ପରାଗ ଜୈନ ‘ର’ ମୁଖ୍ୟ

ନୂଆଦିଲ୍ଲୀ  : ଭାରତର ବାହ୍ୟ ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍(ର) ନୂତନ ମୁଖ୍ୟ ଭାବେ ଆଇପିଏସ୍ ଅଫିସର ପରାଗ ଜୈନ୍ଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପରାଗ ଜୈନ ଏବେ ‘ର’ର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି । ୧୯୮୯ ବ୍ୟାଚ୍ର ପଞ୍ଜାବ କ୍ୟାଡର୍ ଜୈନ ଆସନ୍ତା ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ‘ର’ ମୁଖ୍ୟ ଥିବା ରବି ସିହ୍ନାଙ୍କ କାର୍ଯ୍ୟକାଳ ଚଳିତ ଜୁନ୍ ୩୦ ତାରିଖରେ ଶେଷ ହେଉଥିବାରୁ ଏହିଦିନ ସେ ବିଦାୟ ନେବେ ଏବଂ ଜୈନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ସେହିପରି ୧ ତାରିଖ ଠାରୁ ଜୈନ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ଜାତୀୟ ଗୁଇନ୍ଦା ସଂସ୍ଥାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ସେଣ୍ଟ୍ରାଲ ଡିଜିପି ପାଇଁ ମଧ୍ୟ ଚୟନ ହୋଇଥିଲେ । କାନାଡା ଏବଂ ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ  ସମ୍ମିଳନୀରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ପ୍ରଶଂସା ସାଉଁଟିଥିଲେ । ଦୀର୍ଘ ସମୟ ଧରି କ୍ୟାବିନେଟ ସଚିବାଳୟରେ କାର୍ଯ୍ୟ କରିଥିବା ଜୈନ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ଦେଇଥିଲେ । ଅପରେସନ ସିନ୍ଦୁର ସମୟରେ, ‘ର’ ଭାରତୀୟ ବାୟୁସେନାକୁ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ବିଷୟରେ ସଠିକ୍ ସୂଚନା ଦେଇଥିଲା । ଏହି ଆଡ୍ଡାଗୁଡ଼ିକରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବା ମୁଖ୍ୟାଳୟ ଅନ୍ତର୍ଭୁକ୍ତ । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜୈଶ, ଲସ୍କର ଏବଂ ମୁଜାହିଦ୍ଦିନର ଆତଙ୍କୀ ଲଞ୍ଚ ପ୍ୟାଡ୍ର ସବିଶେଷ ତଥ୍ୟ ପ୍ରଦାନ କରିଥିଲା ‘ର’ । ସେହିପରି ଅପରେସନ ସମୟରେ ପାକିସ୍ତାନର ବିମାନ ଏବଂ ଏୟାରସ୍ପେଶ ଉପରେ ନଜର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲା ‘ର’ । 
ସୂଚନାଯୋଗ୍ୟ ୧୯୬୨ରେ ଚୀନ୍ ଯୁଦ୍ଧ ସମୟରେ ‘ର’ ଗଠନ କରାଯାଇଥିଲା । ବାହ୍ୟ ଗୁପ୍ତଚର ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଶତ୍ରୁ ସାମରିକ, ସମ୍ବେଦନଶୀଳ ଏବଂ ଗୁପ୍ତ ଘାଟିର ନିରୀକ୍ଷଣ ଏବଂ ଚିତ୍ର ସଂଗ୍ରହ ଜାରି ରଖିଛି । ଭାରତୀୟ ସେନା ଭଳି ‘ର’ର ନିଜସ୍ୱ ଗୁଇନ୍ଦା ବିମାନ ଏବଂ ହେଲିକପ୍ଟର ମଧ୍ୟ ରହିଛି ।