କଳାକନା ବୁଲାଇଲେ ଲୁଟେରା
କଟକ : ଆଉ ଦିନ କେଇଟା ପରେ ଝିଅ ବାହାଘର ହୋଇଥାନ୍ତା । ଏଥିପାଇଁ ସମସ୍ତ ସୁନା ଓ ରୂପା ଅଳଙ୍କାର କିଣା ସରିଥିଲା । ହେଲେ ଦୁର୍ବୁତ୍ତମାନେ ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇଦେଇଛନ୍ତି । ସ୍ଥାନୀୟ ଜଗତପୁର ଥାନା ବୈକୁଣ୍ଠ ବିହାର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ଜଗତପୁର ଥାନା ବୈକୁଣ୍ଠ ବିହାର ଅଞ୍ଚଳର ବ୍ରଜମୋହନ ଶର୍ମା ତାଙ୍କ ଝିଅର ବାହାଘର ପାଇଁ ସୁନା ଓ ଅଳଙ୍କାର କିଣି ଘରେ ରଖିଥିଲେ । ଶୁକ୍ରବାର ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଝରକା ତାଡ଼ି ପାଖାପାଖି ୨୫ ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ୮୫ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ବ୍ରଜମୋହନ ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଜଗତପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରୁଛି । ଚୋରି ସାମଗ୍ରୀ ମଧ୍ୟରେ ୨ଟି ସୁନା ହାର, ୨ଟି ସୁନା ଚେନ, ୨ଟି ମଂଗଳସୂତ୍ର, ୮ଟି ସୁନା ମୁଦ, ୩ ହଳ କାନଫୁଲ ଓ ୫ ଭରି ରୂପା ଅଳଙ୍କାର ରହିଥିବା ବ୍ରଜମୋହନଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।