ପିକଅପ୍ ଭ୍ୟାନ ଧକ୍କାରେ ମହିଳା ମୃତ  : କ୍ଷତିପୂରଣ ଦାବିରେ ରାସ୍ତା ରୋକ 

 ଫୁଲବାଣୀ : ରାସ୍ତା କଡରେ ଛିଡା ହୋଇଥିବା ଜଣେ ମହିଳାଙ୍କୁ ଏକ ପିକଅପ୍ ଭ୍ୟାନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତୁ୍ୟ ଘଟିଛି । ମୃତ ମହିଳା ଜଣକ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଧୀନରେ ଥିବା ଲାହାବାଡି ଗାଁର ବେଣୁଧର ଦିଗାଳଙ୍କ ସ୍ତ୍ରୀ ସତ୍ୟଭାମା ଦିଗାଳ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ନିଜ ଗାଁ ଲାହାବାଡ଼ି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଟିକାବାଲି ପଟୁ ଛତିଶଗଡ଼ ନମ୍ବର ଥିବା ଏକ ପିକଅପ୍ ଗାଡି ଦ୍ରୁତ ଗତିରେ ଆସି ପଛପଟୁ ବଡେଇବା ସହ ପ୍ରାୟ ଦୁଇଶହ ମିଟର ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତୁ୍ୟ ହୋଇଥିବା ବେଳେ ଗାଡିର ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତି ଦୁର୍ଘଟଣାସ୍ଥଳରେ ଗାଡ଼ିଟିକୁ ଛାଡି ଫେରାର ହୋଇଯାଇଥିଲେ । ପରେ ଲାହାବାଡି ଗାଁର ଶତାଧିକ ଲୋକ କ୍ଷତିପୂରଣ ଦାବିରେ ଫୁଲବାଣୀ ବ୍ରହ୍ମପୁର ମୁଖ୍ୟ ରାସ୍ତା ଲାହାବାଡ଼ି ଛକରେ ରାସ୍ତା ରୋକ କରିଛନ୍ତି । ଏହାସହ ମୃତ ମହିଳାଙ୍କ ପରିବାରକୁ କୋଡିଏ ଲକ୍ଷ ଟଙ୍କା ସହ ତାଙ୍କର ସାତ ବର୍ଷର ଏକ ପୁଅ ଓ ଚାରିମାସର ଏକ ପୁଅକୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଫୁଲବାଣୀ ସଦର ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ସହ ସଦର ଥାନା ଅଧିକାରୀ ପହଞ୍ଚô ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅନ୍ୟପଟେ ରାସ୍ତାରୋକ ଯୋଗୁଁ ଶହ ଶହ ଗାଡି ମଟର ରାସ୍ତାରେ ଅଟକି ରହିଥିବା ବେଳେ ଯାତାୟାତରେ ଘୋର ବାଧା ସୃଷ୍ଟି ହୋଇଥିଲା ।