ପୁଣି ଅସ୍ତ୍ର ଛାଡିଲେ ୭ କ୍ୟାଡର ମାଓବାଦୀ

ପୁଣି ଅସ୍ତ୍ର ଛାଡିଲେ ୭ କ୍ୟାଡର ମାଓବାଦୀ

ରାୟପୁର : ଛତିଶଗଡରେ ପୁଣି ଅସ୍ତ୍ର ଛାଡିଲେ ୭ଜଣ କ୍ୟାଡର ମାଓବାଦୀ । ଯେଉଁଥିରେ ଅଛନ୍ତି ୪ଜଣ ମହିଳା ମାଓବାଦୀ । ଫଳରେ ପୂର୍ବ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ଜଙ୍ଗଲ ଘେରା ଅଞ୍ଚଳରେ ନିଷିଦ୍ଧ ସିପିଆଇ (ମାଓବାଦୀ)ର ଏକ ସକ୍ରିୟ ଆଞ୍ଚଳିକ ଉଦାନ୍ତୀ କ୍ଷେତ୍ର କମିଟିକୁ ବଡ ଝଟକା ଲାଗିଛି । ନିଷିଦ୍ଧ ସଂଗଠନ ପରିତ୍ୟାଗ କରିଥିବା ଲୋକମାନେ ଗାରିଆବନ୍ଦ-ଧାମତାରି-ନୂଆପଡ଼ା ଡିଭିଜନ ଅଧୀନରେ ଉଦାନ୍ତୀ କ୍ଷେତ୍ର କମିଟିର ଏକ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ସଦସ୍ୟ ଥିଲେ । ସେମାନେ ୨୦୧୮ ପରଠାରୁ ଏହି ଅଞ୍ଚଳରେ ଅନେକ  ହିଂସାତ୍ମକ ଘଟଣାରେ ଜଡିତ ଥିଲେ । ଯାହାଙ୍କ ପାଇଁ ମିଳିତ ଭାବରେ ୩୭ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଉଦାନ୍ତୀ କ୍ଷେତ୍ର କମିଟିର ସଂପାଦକ ପୂର୍ବରୁ ସଶସ୍ତ୍ର ଆନ୍ଦୋଳନର ପଥ ପରିତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଥିବା ନେଇ ଗାରିଆବନ୍ଦ ଜିଲ୍ଲା ପୁଲିସ ମୁଖ୍ୟ ନିଖିଲ ରାଖେଚା ସୂଚନା ଦେଇଛନ୍ତି । ସେମାନେ ବର୍ଣ୍ଣନା କରିଛନ୍ତି ଯେ କିପରି ଧୀରେ ଧୀରେ ସେମାନେ ମାଓ ସଂଗଠନର "ଶୂନ୍ୟ ବିକାଶ ବିରୋଧୀ ଚିନ୍ତାଧାରା’କୁ ଅନୁଭବ କଲେ ଓ ଏକ ମର୍ଯ୍ୟାଦାଜନକ ଜୀବନ ପାଇଁ ଆଗ୍ରହୀ ହେଲେ । ସେମାନେ ଶୁକ୍ରବାର ସନ୍ଧ୍ୟାରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।