୧୧ ଜିଲାରେ ପ୍ରବଳ ବର୍ଷା : ୟେଲୋ ୱାର୍ନିଂ ଜାରି
ଭୁବନେଶ୍ୱର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ। ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୧ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ । ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ସାରାଦିନ ବର୍ଷା ଲାଗିରହିଛି। କୋରାପୁଟରେ ସର୍ବାଧିକ ୬୪.୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୪୯.୬ ମିମି, ନବରଙ୍ଗପୁରରେ ୩୩.୨ ମିମି, ଢ଼େଙ୍କାନାଳରେ ୨୬.୪ ମିମି, ମାଲକାନଗିରିରେ ୨୧.୨ ମିମି, ଭବାନୀପାଟଣାରେ ୧୦.୨ ମିମି ଏବଂ ତାଳଚେରରେ ୧୦.୦ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ମଧ୍ୟାହ୍ନରେ ଅବପାତ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।