ନାଳରେ କୁମ୍ଭୀର: ଚାଷୀ ଭୟଭୀତ 

 ରାଜନଗର:  ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଜରିମୂଳସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖା ସମ୍ମୁଖରେ ଥିବା ଚଡଦିଆ ନାଳରେ ଏକ ବିରାଟକାୟ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ରବିବାର ରାତିରେ ଏହି କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ରାଜନଗର ରେଞ୍ଜ ଅଫିସର ଚିତରଞ୍ଜନ ବେଉରାଙ୍କ ନେତୃତ୍ୱରେ ଫରେଷ୍ଟର ବିଜୟକୁମାର ପାତ୍ର ବନକର୍ମଚାରୀଙ୍କୁ ନେଇ ନାଳ ନିକଟରେ ପହଁଞ୍ଚିଥିଲେ  । କୁମ୍ଭୀରକୁ ଧରିବା ପାଇଁ ବନକର୍ମଚାରୀମାନେ ଜାଲ ବିଛାଇଥିଲେ । ମାତ୍ର କୁମ୍ଭୀର ଧରା ପଡିନଥିଲା । ରାସ୍ତା କଡରେ ନାଳ ହୋଇଥିବାରୁ ବହୁ ଲୋକଙ୍କ ସମାଗମ କାରଣରୁ କୁମ୍ଭୀରଟି ଦଳ ମଧ୍ୟରେ ଲୁଚି ଯାଇଥିଲା । ଅନ୍ଧାର ହେତୁ କୁମ୍ଭୀରଟିକୁ ଧରାଯାଇ ପାରିନଥିଲା । ସୋମବାର ଦିନ ମଧ୍ୟ ବନକର୍ମଚାରୀମାନେ କୁମ୍ଭୀରକୁ ଜଗି ରହିଛନ୍ତି । ଏହି ନାଳରେ କୁମ୍ଭୀର ଭାସୁଥିବା ଦେଖି ଚାଷୀମାନେ ଚାଷକାର୍ଯ୍ୟ ପାଇଁ କ୍ଷେତକୁ ଯିବାକୁ ଭୟଭୀତ ହେଉଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ କୁମ୍ଭୀରକୁ ଧରିବାକୁ ଯାଇଥିବା ଫରେଷ୍ଟର ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ଯେ, ସେହି ନାଳରେ ଦୁଇଟି କୁମ୍ଭୀର ଅଛନ୍ତି । ବଡ ଅଣ୍ଡିରା କୁମ୍ଭୀରର ଲମ୍ବ ପ୍ରାୟ ୧୭ଫୁଟରୁ ଉଦ୍ଧ୍ୱର୍ ହୋଇଥିବା ବେଳେ ମାଈ କୁମ୍ଭୀରଟି ପ୍ରାୟ ୧୨ଫୁଟ ଲମ୍ବ ହେବ ବୋଲି ଆମେ ଆକଳନ କରୁଛୁ । କୁମ୍ଭୀର ଧରିବା ପରେ ଅନ୍ୟତ୍ର ନେଇ ଛଡାଯିବ ବୋଲି କହିଛନ୍ତି  ।