ନିଖୋଜ ଯୁବକଙ୍କ ଶବ ଉଦ୍ଧାର

 ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଡୀ ପଦର ଗାଁର ତପନ ରଣା (୨୧)  ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତପନ ଗତ ୪ ତାରିଖ ଦିନ ସମ୍ପର୍କୀୟଙ୍କ ବାଇକ୍ ଧରି କଟ୍ରିଙ୍ଗିଆ ଯାଉଛି କହି ଘରୁ ଯିବା ପରେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ୬ ତାରିଖ ଦିନ ଯୁବକଙ୍କ କିଛି ସାଙ୍ଗ ଖଜୁରୀପଡ଼ା ଥାନା ଅଞ୍ଚଳ ଗୁଦାରି ନିକଟରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ଦୁର୍ଘଟଣା ଘଟିଥିବା କହୁଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ପତ୍ତା ପାଇନଥିଲେ । ଏଣୁ ଗୋଚ୍ଛାପଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ତାଙ୍କ ମୃତଦେହ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ପଞ୍ଚାୟତ ଭାଲୁକୁଟୀ ଜଙ୍ଗଲରୁ ଉଦ୍ଧାର କରିଛି । ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନେ୍ଦହ କରିଛନ୍ତି ।