ପଶ୍ଚିମବଙ୍ଗରେ ଏସଆଇଆର ବିବାଦ : ଆଲୋଚନା ପାଇଁ ଟିଏମସିକୁ ଡାକିଲେ ଇସିଆଇ 

ପଶ୍ଚିମବଙ୍ଗରେ ଏସଆଇଆର ବିବାଦ  : ଆଲୋଚନା ପାଇଁ ଟିଏମସିକୁ ଡାକିଲେ ଇସିଆଇ 

ଦେଶକୁ ଦୋହଲାଇ ଦେବୁ : ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୃଢ ବିରୋଧ ପରେ ନରମିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ୨୮ ତାରିଖରେ ନିର୍ବାଚନ ସଦନରେ ଦଳର ଅଭିଯୋଗ ଶୁଣିବା ପାଇଁ ତୃଣମୂଳ କଂଗ୍ରେସ ପ୍ରତିନିଧିମଣ୍ଡଳୀକୁ ନିମନ୍ତ୍ରଣ କରିଛନ୍ତି ଇସିଆଇ ।


      ଟିଏମସି ଅଧ୍ୟକ୍ଷଙ୍କୁ ଲେଖିଥିବା ଏକ ଚିଠିରେ ନିର୍ବାଚନ କମିଶନ ଉଲ୍ଲେଖ କରିଛନ୍ତି ଯେ ଟିଏମସି ସଂସଦୀୟ ନେତା ଡେରେକ୍‌ ଓ'ବ୍ରାଏନ୍‌ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ ପାଇଁ ସମୟ ମାଗିଥିଲେ । କମିଶନ ଅନୁରୋଧକୁ ବିଚାର କରିବା ପରେ ନଭେମ୍ବର ୨୮ ତାରିଖ ସକାଳ ୧୧ ଟାରେ ନୂଆଦିଲ୍ଲୀର ଅଶୋକା ରୋଡରେ ଥିବା ମୁଖ୍ୟାଳୟରେ ଅଧିକୃତ ପ୍ରତିନିଧିମାନଙ୍କ ସହିତ ଚାରି ଜଣ ଅତିରିକ୍ତ ଦଳୀୟ ସଦସ୍ୟଙ୍କୁ ଭେଟିବାକୁ ରାଜି ହୋଇଛନ୍ତି । ବ୍ୟବସ୍ଥାକୁ ସହଜ କରିବା ପାଇଁ ନିର୍ବାଚନ କମିଶନ ଦଳକୁ ପ୍ରତିନିଧିମଣ୍ଡଳୀ ସଦସ୍ୟଙ୍କ ନାମ ଏବଂ ସେମାନଙ୍କ ଯାନବାହାନ ବିବରଣୀ ଇ-ମେଲ୍‌ election@eci.gov.in ରେ ପ୍ରଦାନ କରିବାକୁ କହିଛନ୍ତି । ଚିଠିଟି ଏହା ମଧ୍ୟ ଉଲ୍ଲେଖ କରିଛି ଯେ କମିଶନ ରଚନାତ୍ମକ ଆଲୋଚନା ପାଇଁ ରାଜନୈତିକ ଦଳଗୁଡ଼ିକ ସହିତ ନିୟମିତ ଆଲୋଚନାକୁ ସର୍ବଦା ସ୍ୱାଗତ କରେ । ପଶ୍ଚିମବଙ୍ଗରେ ଏସଆଇଆର ପ୍ରସ୍ତୁତିକୁ ଟିଏମସି ତୀବ୍ର ସମାଲୋଚନା କରିଛି । ଅଭିଯୋଗ କରିଛି ଯେ ଏହା ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ହେରଫେର କରିବା ପାଇଁ ବିଜେପି ଏବଂ ଇସିଆଇ ଦ୍ୱାରା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପଦକ୍ଷେପ । ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀ ଏହି ପଦକ୍ଷେପକୁ ସାଇଲେଣ୍ଟ ଇନଭିଜିବଲ୍‌ ରିଗିଂ (ଏସଆଇଆର) ବୋଲି ଅଭିହିତ କରିଛନ୍ତି । ଏହା ପ୍ରକୃତ ଭୋଟର, ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ବଙ୍ଗାଳୀ ପ୍ରବାସୀଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି । ଦଳ ଏସଆଇଆର ପ୍ରକ୍ରିୟାକୁ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ) ଏବଂ ନାଗରିକଙ୍କ ମୃତ୍ୟୁ ସହିତ ମଧ୍ୟ ଯୋଡ଼ିଛି । ଏହି ମୃତ୍ୟୁକୁ ଅତ୍ୟଧିକ କାର୍ଯ୍ୟ ଭାର ଏବଂ ଚାପକୁ ଦାୟୀ କରିଛି । ଏହା ଦାବି କରିଛି ଯେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଇସିଆଇ ଏହି ପ୍ରସ୍ତୁତିକୁ ବନ୍ଦ କରି ଦାୟିତ୍ୱ ନେବାକୁ ଦାବି କରିଛି । 


      ତେବେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସ୍‌ଆଇଆର୍‌ ବିରୋଧରେ ପୁଣି ବର୍ଷିଛନ୍ତି । ସେ କହିଛନ୍ତି ଯେ, ଜଦି ସେମାନେ ବେଙ୍ଗଲକୁ ଛୁଇଁବାକୁ ଚେଷ୍ଟା କରନ୍ତି ଆମେ ସମର୍ଗ ଦେଶକୁ ଦୋହଲାଇ ଦେବୁ । ବିଜେପି ନକଲି ଭୋଟର ତିଆରି କରିବା ପାଇଁ ଏଆଇ ବ୍ୟବହାର କରୁଛି । ଏହା ହେଉଛି ବିଜେପିର ନୂଆଚାଲ୍‌ । ଏହି କାମରେ ନିର୍ବାଚନ କମିଶନ ବିଜେପିକୁ ସମ୍ପୂର୍ଣ୍ଣ ସାହାଯ୍ୟ କରୁଛି । ବିହାରରେ ହୋଇଥିବା ନିର୍ବାଚନରେ ବିଜେପିର ଖେଳକୁ ବିଚରା ବିରୋଧୀଦଳ ମାନେ ବୁଝି ପାରିଲେ ନାହିଁ । ଆମେ କିନ୍ତୁ ବିଜେପିର ଖେଳକୁ ବୁଝିପାରିଛୁ । ବେଙ୍ଗଲରେ ତାହା ସଫଳ ହେବାକୁ ଦେବୁ ନାହିଁ ବୋଲି ଆଜି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏସ୍‌ଆଇଆର୍‌ ବିରୋଧରେ ଆୟୋଜିତ ଏକ ସଭାରେ ଏହା କହିଛନ୍ତି ମମତା ଦିଦି ।