ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା ନେଇ ବିଡିଓଙ୍କୁ ଦାବିପତ୍ର 

ନିଆଳି: ନିଆଳି ବ୍ଲକ୍ର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ନେଇ ନିଆଳି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ନ ହେଲେ ସେମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଦାବୀ ମୁତାବକ ନିଆଳି ପଞ୍ଚାୟତ ସମିତିର ନିର୍ବାଚିତ ପ୍ରତିନିଧିମାନଙ୍କୁ ବ୍ଲକ୍ ପ୍ରଶାସନ ଅଣଦେଖା କରିବା ସହିତ ସମିତିର ଅଧ୍ୟକ୍ଷଙ୍କୁ ଅନ୍ଧକାରରେ ରଖି ବିଶୃଙ୍ଖଳା ସୃଷ୍ଟି କଲା ଭଳି ପ୍ରକଳ୍ପ ଗୁଡିକର କାର୍ଯ୍ୟାରମ୍ଭ କରୁଛନ୍ତି । ଏହାସହିତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦୀର୍ଘ ଦିନ ଧରି ସମ୍ପାଦନ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ମାପ, ପରିମାପ ଓ ବିଲ୍ ପ୍ରଦାନରେ ଅହେତୁକ ବିଳମ୍ବ କରିବା, କାର୍ଯ୍ୟାଦେଶ ହୋଇ ରଖାଯାଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟାରମ୍ଭରେ ଟାଳଟୁଳ ନୀତି ଅବଲମ୍ବନ କରିବା ଆଦି ଦାବି ନେଇ ପଞ୍ଚାୟତର ପ୍ରତିନିଧିମାନେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରର ଏକକିତା ନକଲ ପଞ୍ଚାୟତତରାଜ, ପାନୀୟଜଳ ବିଭାଗ, ଜିଲ୍ଲାପାଳ, ଆରକ୍ଷୀ ନିରିକ୍ଷକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ନିଆଳି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ସ୍ୱର୍ଣ୍ଣପ୍ରଭା ରାଉତ, ସରପଞ୍ଚ ବିଜୟରାମ ପଣ୍ଡା, ସମିତି ସଭ୍ୟ ଅବିନାଶ ପ୍ରଧାନ, ସରପଞ୍ଚ ନମିତା ବାରିକ, ସରପଞ୍ଚ ଅଶ୍ୱିନୀ କୁମାର ମହାନ୍ତି, ସରପଞ୍ଚ ବବିତାରାଣୀ ବେହେରା, ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ, ସମିତି ସଭ୍ୟ କଲ୍ୟାଣୀ ବଡୁ, ସରପଞ୍ଚ ତି୍ରନାଥ ମହାନ୍ତି, ସରପଞ୍ଚ ସୁରେଶ ପଟ୍ଟନାୟକ, ସମିତି ସଭ୍ୟ ସମ୍ପଦ ମହାନ୍ତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।