ନୂତନ ଶ୍ରମ ଆଇନ ସ୍ୱାଗତ ଯୋଗ୍ୟ 

ନୂତନ ଶ୍ରମ ଆଇନ ସ୍ୱାଗତ ଯୋଗ୍ୟ 

ସୌଭାଗ୍ୟ ରଞ୍ଜନ ମହାନ୍ତି : ଦେଶରେ ୨୯ଟି ଆଇନ ବଦଳରେ ଚାରୋଟି ଶ୍ରମ କୋର୍ଡର ଶ୍ରମ କୋଡର କାର୍ଯ୍ୟକାରଶତା ପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଜାରି କେବଳ ଏକ ବୃହତ ଶ୍ରମ ସଂସ୍କାର ନୁହେଁ, ଭାରତୀୟ ଅର୍ଥନୀତିର ଇତିହାସରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶ୍ରମ ବଜାର ସଂସ୍କାର ବୋଲି କୁହାଯାଇପାରିବ । ଶ୍ରମିକଙ୍କ ପାରିଶ୍ରମିକ, ଶ୍ରମ ସମ୍ପର୍କ, ସାମାଜିକ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳୀ ଉପରେ ଆଧାରିତ ଏହି ଚାରୋଟି ଶ୍ରମ କୋଡକୁ ଦେଶର ବ୍ୟବସାୟୀ ଓ ପୁଂଜିନିବେଶକାରୀ ସମୁଦାୟ ଭୂୟସୀ ପ୍ରଶଂସା କରିବା ସହ ଏହା ଏକ ଦୀର୍ଘ ଦିନର ଆବଶ୍ୟକତା ବୋଲି ଦର୍ଶାଇଛନ୍ତି, ଉଲ୍ଳେଖଯୋଗ୍ୟ ଯେ, ଗତ ୨୦୧୯ ଏବଂ ୨୦୨୦ ମଧ୍ୟରେ ପାର୍ଲିଆମେଂଟରେ ମଂଜୁରୀ ପ୍ରାପ୍ତ ଏହି ସମସ୍ତ କୋଡର କାର୍ଯ୍ୟକାରିତା ବିଭିନ୍ନ କାରଣରୁ ବିଳମ୍ବିତ ହୋଇଥିଲା । ଶ୍ରମିକ ମାଲିକ ତଥା କର୍ମଚାରୀ-ନିଯୁକ୍ତିଦାତାଙ୍କ ସମ୍ପର୍କ ସଂକ୍ରାନ୍ତୀୟ ୨୯ଟି ଆଇନ ବଦଳରେ ପ୍ରଣୀତ ଏହି କୋଡଗୁଡିକ ଅତ୍ୟନ୍ତ ଗୁରୁତ୍ୱ ବହନ କରେ ଏଇଥିପାଇଁ ଯେ, ଗୋଟିଏ କମ୍ପାନୀ ପାଇଁ ପ୍ରତିବର୍ଷ ଅଙ୍ଗୀକାର ପତ୍ର ଆବଶ୍ୟକତାକୁ ଏହା ହ୍ରାସ କରିଛି । ଏହି ନୂତନ ଶ୍ରମ କୋଡ୍‌ ଆଇନକୁ ବହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ କାର୍ଯ୍ୟକାରୀ କରିବା ପୂର୍ବକ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଅନ୍ୟ ରାଜ୍ୟଗୁଡିକ ଯଥାଶୀଘ୍ର ଅନୁରୂପ ପଦକ୍ଷେପ ନେବା ଦିଗରେ କେନ୍ଦ୍ର ସରକାର ଆଶାବାଦୀ ଅଛନ୍ତି ।  

    ଉଲ୍ଳେଖଯୋଗ୍ୟ ଯେ, ଏହି ଚାରୋଟି କୋଡରେ କର୍ମଚାରୀ ନିଯୁକ୍ତିଦାତା ସମ୍ପର୍କ, ସାମାଜିକ ନିରାପତ୍ତା, ପାଣିଶ୍ରମିକ ଏବଂ ବୃତ୍ତିଗତ  ନିରାପତ୍ତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି । ଏହି ଚାରୋଟି ଆଇନର ଏଭଳି ଏକତ୍ରୀକରଣ ଓ ସରଳୀକରଣ କରାଯାଇଛି, ଯାହା ଆଜିର ପ୍ରତିଯୋଗିତାମୂଳକ ଜଗତରେ ଏକାନ୍ତ ଆବଶ୍ୟକ ଥିଲା । ସେହିପରି ଶ୍ରମିକମାନଙ୍କ ପାଇଁ ଏହି ନିୟମମାନ ଏକ ନ୍ୟାୟସମ୍ମତ ନିଯୁକ୍ତି ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ଏକ ଦୃଢ ପଦକ୍ଷେପ, ଏଥିରେ ସନ୍ଦେହ ନାହିଁ। ପାରିଶ୍ରମିକ ସମ୍ପର୍କିିତ କୋଡ ସାର୍ବଜନୀନ ସର୍ବନିମ୍ନ ପାରିଶ୍ରମିକ ପ୍ରଦାନ ସୁନିଶ୍ଚିତ କରିଥିବା ବେଳେ  ଠିକ୍‌ ସମୟରେ ପାରିଶ୍ରମିକ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛି । ଆହୁରି ମଧ୍ୟ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶ ସମ୍ପର୍କିିତ କୋଡ କାର୍ଯ୍ୟସ୍ଥଳୀର ନିରାପତ୍ତା ନିଶ୍ଚିତ କରିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଶାସକ କଲ୍ୟାଣ ସୁବିଧା ସୁଯୋଗ ଉପଲବ୍ଧି ଲାଗି ଦୃଢ ବ୍ୟବସ୍ଥା ରହିଛି । ଭବିଷ୍ୟତ ପାଣ୍ଠି, ଗ୍ରାଚୁଇଟି, ମାତୃତ୍ୱ ଛୁଟି, ବୀମା ଭଳି ସାମାଜିକ ନିରାପତ୍ତା ପ୍ରଦାନ ଲାଗୁ ପାଇଁ ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି। ପୂର୍ବରୁ ଏହି ସମସ୍ତ ସୁବିଧାରୁ ବଂଚିତ ହୋଇଥିବା  କୋଟି କୋଟି ଶ୍ରମିକ ଏହି ନୂତନ ଆଇନ ଦ୍ୱାରା ଉପକୃତ ହେବେ। ଏହା ନିଃସନ୍ଦେହ ଯେ, ଏହି ନୂତନ କୋଡ ଦ୍ୱାରା ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷିତ ରହିପାରିବ ।

    ଦେଶର ଯୁବଗୋଷ୍ଠୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପ୍ରତିବର୍ଷ ପ୍ରାୟ ୧୨ନିୟୁତ ଯୁବକ ଯୁବତୀ କାର୍ଯ୍ୟକରିବାର ବୟସରେ ପାଦ ଥୋଇବା ନେଇ ଆକଳନ କରାଯାଏ । ଏହି ଧାରା ବହୁ ବର୍ଷ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ବାର୍ଷିକ ହାରାହରି ପ୍ରାୟ ୭୮.୫ ଲକ୍ଷ ଚାକିରି ବା ନିଯୁକ୍ତି ସୃଷ୍ଟିର ଆବଶ୍ୟକତା ରହିଛି । ଅଣ-କୃଷି କ୍ଷେତ୍ରରେ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଶ୍ରମଶକ୍ତିର ନିଯୁକ୍ତି ବୃଦ୍ଧିର ସମ୍ଭାବନା ରହିଛି । ଏହି ଶ୍ରମ ଆଇନଗୁଡିକ ଯୁଗାନ୍ତକାରୀ ହୋଇଥିବା ସତ୍ତେ୍ୱ ବହୁ ଶ୍ରମିକ ୟୁନିୟନ ଏହା ସମସ୍ତ ସମସ୍ୟାର ସମାଧାନ କରିନପାରିବା ଆଶଙ୍କା ପ୍ରକାଶ କରିଛନ୍ତି । ବହୁ ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି ଯେ, ଦ୍ୱିତୀୟ ଜାତୀୟ ଶ୍ରମ କମିଶନଙ୍କର ବହୁ ଶ୍ରମିକ ସପକ୍ଷ ସୁପାରିଶକୁ ସରକାର ଉପେକ୍ଷା କରିଛନ୍ତି । ଏଥିପ୍ରତି ସରକାର ଧ୍ୟାନ ଦେବେ ବୋଲି ଆଶା କରିବା । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଯୁଦ୍ଧ, ବାଣିଜ୍ୟ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଏବେ ଶ୍ରମକ୍ଷେତ୍ରରେ ଅନିଶ୍ଚିତା ସୃଷ୍ଟି କରିଛି । ଏହାର ତ୍ୱରିତ ପ୍ରତିକାର ଏବଂ ଶ୍ରମକୋର୍ଡ ଗୁଡିକର ସୁସ୍ଥ ପରିଚାଳନା ନିଶ୍ଚିତ କରିବା ପାଇଁ ୪୭ତମ ଭାରତୀୟ ଶ୍ରମିକ ସମ୍ମିଳନୀ(ଆଇଏଲସି) ଅଧିବେଶନ ଡକାଯିବା ଜରୁରୀ । ଯେଉଁଥିରେ ସବୁକିଛି ଉପରେ ବ୍ୟାପକ ବିଚାର ବିମର୍ଷ ହୋଇପାରିବ । ସେହିପରି ରାଜ୍ୟଗୁଡିକ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ସହ ବିଚାରବିମର୍ଷ କରିବା ଉଚିତ, ଯାହାଦ୍ୱାରା ଆଇନର ଯଥାର୍ଥ କାର୍ଯ୍ୟକାରୀ ସମ୍ଭବ ହେବ ।

ମୋ:୭୯୭୮୬୬୬୪୦୩