ପାପ ଲୁଚାଇବାକୁ ଯାଇ ପୁତୁରାକୁ କୁକର୍ମ ପରେ ହତ୍ୟା
ଭୁବନେଶ୍ୱର/ପୁରୀ : ପୁରୀ ଡେଲାଙ୍ଗ ନାବାଳକ ହତ୍ୟାକାଣ୍ଡ ଘଟଣାର ଚାଞ୍ଚଲ୍ୟକର ତଥ୍ୟ । ପୂର୍ବ ଶତ୍ରୁତାରୁ ସଇତାନ ସାଜିଲା ସମ୍ପର୍କୀୟ ଦାଦା । ବାପା ଉପରେ ରାଗ ରଖି ନାବାଳକ ପୁଅର ଜୀବନ ନେଲା । ପ୍ରଥମେ ଅପହରଣ ପରେ କୁକର୍ମ ତା ପରେ ନିଜର ପାପ ଲୁଚାଇବାକୁ ଯାଇ ପୁତୁରାକୁ ହତ୍ୟାକରି ପାଇଖାନା ଟାଙ୍କିରେ ଫୋପାଡିଦେଇଥିଲା ଅଭିଯୁକ୍ତ ଦାଦା । ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଏହାପରେ ଗ୍ରାମର ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭାଙ୍ଗିବା ସହ ଅଭିଯୁକ୍ତକୁ ଫାଶି ଦେବାକୁ ଦାବି କରିଥିଲେ । ସେପଟେ ଡେଲାଙ୍ଗ ଥାନା ସୁଜନପୁର ପଞ୍ଚାୟତର ରତନପୁର ଗାଁର ୧୧ବର୍ଷର ନାବାଳକ ଆର୍ଶିବାଦ ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ । ନାବାଳକକୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦିଆଯାଇଥିଲା । ଘଟଣାର ୬ ଦିନ ପରେ ଅର୍ଥାତ ରବିବାର ରାତିରେ ଭୁବନେଶ୍ୱର ପୁଲିସ ଏହା ଉପରୁ ପରଦା ଉଠାଇଛି । ସେପଟେ ପୁରୀ ପୁଲିସର ବିଫଳତା ଓ ମନ୍ଥର ତଦନ୍ତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଗତ ୧୪ ତାରିଖ ଅପରାହ୍ଣରେ ରତନପୁରର ମାନସ ସାହୁଙ୍କ ୧୧ ବର୍ଷିର ପୁଅ ଆର୍ଶିବାଦ ଗାଁ ପିଲାଙ୍କ ସହ ପଡିଆରେ କ୍ରିକେଟ ଖେଳୁଥିଲା । ଏହି ସମୟରେ ବାପି ସେଠାକୁ ଯାଇ ତା’ସହ କଥା ହୋଇଥିଲା । ପରେ ବର୍ଷା-ପବନ ଆସିବାରୁ ସେ ଘରକୁ ଫେରୁଥିଲା । ଗାଁ ଦାଣ୍ଡରୁ ବାପି ତାକୁ ଡାକି ନେଇଯାଇଥିଲା । ସନ୍ଧ୍ୟା ହେବା ପରେ ବାପି ତାକୁ ହତ୍ୟା କରି ରାତିରେ ପାଇଖାନା ଟାଙ୍କିରେ ଫିଙ୍ଗି ଫେରାର ହୋଇଯାଇଥିଲା । ଥାନାରେ ଅଭିଯୋଗ ହେବା ପରେ ପୁଲିସ ଓ ଅଗ୍ନିଶମବାହିିନୀ ଘଟଣାସ୍ଥଳରେର ପହଞ୍ଚି ଛାନଭିନ କରିଥିଲା । ହେଲେ କିଛି ସୁଫଳ ମିଳିନଥିଲା । ଆର୍ଶିବାଦ ନିଖୋଜ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ହଠାତ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ପୁଲିସକୁ ଏକ ଖବର ମିଳିଥିଲା । ଗୋଟିଏ ଜାଗାରେ ପିଲା ନିଖୋଜ ଓ ଜାମିନ ସମ୍ପର୍କରେ ଦୁଇ ଜଣ ବ୍ୟକ୍ତି କଥା ହେଉଥିବା ସୂଚନା ମିଳିବା ପରେ ଭୁବନେଶ୍ୱର ସ୍ପେଶାଲ ସ୍କାଡ ତୁରନ୍ତ ସେଠାରେ ଚଢାଉ କରିଥିଲା । ଦୁଇ ବ୍ୟକ୍ତିଙ୍କୁ ହେପାଜତକୁ ନେଇ ଜେରା କରିଥିଲା । ଜେରା ବେଳେ ସେ ଅଭିଯୁକ୍ତ ବାପିର ଶଶୁର ବୋଲି ଜଣାପଡିଥିଲା । ବାପି ଗୋଟିଏ ଶିଶୁକୁ ଅପହରଣ କରିଥିବା ସ୍ପଷ୍ଟ ହୋଇଥିଲା । ପରେ ପୁରୀ ପୁଲିସକୁ ଅବଗତ କରିବା ସହ ସ୍ପେଶାଲ ସ୍କ୍ୱାଡ ବାପିକୁ ଧରିବାକୁ ଟାଙ୍ଗି ଯାଇଥିଲା । ସେଠାରୁ ବାପିକୁ ହେପାଜତକୁ ନେବା ସହ ଘଟଣାର ରହସ୍ୟ ଖୋଲିଥିଲା ।
ଅପରପକ୍ଷରେର ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟୀକ ବିବାଦ ଥିବା ଅଭିଯୁକ୍ତ କହିଛି । ଅଭିଯୁକ୍ତ କହିବାନୁସାରେ, ଅଭିଯୁକ୍ତ ବାପି ଏକ ଦୋକାନ କରିଥିଲା । ଦୋକାନର ବ୍ୟବସାୟ ଠିକଠାକ ଚାଲୁଥିଲା । ହେଲେ ମୃତ ଶିଶୁର ବାପା ମାନସ ତାଙ୍କ ଦୋକାନ ପାଖରେ ଆଉ ଏକ ଦୋକାନ ଖୋଲିଥିଲେ । ଫଳରେ ମାନସର ବ୍ୟବସାୟ ବଢିଥିଲା ଓ ବାପିର ବ୍ୟବସାୟ ବୁଡି ଯାଇଥିଲା । ଏହାକୁ ନେଇ ସେ ମନେ ମନେ ମାନସ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା । ଏହି କାରଣରୁ ସେ ନାବାଳକକୁ ହତ୍ୟା କରିଥିବା କହିଛି । ମାତ୍ର ପୁଲିସ ଏହାକୁ ସହଜରେ ବିଶ୍ୱସକୁ ନେଉନାହିଁ । ଅଧିକ ପଚରାଉଚରା ଜାରି ରହିଛି । ସେପଟେ ଡେଲାଙ୍ଗ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଲୋକେ କହିଛନ୍ତି ଯଦି ପୁଲିସ ଠିକ୍ ସମୟରେ ଠିକ୍ ତଦନ୍ତ କରିଥାନ୍ତା ହୁଏତ ଏଭଳି ଘଟଣା ଘଟିନଥାନ୍ତା । ପୁଲିସ ଘଟଣାକୁ ହାଲ୍କା ଭାବେ ନେଇଥିଲା । ୪ଦିନ ପରେ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲା । ଯଦି ତା’ ପରଦିନ ଏଭଳି କରିଥାନ୍ତା ହୁଏତ କିଛି ସୁଫଳ ମିଳିଥାନ୍ତା । ଅପରିପକ୍ୱ ପୁଲିସ ଅଫିସରଙ୍କ ଯୋଗୁଁ ଏଭଳି ଏକ ଘଟଣା ଘଟିଥିବା ଲୋକେ କହିଛନ୍ତି ।