ନୂତନ ଜ୍ଞାନକୌଶଳରେ ସୁରକ୍ଷା ହେବ କେନ୍ଦୁଝର ଘାଟି
କେନ୍ଦୁଝର : ଘାଟି ବହୁଳ କେନ୍ଦୁଝର ଜିଲ୍ଲାର ଅନେକ ଅଂଚଳରେ ବର୍ଷା ହେଲେ ଅତଡା ଖସେ ଏବଂ ଯାତାୟତ ବ୍ୟାଘାତ ହୁଏ । ବିଶେଷ କରି ବର୍ଷା ଦିନରେ ଅତଡା ଖସିବା ଘଟଣା ଏକ ନିତି ଦିନିଆ ଘଟଣା ହୋଇଥିବାବେଳେ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପୂୂର୍ତ୍ତ ବିଭାଗ । ହାଇବ୍ରିଡ ରେନଫୋର୍ସଡ ସଏଲ ଷ୍ଟକଚର ଜ୍ଞାନ କୌଶଳରେ ନିର୍ମାଣ କରାଯିବ । ଏଣିକି ପୂର୍ତ୍ତ ବିଭାଗ ଅଧିନରେ ଥିବା ଘାଟି ଗୁଡିକର ଉୂତ୍ତରାଖଣ୍ଡ ଶୈଳୀରେ ନିର୍ମାଣ ହେବ । ଦାର୍ଜିଲିଂ ଓ ଉତ୍ତରାଖଣ୍ଡରେ ଘାଟି ନିର୍ମାଣ କରୁଥିବା ଏକ୍ସପୋର୍ଟ ମାନଙ୍କର ବୈଷୟିକ ସହାୟତାରେ କେନ୍ଦୁଝରର ଘାଟି ଗୁଡିକର ଦୀର୍ଘ ସୂୂର୍ତ୍ତୀ ଯୋଜନା ହାତକୁ ନିଆଯାଇଛି । କେନ୍ଦୁଝର ପୂର୍ତ୍ତ ବିଭାଗ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ଭାବେ ଇଣ୍ଡିଆନେ ରୋଡ କଂଗ୍ରେସର ହିଲ୍ ରୋଡ ମାନୁଆଲ ଅନୁଯାୟୀ ନୁଦୁରପଡା-କାଳିଆହତା ଘାଟିକୁ ୧୦ ମିଟର ଚଉଡା କରାଯାଇ ଘାଟିର ଉନ୍ନତ ଜ୍ଞାନକୌଶଳରେ ଉନ୍ନତିକରଣ କରାଯିବ ବୋଲି ପୂୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସମ୍ବିତ୍ ମହାନ୍ତି ସୂଚନା ଦେଇଛନ୍ତି । ଏଥିପାଇଁ କେନ୍ଦୁଝର ପୂୂର୍ତ୍ତ ବିଭାଗ ପକ୍ଷରୁ ୧୩କୋଟି ୭୧ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଡିପିଆର ଦାଖଲ କରାଯାଇଛି । ହରିଚନ୍ଦନପୁର ବ୍ଲକକୁ ତେଲକୋଇ ବ୍ଲକ ଯୋଡୁଥିବା ଏହି ଘାଟି ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ହୋଇଛି ।
ସ୍ଥାନୀୟ ଲୋକ ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି ଜଣାଇବା ପରେ ସେ ଏହି ଘାଟି ରାସ୍ତାର ଉନ୍ନତିକରଣ କରିବା ପାଇଁ ଘୋଷଣା କରିଥିଲେ । ଟ୍ରାଫିକ ବ୍ୟବସ୍ଥା ଏବଂ ୩୦ବର୍ଷକୁ ଆଖିଆଗରେ ରଖି ଏହି ଘାଟିର ପ୍ରଶସ୍ତି କରାଯିବ । କେବଳ ଏହି ଗୋଟିଏ ରାସ୍ତା ନୁହେଁ ପଣ୍ଡାଦର-ଗୋନାସିକା ରାସ୍ତାରେ ବର୍ଷା ଦିନରେ ଘାଟିରୁ ମାଟି ଅତଡା ଖସୁଛି । କେନ୍ଦୁଝର ଜିଲ୍ଲାର ଗୋନାସିକା ପ୍ରମୁଖ ଶୈବପୀଠ ଓ ବୈତରଣୀ ନଦୀର ଉତ୍ତପ୍ତିସ୍ଥଳ ହୋଇଥିବାରୁ ଏହି ରାସ୍ତାରେ ବହୁ ଶ୍ରଦ୍ଧାଳୁ ବ୍ରହ୍ମେଶ୍ୱର ମନ୍ଦିରରେ ଜଳାଭିଷେକ କରିଥାନ୍ତି । ଗୋନାସିକା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା । ଶ୍ରାବଣ ମାସରେ ବହୁ ସଂଖ୍ୟାରେ ବୋଲବୋମ ଭକ୍ତ ଗୋନାସିକାକୁ ଯାଇଥାନ୍ତି । ଗୋନାସିକାକୁ ଜିଲ୍ଲା ଓ ଜିଲ୍ଲା ବାହାରର ଲକ୍ଷାଧିକ ଦର୍ଶନାର୍ଥୀ ଓ ପର୍ଯ୍ୟଟକ ଯିବା ଆସିବା କରୁଥିବାବେଳେ, ଘାଟି ରାସ୍ତାରେ ବର୍ଷା ଦିନରେ ଘାଟିରୁ ମାଟି ଅତଡା ଖସୁଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ନିଜକୁ ଅସୁରକ୍ଷିତ ମନେକରନ୍ତି । ଗୋନାସିକା ଠାରୁ ପଣ୍ଡାଦର ପର୍ଯ୍ୟନ୍ତ ୯କିଲୋମିଟର ରାସ୍ତାରେ ଦୁଇଟି ବଡ ବଡ ଘାଟି ରହିଛି । ଅନେକ ବର୍ଷ ତଳେ ଏହି ଘାଟି ଦୁଇଟିକୁ କାଟି ରାସ୍ତା ଓସାରିଆ କରାଯାଇଥିଲା । କିନ୍ତୁ ଘାଟି ପାଶ୍ୱର୍ରେ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇନଥିଲା ।
ଏହି କାରଣରୁ ବର୍ଷା ଦିନରେ ମାଟି ଅତଡା ଏବଂ ପଥର ଖସୁଛି । ପାହାଡରୁ ଖସୁଥିବା ମାଟି ଓ ପଥର ଯୋଗୁଁ ଧନଜୀବନ ହାନି ଆଶଙ୍କା ରହିଛି । ଲୋକଙ୍କ ସୁରକ୍ଷା ପାଇଁ ଏହି ଘାଟିର ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ । ସେହିପରି ବାଂଶପାଳ ବ୍ଲକ ଅନ୍ତର୍ଗତ କୁସୁମିତା ବିନିଦା ଘାଟିରେ ବର୍ଷା ଦିନରେ ରାସ୍ତାରେ ମାଟି ଅତଡା ଖସି ଯାତାୟତ ବାଧାପ୍ରାପ୍ତ ହେଉଛି । ପ୍ରତିବର୍ଷ ବର୍ଷା ଦିନରେ ଉକ୍ତ ରାସ୍ତାରେ ଯାତାୟତ କରିବା ବିପଦପୂ୍ର୍ଣ୍ଣ ହୋଇପଡିଛି । ଏହି ରାସ୍ତା ଉପରେ ସଦର ଏବଂ ବାଂଶପାଳ ବ୍ଲକର ଲୋକ ନିର୍ଭରଶୀଳ ଅଟନ୍ତି । ସରକାରଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଏହି ଘାଟିର ମଧ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ ।