୍ଯ୍ୟାଳୟ,ଏକ ସ୍ୱାସ୍ଥ୍ୟକେନ୍ଦ୍ର, ଡିଗ୍ରୀ କଲେଜ, ମିନି ବ୍ୟାଙ୍କ ସହ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ଥିଲେ ମଧ୍ୟ ପଞ୍ଚାୟତ ପରିସରରେ ଥିବା ନଳକୂପ ଦୁଇଟିଯାକ ଅଚଳ ହୋଇ ପଡ଼ିରହିଛି । ଏହିସବୁ ଅଫିସ୍କୁ ଆସୁଥିବା ଲୋକେ ପିଇବା ପାଇଁ ପାଣି ଟିକିଏ ପାଉନଥିବା ବେଳେ ବଜାରରୁ ବୋତଲ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏସମ୍ପର୍କରେ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ନଳକୂପକୁ ମରାମତି କରିବା ନିମନ୍ତେ ସରପଞ୍ଚ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଜନଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।