ପଞ୍ଚକ ପାଇଁ ବ୍ୟାପକ ପ୍ରସ୍ତୁତି : ସିଂହଦ୍ୱାର ଦେଇ ପ୍ରବେଶ ଅନ୍ୟ ତିନିଦ୍ୱାରରେ ପ୍ରସ୍ଥାନ
ପୁରୀ : ଆସନ୍ତା ନଭେମ୍ବର ମାସ ୨ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ପାଳିତ ହେବ ପଞ୍ଚକ । ପବିତ୍ର ପଞ୍ଚକ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପଞ୍ଚକ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପାଳନ କରାଯିବ । କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ଦିନ ଧରି ପଞ୍ଚକ ପାଳନ କରାଯାଇଥାଏ । ଏକ ମାସ କାର୍ତ୍ତିକ ବ୍ରତ ପାଳନ କରିପାରୁନଥିବା ବ୍ରତଚାରୀମାନେ ୫ଦିନ ପଞ୍ଚକ ପାଳନ କରିଥାନ୍ତି । କାର୍ତ୍ତିକ ମାସରେ ଏହି ଶେଷ ୫ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏକମାସ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ହେଉଥିବା ବେଳେ ପଞ୍ଚକ ୫ଦିନ ମହାପ୍ରଭୁଙ୍କ ୫ଟି ସ୍ୱତନ୍ତ୍ର ବେଶ ହୋଇଥାଏ । ଚଳିତ ବର୍ଷ ନଭେମ୍ବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ପାଳନ କରାଯିବ । ନଭେମ୍ବର ୨ତାରିଖ ବା ବଡ଼ ଏକାଦଶୀରେ ମହାପ୍ରଭୁଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯିବ । ୩ତାରିଖରେ ଡ଼ାଳିକିଆ ବା ତ୍ରୀବିକ୍ରମ ବେଶ, ୪ତାରିଖରେ ଲକ୍ଷ୍ମୀନୃସିଂହ ବେଶ ଓ ୫ତାରିଖରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ ।
ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ । ଏହି ପଞ୍ଚକ ୫ଦିନ ଧରି ପ୍ରବଳ ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ, ଜିଲ୍ଳା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଦର୍ଶନାର୍ଥୀମାନେ ପଞ୍ଚକ ଅବସରରେ ମାର୍କେଟ ଛକରୁ ବ୍ୟାରିକେଡ଼ ଦେଇ ସିଂହଦ୍ୱାରକୁ ଆସିବେ ଓ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରି ଦର୍ଶନ ପରେ ଅନ୍ୟ ୩ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରକାଶ କରିଛନ୍ତି । ଏସ୍.ପିଙ୍କ ସୂଚନା ଅନୁଯାୟୀ ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ଓ ସହରର ବିଭିନ୍ନ ସ୍ଥାନରେ ବାହାରୁ ଆସୁଥିବା ଯାନବାହନ ଗୁଡ଼ିକର ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ଭାବେ ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣମୀ ଉତ୍ସବ ସମାପନ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି । ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ ।
କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଲୋକମାନଙ୍କ ଗହଳି ହୋଇଥାଏ । ତେବେ ପଞ୍ଚକ ସମୟରେ ହବିଷ୍ୟାଳୀ ମା’ମାନଙ୍କ ସହ ଅନ୍ୟାନ୍ୟ ଭକ୍ତ, ଶ୍ରଦ୍ଧାଳୁଙ୍କ ପାଇଁ ଅତ୍ୟଧିକ ଭିଡ଼ ହେବାର ଆଶା କରାଯାଉଛି । ତେଣୁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳଯୋଗାଣ, ଗମନାଗମନ, ଟ୍ରାଫିକ୍ ନିୟନ୍ତ୍ରଣ, ସ୍ୱଚ୍ଛତା ଇତ୍ୟାଦି ଆବଶ୍ୟକୀୟ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଲାଇନ୍ ଡ଼ିପାର୍ଟମେଣ୍ଟ ଅଧିକାରୀମାନେ ଯୋଗଦାନ କରିଥିଲେ ।