ପୁଞ୍ଜିପଥର ଡଙ୍ଗରବୁଢା ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବି 

 ନୂଆପଡା : ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ପୁଞ୍ଜିପଥର ଡଙ୍ଗରବୁଢା ପୀଠକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଓ ବିକାଶ ଏବଂ ଛତ୍ରଙ୍ଗ ର ଗୁମ୍ଫା ଡ୍ୟାମକୁ ଇକୋଟୋରିଜମ କରିବା ଦାବି ହୋଇଛି । ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ବଲାଙ୍ଗୀର ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ନେତୃତ୍ୱରେ ଦାବି କରାଯାଇଥିଲା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଅନେକ ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳ ରହିଛି । ଏହାର ଭିତ୍ତିଭୂମିର ବିକାଶ ସହିତ ପାରିପାର୍ଶ୍ୱିକ ଉନ୍ନତି ପ୍ରତି ଦୃଷ୍ଟି ଦିଆଗଲେ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନଂ ରାଜପଥ ପାର୍ଶ୍ୱରେ ପୁଞ୍ଜିପଥରରେ ଥିବା ଡଙ୍ଗରବୁଢା ପୀଠର ବିକାଶ ଓ ପାରିପାର୍ଶ୍ୱିକ ଉନ୍ନତି, ପର୍ଯ୍ୟଟକଙ୍କ ରହିବାର ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ପୁଞ୍ଜିପଥର ଡଙ୍ଗର ଉପରେ ଥିବା ମନ୍ଦିରକୁ ଯିବା ପାଇଁ ସୁବ୍ୟବସ୍ଥା, ଆଲୋକିକରଣ, ପାନୀୟଜଳର ବ୍ୟବସ୍ଥା, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗାର, ଶୌଚାଳୟ ଆଦି ଦିଗରେ ପଦକ୍ଷେପ ନେଲେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇପାରିବ । ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମରେ ଥିବା ଗୁମ୍ଫା ଡ୍ୟାମକୁ ଇକୋ ଟୋରିଜମ କରାଯାଉ । ଗୁମ୍ଫା ଡ୍ୟାମକୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଇକୋ ଟୋରିଜମ ଭାବରେ ଏହି ଡ୍ୟାମର ଉନ୍ନତି କରାଗଲେ ବଲାଙ୍ଗିର ଜିଲ୍ଲାର ଉପାନ୍ତ ଏହି ଅଞ୍ଚଳକୁ ଅନେକ ପର୍ଯ୍ୟଟକ ଆସିବେ । ପର୍ଯ୍ୟଟନର ବିକାଶ ସହିତ ଅଞ୍ଚଳରେ ଜୀବନ ଜୀବିକା କ୍ଷେତ୍ରରେ ମଧ୍ୟ ସୁଧାର ଆସିପାରିବ । ଏଣୁ ପୁଞ୍ଜିପଥର ଡଙ୍ଗରବୁଢା ପୀଠକୁ ପର୍ଯ୍ୟଟନର ମାନ୍ୟତା ଓ ବିକାଶ, ଛତ୍ରଙ୍ଗର ଗୁମ୍ଫା ଡ୍ୟାମକୁ ଇକୋ ଟୋରିଜମରେ ପରିଣତ କରିବା ପାଇଁ ପଦକ୍ଷେପ ନେବା ପାଇଁ ଦାବିପତ୍ରରେ ଜଣାଯାଇଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ପାଦକ ହୁଲେଶ୍ୱର ହଂସ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ଅନିଲ ତ୍ରିପାଠୀ, କୋଷାଧ୍ୟକ୍ଷ ଦୀପକ ଯାଦବ, ସଦସ୍ୟ ନାରାୟଣ ମିଶ୍ର, ନିତ୍ୟାନନ୍ଦ ପୃସେଠ, ରାଧେଶ୍ୟାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।