ଇଣ୍ଟରନେଟ ଦର ନିୟନ୍ତ୍ରଣ  : ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

 ନୂଆଦିଲ୍ଲୀ:  ଦେଶରେ ଇଣ୍ଟରନେଟ୍ ଦର ନିୟନ୍ତ୍ରଣ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରଜତ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ ଇଣ୍ଟରନେଟ୍ ସେବା ପାଇବା ପାଇଁ ଗ୍ରାହକଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି । "ଏହା ଏକ ମୁକ୍ତ ବଜାର । ଏଥିରେ ଅନେକ ବିକଳ୍ପ ରହିଛି । ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ ମଧ୍ୟ ଆପଣଙ୍କୁ ଇଣ୍ଟରନେଟ୍ ଦେଉଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି ।
ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ବଜାରର ଅଧିକାଂଶ ଅଂଶ ଜିଓ ଏବଂ ରିଲାଏନ୍ସ ଦ୍ୱାରା ନିୟନ୍ତ୍ରିତ । ଏହାପରେ ଖଣ୍ଡପୀଠ କହିଥିଲେ, ଯଦି ଆପଣ ଏପରି ଅଭିଯୋଗ କରୁଛନ୍ତି, ତେବେ ଭାରତୀୟ ପ୍ରତିଯୋଗିତା କମିଶନଙ୍କ ପାଖକୁ ଯାଆନ୍ତୁ । ତେବେ ଆବେଦନକାରୀ ଯଦି ଉପଯୁକ୍ତ ଆଇନଗତ ପ୍ରତିକାର ପାଇଁ କୌଣସି ଆଶ୍ରୟ ନେବାକୁ ଚାହୁଁଛନ୍ତି, ତେବେ ସେ ଏଥିପାଇଁ ସ୍ୱାଧୀନ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।