ପୁତ୍ରଦା ଏକାଦଶୀ

ଅଲେଖ ଚନ୍ଦ୍ର ସାମଲ : ପୌଷ ମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ଼ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜା କରିବା ବିଧାନ ରହିଛି । ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ୱକୁ ବ୍ୟାଖ୍ୟା କରି କହିଥିଲେ ଏହି ତିଥିରେ ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ । ଏହି ତିଥିରେ ସମସ୍ତ ପାପନାଶ ହୋଇଥାଏ । ପୂର୍ବକାଳରେ ଭଦ୍ରାବତୀପୁରୀ ରାଜା ସୁକେତୁମାନ ଶାସନ କରୁଥିଲେ । ତାଙ୍କର କୌଣସି ସନ୍ତାନ ନଥିଲେ । ଏହି କାରଣରୁ ରାଜା ଓ ରାଣୀ ଚମ୍ପା ଚିନ୍ତାରେ ରହୁଥିଲେ । ଦିନେ ରାଜା ରାଜପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣ କରିବା ପାଇଁ ବାହାରିଲେ । ରାଜା ବନର ଶୋଭାକୁ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଗଲା । ରାଜା ଭୋଗ ଶୋଷରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ସଂଗ୍ରହ ପାଇଁ ଖୋଜିବୁଲିଲେ । 

   ଶେଷରେ ଏକ ସରୋବର ଓ ସରୋବର ତଟରେ ଅନେକ ମୁନିଋଷି ମାନଙ୍କର ଅଶ୍ରମ ସ୍ଥଳୀ ରହିଥିବାର ଦେଖିଲେ । ଏହା ରାଜାଙ୍କ ପାଇଁ ସୌଭାଗ୍ୟ ଥିଲା । ସେ ତତ୍‌କ୍ଷଣାତ ଘୋଡ଼ା ଉପରେ ବସି ସରୋବର ନିକଟରେ ପହଞ୍ଚ ସମସ୍ତ ମୁନିଋଷିମାନଙ୍କୁ ବନ୍ଦନା କରିବାକୁ ଲାଗିଲେ । ତାଙ୍କର ବନ୍ଦନାରେ ମୁନିଋଷିମାନେ ପ୍ରସନ୍ନ ହେଲେ । ରାଜା ମୁନି ମାନଙ୍କୁ ଦେଖି ପଚାରିଲେ ଆପଣମାନେ କିଏ ? ମୁନି କହିଲେ ଆମେ ସମସ୍ତେ ବିଶ୍ୱଦେବ । ସ୍ନାନ କରିବାକୁ ଆସିଛୁ । ମାଘମାସ ନିକଟରେ ଆସୁଛି । ଆଜି ଠାରୁ ପାଞ୍ଚଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଛି । ଆଜି ହିଁ ପୁତ୍ରଦା ଏକାଦଶୀ । ଯିଏ ଏହି ବ୍ରତ ପାଳନ କରିବ ତାର ପୁତ୍ର ହେବ। ଏହି ପ୍ରକାର ମୁନିଙ୍କ କହିବାନୁଯାୟୀ ରାଜା ଏହି ବ୍ରତକୁ ପାଳନ କରିବା ସହ ପୁତ୍ରଦା ଏକାଦଶୀ ଅନୁଷ୍ଠିତ କଲେ । ଦ୍ୱାଦଶରେ ସେ ନିଜ ବ୍ରତକୁ ଉଦ୍‌ଯାପିତ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ । ସେହିଦିନ ରାଣୀ ଗର୍ଭଧାରଣ କଲେ । ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ହେଲା ଯାହା ଗୁଣର ଅଧିକାରୀ ହେବା ସହ ପ୍ରଜା ମାନଙ୍କର ପାଳକ ମଧ୍ୟ ହୋଇପାରିଥିଲେ । ଏହି ଦୃଷ୍ଟିରୁ ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । 

ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର