ସଙ୍କଟାପନ୍ନ ଅବସ୍ଥାରେ ମାଖନାର ସ୍ୱାସ୍ଥ୍ୟବସ୍ଥା

ସଙ୍କଟାପନ୍ନ ଅବସ୍ଥାରେ ମାଖନାର ସ୍ୱାସ୍ଥ୍ୟବସ୍ଥା

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଅସୁସ୍ଥ ଥିବା ମାଖନା ହାତୀର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି । ଏବେ ସଙ୍କଟାପର୍ଣ୍ଣ ଅବସ୍ଥାରେ ଏକ ବିଲ ମଝିରେ ନିସ୍ତେଜ ହୋଇ ପଡିରହିଛି । ବନ ବିଭାଗ ଗୁରୁତର ମାଖନା ପାଖରେ ଜଗି ରହିଥିଲେ ସୁଧା ଚିକିତ୍ସା ଅବହେଳାରୁ ଏଭଳି ସ୍ଥିତି ଉପୁଜି ଥିବା ଅଭିଯୋଗ ହୋଇଛି  । ତେବେ ୩ ମାସ ହେବ ଦନ୍ତା ହାତୀଙ୍କ ଆକ୍ରମଣରେ ଏହି ମାଖନା ହାତୀ ଅସୁସ୍ଥ ହୋଇଥିଲା । ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ଶରୀର ର ବିଭିନ୍ନ ସ୍ଥାନରେ ଦାନ୍ତ ପଶି ଗୁରୁତର ଆଘାତ ହୋଇଥିଲା  ।

     ବନ ବିଭାଗ ପକ୍ଷରୁ ଏକ ଡ଼ାକ୍ତରୀ ଦଳ ଚିକିତ୍ସା କରିଥିଲା । କ୍ଷତ ହୋଇଥିବା ସ୍ଥାନ ସଂକ୍ରମିତ ହୋଇ ପୋଜ ଜମି ରହିଥିଲା । ଜମି ଥିବା ପୋଜକୁ ବାହାର କରାଯାଇ ସଂକ୍ରମିତ କ୍ଷତ ସ୍ଥାନକୁ ଡ୍ରେସିଂ କରାଯାଇ ଚିକିତ୍ସା କରାଯାଇଥିଲା । ମଝିରେ ମଝିରେ ଡାର୍ଟ ମାଧ୍ୟମରେ ଆବଶ୍ୟକ ଆଣ୍ଟିବାୟୋଟିକ ଦିଆଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ସେତେବେଳେ ଅସୁସ୍ଥ ହାତୀର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା କୁହାଯାଉଥିଲା । ମାତ୍ର ଦୁଇ ଦିନ ହେବ ହାତୀର ଗତିବିଧି ଧିମା ରହିଛି । କନ୍ତଳେଇ ଗ୍ରାମ ଦାଢିଆ ସାହି ନିକଟ ବାଙ୍କ ମୁଣ୍ଡା ଜମି ମାଳରେ ଥିବା ଏକ କାଦୁଅ ଜମିରେ ହାତୀଟି ପଶି ଯାଇଥିବା ବେଳେ, ସେଠାରୁ ବାହାରି ପାରୁ ନଥିବା ଜଣାପଡ଼ିଛି । ଫଳରେ ସେହି ଠାରେ ନିସ୍ତେଜ ଅବସ୍ଥାରେ ପଡ଼ି ରହିଛି  । ହାତୀ ଅତି ଦୁର୍ବଳ ହୋଇ ଯାଇଥିବାରୁ ଆଉ ଉଠି ପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି  ।