ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ନୂଆପଡା: ନୂଆପଡାରେ ଚାଲିଥିବା ବିକାଶ ମେଳା ଅବସରରେ ଦ୍ୱିତୀୟ ଦିନରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବିଗତ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପ୍ରଥମ ହୋଇଥିବା ୫ ଟି ମହିଳା ସ୍ୱୟଂ ସହାୟକ ଦଳ ଅଂଶ ଗ୍ରହଣ କରିଥିଲେ । ପାରମ୍ପରିକ ଖାଦ୍ୟ ଶ୍ରେଣୀରେ ଅତ୍ୟନ୍ତ ସ୍ୱାଦିଷ୍ଟ ଭୋଜନ ସମସ୍ତେ ପ୍ରସ୍ତୁତ କରିଥିଲେ । ଏହି ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇିଥିଲେ । ପାରମ୍ପରିକ ଖାଦ୍ୟକୁ ସବୁବେଳେ ଗୁରୁତ୍ୱ ଦେଇ ସୁସ୍ଥ ଏବଂ ସୁଖରେ ରହିବା ବୋଲି କହିଥିଲେ । ବିଚାରକ ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଡ. ସଚ୍ଚିଦାନନ୍ଦ ତ୍ରିପାଠୀ, ଅବକାରୀ ଅଧିକ୍ଷକ ସଙ୍ଘମିତ୍ରା ପ୍ରଧାନ, ଅତିରିକ୍ତ ଜିଲ୍ଲା ଟ୍ରେଜେରୀ ଅଧିକାରୀ ମଧୁସ୍ମିତା ପରିଜା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ଖାଦ୍ୟର ସ୍ୱାଦ ଗୁଣ ମାନ ପରୀକ୍ଷା କରିଥିଲେ । ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ଜିଲ୍ଲା ପରିଚାଳକ ସୁନୀଲ ମଲ୍ଲିକ ପ୍ରତିଯୋଗିତାର ଆୟୋଜନ କରିଥିଲେ । ସରକାରଙ୍କ ତରଫରୁ ପ୍ରଥମ ଦଳ ଜୟ ମା ତୁଳସୀ, କୋମନାଙ୍କୁ ଦଶ ହଜାର, ଦ୍ୱିତୀୟ ଦଳ ନାଓମି, ନୂଆପଡାଙ୍କୁ  ଆଠ ହଜାର ଏବଂ ତୃତୀୟ ଦଳ ଶ୍ରୀମା, ବୋଡେନଙ୍କୁ ୬ହଜାର ଟଙ୍କା ପୁରସ୍କାର ମିଳିବ । ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ରାଜ୍ୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।