ସ୍ଲରୀ ପାଇପରେ ଖଣିଜ ପରିବହନକୁ ତୀବ୍ର ବିରୋଧ : ପାଇପ ଖୋଳା କାର୍ଯ୍ୟକୁ ବନ୍ଦ କଲା କମିଟି
କେନ୍ଦୁଝର : ପାଇପ ଲାଇନ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ, ଯୋଡ଼ା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ବଡ଼ବିଲ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ, ଭଦ୍ରାସାହି ଟ୍ରକ ମାଲିକ ସଂଘ ଦ୍ୱାରା ଗଠିତ କୋର କମିଟିରେ ଥିବା ସଦସ୍ୟ ଓ ଟ୍ରକ ମାଲିକମାନେ ଆଜି ପୂର୍ବାହ୍ନରେ ନିର୍ମାଣାଧୀନ ସ୍ଲରୀ ପାଇପ ଲାଇନ ବିଛା ଯାଉଥିବା ସ୍ଥାନ ଗୁଡିକରେ ଏବଂ ଏହି ପାଇପ ଲାଇନ ପାଇଁ ଆବଶ୍ୟକ ଜଳର ଆପୂର୍ତ୍ତି ପାଇଁ ନିର୍ମାଣ ହେଉଥିବା କାନପୁର ଜଳସେଚନ ପ୍ରକଳ୍ର ଜଳ ଭଣ୍ଡାର ନିକଟରେ ନିର୍ମାଣାଧୀନ ପମ୍ପ ହାଉସକୁ ଯାଇ କାର୍ଯ୍ୟ ବନ୍ଦ କରିଥିଲେ । କେନ୍ଦୁଝର ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘକୁ ଗଠିତ କୋର କମିଟି ପକ୍ଷରୁ ପାଇପ ଯୋଗେ ଲୁହାପଥର ପ୍ରବାହ ମାଧ୍ୟମରେ ପରିବହନକୁ ବିରୋଧ କରାଯାଇ ପାଇପ ଖୋଳା ଯାଉଥିବା ସ୍ଥାନ ଗୁଡିକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୧୧ ଟା ବେଳେ କୋର କମିଟିର କର୍ମକର୍ତ୍ତାଙ୍କ ସହିତ ଶତାଧିକ ଟ୍ରକ୍ ମାଲିକ ସ୍ଲରୀ ପାଇପ ଲାଇନ୍ ଖୋଳା ଯାଉଥିବା କଳାପାହାଡ଼ ଛକ ଠାରୁ କାନପୁର ବୃହତ୍ ଜଳ ସେଚନ ପ୍ରକଳ୍ପ ପର୍ଯ୍ୟନ୍ତ ସ୍ଥାନ ମାନଙ୍କରେ ହେଉଥିବା ପାଇପ ଲାଇନ୍ ଖୋଳା କାର୍ଯ୍ୟକୁ ତୀବ୍ର ବିରୋଧ କରି ପାଇପ ଖୋଳା କାର୍ଯ୍ୟକୁ ବନ୍ଦ କରିଛନ୍ତି । ଏହି ବିରୋଧରେ କୋର କମିଟିର କର୍ମକର୍ତ୍ତା ପଦ୍ମଲୋଚନ ସାହୁ, ପ୍ରଦୀପ କୁମାର ବାରିକ, ମାତା ପ୍ରସାଦ ଜୟସ୍ୱାଲ, ସୁଶାନ୍ତ ବାରିକ, ମନୋଜ କୁମାର ମହାନ୍ତ, ରାଜେନ୍ଦ୍ର ବାରିକ, ବିକାଶ ସରୋଗି, ଚନ୍ଦ୍ରଗୁପ୍ତ ପ୍ରସାଦ, କୁଶ ଆପଟ୍ଟ, ସୁନିଲ ଦତ୍ତ, ପୁରୁଷୋତ୍ତମ ବାରିକ, ଦେବାଶିଷ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ ଟ୍ରକ୍ ମାଲିକ ବିରୋଧରେ ଅଂଶ ଗ୍ରହଣ କରିଥିଲେ । କୋର କମିଟି ସଂଯୋଜକ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ,ବହୁ ପ୍ରତିକ୍ଷୀତ କାନପୁର ଜଳସେଚନ ପ୍ରକଳ୍ପ ୪ଦଶନ୍ଧି ଧରି ନିର୍ମାଣ ଚାଲିଛି । ଏହାର ରିଜର୍ଭର ପଏଣ୍ଟ ନିକଟରୁ ଇନ୍ଟେକ ୱେଲ ନିର୍ମାଣ କରି ଡ୍ୟାମର ଉପର ମୁଣ୍ଡରୁ ଏକାଧିକ ଶିଳ୍ପ ଓ ଖଣି କମ୍ପାନୀ ଶିଳ୍ପ ପାଇଁ ଜଳ ନେବେ । ବୈତରଣୀ ନଦୀର ଏହି ବୃହତ୍ ଜଳ ସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ନା ଶିଳ୍ପ ପାଇଁ ଏହାର ପ୍ରଶ୍ନ ଉଠାଇଥିଲେ । ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁରରେ ଶିଳ୍ପକୁ ଜଳ ଯୋଗାଇଲେ ଚାଷୀଙ୍କ ଅବସ୍ଥା ଶୋଚନୀୟ ହେବ ଏବଂ ଲକ୍ଷାଧିକ ଚାଷୀ ନିର୍ଭର କରୁଥିବା କାନପୁର ଡ୍ୟାମର ପାଣି ଚାଷୀଙ୍କ ନିକଟକୁ ପହଞ୍ଚିବା ପୂର୍ବରୁ ଜଳ ସେଚନ ପ୍ରକଳ୍ପର ରିଜର୍ଭରରୁ ଦୁଇଟି ଶିଳ୍ପ ସଂସ୍ଥା ସ୍ଲରୀ ପାଇପ ପାଇଁ ଜଳ ଶୋଷି ନେଉଛନ୍ତି । ଏହାଦ୍ୱାରା ଚାଷ ପ୍ରଭାବିତ ହେବା ସହିତ ଖଣି ଅଞ୍ଚଳର ମୁଖ୍ୟ ବେଉସା ସାଜିଥିବା ପରିବହନ ମଧ୍ୟ ପ୍ରଭାବିତ ହେବ ବୋଲି କୋର କମିଟିର ସୁଶାନ୍ତ ବାରିକ ପ୍ରକାଶ କରିଛନ୍ତି ।
କମିଟିର ଅନ୍ୟତମ ସଦସ୍ୟ ତଥା କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ୍ ସଭାପତି ପଦ୍ମଲୋଚନ ସାହୁ କହିଛନ୍ତି ଯେ, ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଟ୍ରକ୍ ଓ ପରିବହନ ବ୍ୟବସାୟରେ ରାଜ୍ୟର ଦୁଇ ଲକ୍ଷ ଲୋକ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ପାଇପ ଲାଇନ୍ ଜରିଆରେ ଖଣିଜ ପରିବହନ ହେଲେ ଅଞ୍ଚଳ ରେ ବେକାର ସମସ୍ୟା ସହିତ ଉକôଟ ଜଳାଭାବ ଦେଖା ଦେବ । ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ଏବଂ କେନ୍ଦୁଝର ସାଂସଦ ମଧ୍ୟ ଜାତୀୟ ସ୍ତରରେ ପ୍ରଶ୍ନ କରନ୍ତୁ ବୋଲି ପଦ୍ମଲୋଚନ ସାହୁ କହିଥିଲେ । ସୂଚନା ଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ଟ୍ରକ ଯୋଗେ ଲୁହ ପଥର ପରିବହନ ବ୍ୟବସାୟକୁ ନିଜର ମୁଖ୍ୟ ବ୍ୟବସାୟ ଭାବରେ ଗ୍ରହଣ କରି ନେଇଛନ୍ତି ଓ ଏହି ପରିବହନ ବ୍ୟବସାୟ କରି ଗାଡିର ବ୍ୟାଙ୍କ୍ ଋଣ ଶୁଝିବା ସହ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କେବଳ ଯେ ଗାଡି ମାଲିକ ମାନେ ଏହି ବ୍ୟବସାୟରୁ ଉପକୃତ ହେଉଛନ୍ତି ତାହା ନୁହେଁ ବରଂ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ବ୍ୟବସାୟ ଉପରେ ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷ ନିର୍ଭରଶୀଳ । ଏହି ଟ୍ରକ ପରିବହନ ବ୍ୟବସାୟ ଉପରେ ଜିଲ୍ଲାର ସମ୍ପୂର୍ଣ ଆର୍ଥିକ ସ୍ଥିତି ମଧ୍ୟ ନିର୍ଭର କରୁଅଛି । ପାଇପ ଲାଇନରେ ଲୁହାପଥର ପରିବହନ ହେଲେ ଜିଲ୍ଲାରେ ଉକôଟ ଜଳାଭାବ ଦେଖାଦେବ । ତେଣୁ ପାଇପ୍ ଲାଇନ୍ କାମକୁ ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ଏହି ବିରୋଧକୁ ଜୋରଦାର କରାଯିବ ବୋଲି ଦୁଷ୍ମନ୍ତ କୁମାର ସେଠୀ, ସୟେବ ଖାନ, ରବୀନ୍ଦ୍ର ବାରିକ, ମୋନ ବାରିକ, ଗୋବିନ୍ଦ ଖିଲାର, ମହମ୍ମଦ ସାକିଲ, ମହମ୍ମଦ ଖୁର୍ଶିଦ୍, ନରେନ୍ଦ୍ର ଗିରି, ମନୋରଞ୍ଜନ ଦାସ ପ୍ରମୁଖ ଟ୍ରକ ମାଲିକ କହିଛନ୍ତି । ସୂଚନାଯୋଗ୍ୟ ଯେ,ଗୋଟିଏ ପକ୍ଷରେ ଟ୍ରକ୍ ମାଲିକ ସ୍ଲରୀ ପାଇପ ଲାଇନକୁ ବିରୋଧ କରୁଥିବା ବେଳେ ଗତ ୫ ଦିନ ଧରି ବୈତରଣୀ ନଦୀରେ ଜଳ ସଙ୍କଟ ଦେଖା ଦେଇଥିବାରୁ ଚାଷୀ ଆନେ୍ଦାଳନ ମୁଣ୍ଡ ଟେକିଛି । ଚାଷୀ ମାନେ ଏହି ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।