ବନ୍ୟାରେ ଧାମନଗର ବେହାଲ
ଧାମନଗର: ଲଘୁଚାପ ଯୋଗୁଁ ଧାମନଗରରେ ଏବେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଗୋରୁ ଗାଈଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘରେ ରଖାଯାଇଛି । ବୈତରଣୀ ନଦୀର କଣ୍ଟି ଘାଇ ଏସକେପ ଯୋଗେ ପାଣି ଗାଁ ଭିତରକୁ ପଶିଛି । ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ଉତ୍ତଇପୁର ଠାରେ ଥିବା ମଲ୍ଲିମାହାରା, ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଏସକେପ୍ ଯୋଗେ ବୈତରଣୀର ବନ୍ୟା ଜଳ ଜନବସତି ଭିତରକୁ ପ୍ରବେଶ କରିଛି । ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ୍ ଯୋଗେ ପାଣି ପଶିବାରୁ ଖଡ଼ିପଦା, କରଦା ଓ ସୋହଡ଼ା ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି । ଏହାସହ ଶହ ଶହ ଏକର ଜମି ପାଣିରେ ବୁଡ଼ି ରହିଛି । ପନିପରିବା ଚାଷ ବି ପାଣିରେ ବୁଡ଼ିଥିବାରୁ ନଷ୍ଟ ହେବା ଆଶଙ୍କା ରହିଛି । ସେପଟେ ପଧାନି ପଞ୍ଚାୟତର ସଇଲୋରେ କୋଚିଳା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ଧସି ଥିବାରୁ ଜଳ ସଂପଦ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ବାଉଁଶ, ବାଲିବସ୍ତା, ଟିଣ ଚଦର ଓ କାଠ ବଲା ଦେଇ ବନ୍ଧକୁ ସୁରକ୍ଷା ଦେଇଛନ୍ତି । ରବିବାର ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଧାମନଗର ବିଡ଼ିଓ ବନବିହାରୀ ଦିନ୍ଦା ପ୍ରମୁଖ ଧାମନଗର ବନ୍ୟା ଅଞ୍ଚଳବୁଲି ସ୍ଥିତି ଅନୁଧ୍ୟାନ କକରିଛନ୍ତି ।