ପଲ୍ଲିଶ୍ରୀ ମେଳା ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ
ବାଲେଶ୍ୱର: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫ ଆଗାମୀ ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ସ୍ଥାନୀୟ ପୁଲିସ ଲାଇନ୍ ପଡିଆରେ ଆୟୋଜିତ ହେବାକୁ ଯାଉଛି । ଏଥିନିମନ୍ତେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ କୋଶମ୍ୱ ମେଳା ଆୟୋଜନର ସଫଳ ରୂପାୟନ ସଂପର୍କରେ ଆଲୋଚନା ତଥା ବିଭିନ୍ନ ଦିଗ ଉପରେ ମତାମତ ଓ ପ୍ରସ୍ତାବ ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ମଧ୍ୟ ମଞ୍ଚାସୀନ ଥିଲେ । ଏହି ମେଳାରେ ବିଭିନ୍ନ ବିଭାଗର ପ୍ରାୟ ୨୫୦ ଷ୍ଟଲ୍ ଖୋଲିବାର ବ୍ୟବସ୍ଥା କରାଯାଇଛି । ଏବଂ ପୂର୍ବାହ୍ନ ଏବଂ ଅପରାହ୍ନ ସମୟରେ ବିଭିନ୍ନ କର୍ମଶାଳା ମାନ ଆୟୋଜିତ ହେବ । ବିଭିନ୍ନ କୃଷିଜାତ, ଗ୍ରାମୀଣ, ହସ୍ତଶିଳ୍ପ, କୁଟୀର ଶିଳ୍ପ ଆଦି ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ ହେବ । ସନ୍ଧ୍ୟାରେ ସ୍ଥାନୀୟ, ଓଡ଼ିଶା, ତଥା ଜାତୀୟସ୍ତରର କଳାକାରମାନଙ୍କ ଦ୍ୱାରା ଉଚ୍ଚକୋଟୀର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ । ଜିଲ୍ଲାସ୍ତରୀୟ ବିଭିନ୍ନ ଦଳମାନେ ମଧ୍ୟ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ । ପୁରସ୍କାର, ସମ୍ବର୍ଦ୍ଧନା, ସମ୍ମାନ ପ୍ରଦାନ ଆଦି ପର୍ବ ସହ କୃଷକ ଯନ୍ତ୍ରପାତି ମେଳା ମଧ୍ୟ ଏହି ଅବସରରେ ଆୟୋଜିତ ହେବ । ଡେପୁଟି ସିଇଓ, ଓରମାସ ଶାନ୍ତନୁ ବାନାର୍ଜୀ ଉକ୍ତ ବୈଠକର ପରିଚାଳନା କରିଥିଲେ । ଶେଷରେ ଜିଲ୍ଲାପାଳ ଶ୍ରୀ ବିକାଶ ଏହି ମେଳାର ସଫଳ ରୂପାୟନ ନିମନ୍ତେ ଆନ୍ତବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।