ଯମୁନା ଏକ୍ସପ୍ରେସୱେରେ ସିରିଜ୍ ଦୁର୍ଘଟଣା : ନିଆଁ ଲାଗିଯିବାରୁ ୧୩ ଦଗ୍ଧ
- ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ
- ୨ ଲକ୍ଷ ଲେଖାଁଏ ସହାୟତା ଘୋଷଣା
ଲକ୍ଷେ୍ନ : ଘନ କୁହୁଡି ହୋଇଛି କାଳ । ଫଳରେ ମଙ୍ଗଳବାର ପ୍ରତ୍ୟୁଷରେ ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ଧରଣର ସିରିଜ ଦୁର୍ଘଟଣା ଘଟିଛି । ବହୁ ଯାନବାହନ ଧକ୍କାରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଅତ୍ୟନ୍ତ କମ୍ ଥିବା ବେଳେ ଏକ୍ସପ୍ରେସୱେର ଆଗ୍ରା-ନୋଏଡା ଷ୍ଟ୍ରେଚରେ ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଅତି କମରେ ସାତଟି ବସ୍ ଓ ତିନୋଟି କାର ଏହି ଧକ୍କାରେ ଜଡିତ ଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ଓ ଜରୁରୀକାଳୀନ ସେବା ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ୧୧ଟି ଦମକଳ ବାହିନୀ ନିୟୋଜିତ କରିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍ ଚନ୍ଦ୍ର ପ୍ରକାଶ ସିଂହଙ୍କ ଅନୁଯାୟୀ, ବଲଦେବ ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ମାଇଲଷ୍ଟୋନ୍ ୧୨୭ ନିକଟରେ
ଏହି ଦୁର୍ଘଟଣା ଘଟିଥିଲା ।ସମସ୍ତ ୧୩ ଜଣ ପୋଡ଼ିଯାଇ ମୃତ୍ୟୁବରଣ କରିଥିବା କହିଛନ୍ତି ବଳଦେବ ପୁଲିସ ଷ୍ଟେସନର ଏସଏଚଓ ରଞ୍ଜନା ସଚାନ । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଧକ୍କା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା ଓ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଦୌଡ଼ି ଆସିଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହିନ୍ଦୀରେ ଏକ୍ସରେ ଏକ ପୋଷ୍ଟରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣହାନି ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ । ଶୋକସନ୍ତପ୍ତ ପରିବାର ସହିତ ମୋର ଗଭୀର ସମବେଦନା ବୋଲି ସେ କହିଛନ୍ତି । ତାଙ୍କ କାର୍ଯ୍ୟାଳୟରୁ ଏକ ପୋଷ୍ଟ ଅନୁଯାୟୀ, ଆଦିତ୍ୟନାଥ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି ।