ଦେଶରେ ପ୍ରଥମ ରାଜ୍ୟ : କେରଳ ଉକ୍ରଟ ଦାରିଦ୍ର୍ୟରୁ ମୁକ୍ତ

ଦେଶରେ ପ୍ରଥମ ରାଜ୍ୟ : କେରଳ ଉକ୍ରଟ ଦାରିଦ୍ର୍ୟରୁ ମୁକ୍ତ

ଥିରୁବନନ୍ତପୁରମ : କୃତି ତାଲିକାରେ ଏକ ରେକର୍ଡ ଯୋଡିଛି କେରଳ । ଉକ୍ରଟ ଦାରିଦ୍ର୍ୟ ଦୂରୀକରଣରେ ଦେଶର ପ୍ରଥମ ରାଜ୍ୟ ହେବାର ଗୌରବ ଅର୍ଜନ କରିଛି କେରଳ । ଆଜି କେରଳର ପ୍ରତିଷ୍ଠା ଦିବସ ଥିବା ବେଳେ ଏନେଇ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଆଜି ବିଧାନସଭାରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର କେରଳ ପିରାଭି (ଗଠନ )ଇତିହାସରେ ଏକ  ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।  ଆମେ କେରଳକୁ ଉକ୍ରଟ ଦାରିଦ୍ର୍ୟରୁ ମୁକ୍ତ କରିବାରେ ଦେଶର ପ୍ରଥମ  ରାଜ୍ୟ  ହୋଇଛୁ । ଏହି ବିଧାନସଭା ଅନେକ ଐତିହାସିକ ଆଇନ ଓ ନୀତି ଘୋଷଣାର ସାକ୍ଷୀ ହୋଇଛି । ବିଧାନସଭା ଏବେ ଏପରି ଏକ ମୁହୂର୍ତ୍ତରେ ବୈଠକ କରୁଛି ଯାହା ଏକ ନୂଆ କେରଳ ସୃଷ୍ଟିରେ ଆଉ ଏକ ମାଇଲଖୁଣ୍ଟରେ ପହଞ୍ôଚଛି ବୋଲି ବିଜୟନ କହିଛନ୍ତି । ୨୦୨୧ ମସିହାରେ ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ପ୍ରଥମ କ୍ୟାବିନେଟ ବୈଠକରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି ମଧ୍ୟରୁ ଉକ୍ରଟ ଦାରିଦ୍ର୍ୟ ଦୂରୀକରଣ ଅନ୍ୟତମ ନିଷ୍ପତ୍ତି ଥିଲା । ଏହା ବିଧାନସଭା ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ପୂରଣ କରିବାର ମଧ୍ୟ ଆରମ୍ଭ କରିଥିଲା । କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ବିରୋଧୀ ଦଳ ବିଜୟନଙ୍କ ବକ୍ତବ୍ୟକୁ "ପୂରା ପ୍ରତାରଣା’ ବୋଲି କହି ପ୍ରତିବାଦରେ ଅଧିବେଶନ ବର୍ଜନ କରିଥିଲା ।

   କେରଳ ଏହାପୂର୍ବରୁ  ଦେଶର ପ୍ରଥମ ରାଜ୍ୟ ଭାବେ ୧୦୦ ପ୍ରତିଶତ ସାକ୍ଷରତା ହାସଲ କରିଛି । ପ୍ରଥମ ଡିଜିଟାଲ୍‌ ସାକ୍ଷରତା ରାଜ୍ୟ ଓ ଏକ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ରାଜ୍ୟ ଭାବେ ସଫଳତା ପରେ ଶହ ଶହ ଲୋକଙ୍କୁ ଉକ୍ରଟ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ୧୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ରାଜ୍ୟ ସରକାର ୨୦,୬୪୮ ପରିବାର ପାଇଁ ଦୈନିକ ଖାଦ୍ୟ ସୁନିଶ୍ଚିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨,୨୧୦ ଜଣଙ୍କୁ ଗରମ ଖାଦ୍ୟ, ୮୫,୭୨୧ ଜଣଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା ଓ ଔଷଧ ଏବଂ ହଜାର ହଜାର ଲୋକଙ୍କ ପାଇଁ ବାସଗୃହ ଯୋଗାଇ ଦିଆଯାଇଛି । ସେ କହିଛନ୍ତି ଯେ ୫,୪୦୦ ରୁ ଅଧିକ ନୂତନ ଘର ନିର୍ମାଣ ହୋଇଛି କିମ୍ବା ନିର୍ମାଣାଧୀନ ଅଛି, ୫,୫୨୨ ଘର ମରାମତି କରାଯାଇଛି ଓ ୨,୭୧୩ ଭୂମିହୀନ ପରିବାରଙ୍କୁ ସେମାନଙ୍କର ବାସସ୍ଥାନ ନିର୍ମାଣ ପାଇଁ ଜମି ଦିଆଯାଇଛି । ଏହା ବ୍ୟତୀତ ୨୧,୨୬୩ ଜଣ ପ୍ରଥମ ଥର ପାଇଁ ରାସନ କାର୍ଡ, ଆଧାର ଓ ପେନସନ ଭଳି ଜରୁରୀ କାଗଜପତ୍ର ପାଇଛନ୍ତି । ୪,୩୯୪ ପରିବାରକୁ ଜୀବିକା ନିର୍ବାହ ପ୍ରକଳ୍ପରେ ସହାୟତା କରାଯାଉଛି ବୋଲି ବିଜୟନ ଏକ ପୋଷ୍ଟରେ କହିଥିଲେ । ସମସ୍ତଙ୍କ ପାଇଁ ଏକ ନୀତି ପରିବର୍ତ୍ତେ ସରକାର ୬୪,୦୦୬ ଦୁର୍ବଳ ପରିବାରକୁ ଚିହ୍ନଟ କରିଛନ୍ତି । ପ୍ରତ୍ୟେକଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ନିର୍ଦ୍ଦିଷ୍ଟ କ୍ଷୁଦ୍ର ଯୋଜନା ସୃଷ୍ଟି କରିଛନ୍ତି ବୋଲି ସେ ଆହୁରି କହିଥିଲେ ।