ବର୍ଜ୍ୟବସ୍ତୁ ପକାଇ ନାଳ ଅବରୋଧ
କେନ୍ଦୁଝର: କେନ୍ଦୁଝର ସଦର ତହସିଲ ଧୃପଦା ନିକଟ ମୋଚିଗାଁରେ ରାସ୍ତା ନିର୍ମାଣ ପାଇଁ ବର୍ଜ୍ୟବସ୍ତୁ ପକାଇ ନାଳ ଅବରୋଧ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜାତୀୟ ରାଜପଥ ୪୯ କଡ ମୋଚିଗାଁରେ ସରକାରୀ ଜମି ଜବରଦଖଲ କରି ଏହି ରାସ୍ତା ନିର୍ମାଣ ଚାଲିଛି । ରାସ୍ତା ନିର୍ମାଣରେ କାରଖାନାର ବର୍ଜ୍ୟବସ୍ତୁ କଳାଗୁଣ୍ଡ ବ୍ୟବହାର କରାଯାଉଥିବାରୁ ଉକ୍ତ ଅଞ୍ଚଳରେ ଜଳ, ମୃତ୍ତିକା ଓ ବାୟୁ ପ୍ରଦୂଷଣ ହେଉଛି । ଏ ନେଇ ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ସଦର ରାଜସ୍ୱ ନୀରିକ୍ଷକ ଏବଂ ଅନ୍ୟ କର୍ମଚାରୀ ତଦନ୍ତ କରି ରାସ୍ତା ବନ୍ଦ କରିଥିଲେ । ଏବେ ପୁଣି ଜମି ମାଫିଆମାନେ ନାଳ ଉପରେ କଳାଗୁଣ୍ଡ ପକାଇ ରାସ୍ତା ନିର୍ମାଣ କରୁଛନ୍ତି । ରାଜପଥ ପାଶ୍ୱର୍ ନୟନଯୋରିକୁ ପୋତିି ରାସ୍ତା ନିର୍ମାଣ ହେଉଥିବାରୁ ଜଳ ପ୍ରବାହ ବନ୍ଦ ହେବା ସହ ମୃତ୍ତିକା ପ୍ରଦୂଷିତ ହୋଇଛି । ସେହିପରି ରାଜପଥ ପାଶ୍ୱର୍ରେ କୋଟି କୋଟି ଟଙ୍କା ବ୍ୟୟରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା କରାଯାଇଥିବା ବନୀକରଣ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଜମି ମାଫିଆମାନେ ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ କରାଯାଇଥିବା ବନୀକରଣ ନିକଟରେ କଳାଗୁଣ୍ଡ ପକାଇ ରାସ୍ତା କରୁଛନ୍ତି । ନାଳ ପୋତି ହୋଇଯାଇଥିବାରୁ ବର୍ଷା ଦିନରେ ସହରର ପାଣି ନିଷ୍କାସନରେ ସମସ୍ୟା ଉପୁଯିବ । ଏ ନେଇ ସଦର ତହସିଲଦାର ଶୁଭେନ୍ଦୁ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସମ୍ବିତ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ରାସ୍ତା ପାଶ୍ୱର୍ ନାଳକୁ ଅବରୋଧ କରି ବେଆଇନ ଭାବେ ରାସ୍ତା ହେଉଥିବା ନେଇ ଅଭିଯୋଗ ହୋଇଛି । ତୁରନ୍ତ ସ୍ଥାନକୁ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କୁ ଚିଠି କରାଯାଇଛି । ସେହିପରି ଧୃପଦା ଓଭରବ୍ରିଜ ତଳେ ଏନଏଚ୍ଏଆଇ ଜମି ଅବରୋଧ ହୋଇଥିଲେ ପଦକ୍ଷେପ ନିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଓଏଫ୍ଡିସି ଡିଭିଜନାଲ ମ୍ୟାନେଜର ଜେ.ପି ସିଂହଙ୍କ ସହ ଯୋଗାଯୋଗ କରିବାରୁ ବିଭାଗ ପକ୍ଷରୁ କରାଯାଇଥିବା ବନୀକରଣ ନଷ୍ଟ ହୋଇ ରାସ୍ତା ନିର୍ମାଣ ହେଉଥିଲେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଳିକ ଅଧିକାରୀ ଇଂ. ପ୍ରଶାନ୍ତ କରଙ୍କ ସହ ଯୋଗଯୋଗ କରିବାରୁ କେଉଁ ସ୍ଥାନରୁ କଳାଗୁଣ୍ଡ ଆସି ପଡିଛି ତାହାର ଯାଂଚ କରାଯିବ । ଜମି ମାଫିଆମାନେ କେବଳ ଏହି ଗୋଟିଏ ସ୍ଥାନ ନୁହେଁ ସହର ଏବଂ ଆଖପାଖ ଅଞ୍ଚଳରେ କାରଖାନା ବର୍ଜ୍ୟବସ୍ତୁ ପକାଇ ବିଭିନ୍ନ ସ୍ଥାନରେ ରାସ୍ତା କରୁଛନ୍ତି । ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ହେଲେ କିଏ ଏବଂ କେଉଁ କାରଖାନାରୁ ବର୍ଜ୍ୟବସ୍ତୁ ଆଣି ପକାଉଛନ୍ତି ତାହା ଜଣାପଡିବ । ପାର୍ଟ ପ୍ଲଟ ବିକ୍ରୀ ସଂପୂର୍ଣ୍ଣ ନିଷେଧ ଥିଲେ ମଧ୍ୟ କେତେକ ଜମି ମାଫିଆ ବେଆଇନ ଭାବେ ଲୋକଙ୍କୁ ଠକି ଚାଷ ଜମିକୁ ପାର୍ଟ ପ୍ଲଟ କରି ବିକ୍ରୀ କରୁଛନ୍ତି । ଲୋକମାନେ ଜମି କିଣି ସାରି ଘର ବାଡି କରିବା ପାଇଁ ଆବେଦନ କଲେ ଘରବାଡି ହୋଇ ପାରୁନାହିଁ । ସେ ସମୟରେ ଜମି ବିକ୍ରି କରିଥିବା ଦଲାଲମାନେ ଧରାଛୁଆଁ ଦେଉନାହାଁନ୍ତି । ଏଭଳି ଜମିକୁ କବଲା ନ କରିବା ପାଇଁ ସବ୍ରେଜିଷ୍ଟ୍ରର ଗୁରୁତ୍ୱ ଦେଲେ ବହୁ ଜନସାଧାରଣ ଉପକୃତ ହୋଇପାରିବେ ।