ଶାମ୍ବ ଦଶମୀ

ଶାମ୍ବ ଦଶମୀ

ଡ.ତପନ କୁମାର ପାଳ : ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଋଷି ଦୁର୍ବାସାଙ୍କ ଦ୍ୱାରା ଅଭିଶପ୍ତ ହୋଇ କୁଷ୍ଠ ବ୍ୟାଧିଗ୍ରସ୍ତ ହେଲେ । ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେ ପୁରୋହିତ ଗୌରମୁଖ ଓ ଦେବଋଷି ନାରଦଙ୍କ ପରାମର୍ଶ କ୍ରମେ କଳିଙ୍ଗର ସମୁଦ୍ର କୂଳରେ ଭଗବାନ ବିଷ୍ଣୁଙ୍କ ଆରାଧନା କଲେ । ସେହି ଦିନ ଥିଲା ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥି। ଶାମ୍ବ ଚନ୍ଦ୍ରଭାଗା ନଦୀ କୂଳରେ ତପସ୍ୟା କରି ସୂର୍ଯ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଲେ । ସୂର୍ଯ୍ୟଙ୍କ ସେହି ବିଗ୍ରହ ପୂଜା କରି ଶାମ୍ବ ଦୁରାରୋଗ୍ୟରୁ ମୁକ୍ତ ହେଲେ। ସେହି ଦିନଟି ଥିଲା ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି । ଶାମ୍ବ ନିଜର ମୁକ୍ତି ଯୋଗୁଁ ସମଗ୍ର କଳିଙ୍ଗରେ ସୂର୍ଯ୍ୟ ପୂଜା ବିଧିର ପ୍ରଚାର କରାଇଲେ । ପ୍ରଥମେ ସେ ଚନ୍ଦ୍ରଭାଗା ନଦୀ କୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବ ଦଶମୀ) ତିଥିରେ ମର୍ତ୍ତ୍ୟ ଲୋକରେ ସୂର୍ଯ୍ୟ ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ । 


    ଏହାପରେ ସୂର୍ଯ୍ୟ ଦେବଙ୍କ ଆଦେଶକ୍ରମେ ଶାକ ଦ୍ୱୀପରୁ ମଗ ବ୍ରାହ୍ମଣଙ୍କୁ ଅଣାଇ ଶାମ୍ବ ସୂର୍ଯ୍ୟ ନାରାୟଣଙ୍କୁ ସନ୍ତୁଷ୍ଟ କରାଇଥିଲେ । ସେହି କାଳରୁ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ବ୍ରତ ପାଳନ ଏବଂ ପୂଜାର ପ୍ରଚଳନ ରହିଛି । ଗ୍ରହ ଜାଗ ସଂସ୍କାରରେ ଗ୍ରନ୍ଥରେ ଉଲ୍ଲେଖଂ ଅଛି "ଜାତଂ ସୂର୍ଯ୍ୟ କଳିଙ୍ଗେଷୁ' । ଅର୍ଥାତ୍‌ ସୂର୍ଯ୍ୟଙ୍କର ଜନ୍ମସ୍ଥାନ କଳିଙ୍ଗ ଦେଶ । କୋଣାର୍କ ସମେତ ଖିଚିଙ୍ଗର ସୂର୍ଯ୍ୟ ମନ୍ଦିର, ଗଞ୍ଜାମର ବୁଗୁଡ଼ା, ଭଦ୍ରକର ପାଳିଆ ଏବଂ ଖୋର୍ଦ୍ଧାର ବିରଞ୍ôଚ ନାରାୟଣ ମନ୍ଦିର ଓଡ଼ିଶାର ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଗୁଡ଼ିକ ମଧ୍ୟରୁ ଅନ୍ୟତମ । ଶାମ୍ବ ଦଶମୀରେ ଓଡ଼ିଶାର ଘରେ ଘରେ ସୂର୍ଯ୍ୟ ପୂଜା ହୋଇଥାଏ । ବିଶେଷ କରି ଉପକୂଳ ଓଡ଼ିଶାରେ ଏହି ପର୍ବର ଲୋକପ୍ରିୟତା ଅଧିକ । ପ୍ରତ୍ୟୁଷରୁ ଘରର ମହିଳାମାନେ ଉଠି ସୂର୍ଯ୍ୟ ପୂଜା କରିଥାନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଗୋଟିଏ ଲେଖାଏଁ ବ୍ୟଞ୍ଜନ ବଢ଼ାଯାଇ ପ୍ରଥମେ ସୂର୍ଯ୍ୟଙ୍କ ପାଖରେ ଭୋଗ ଲଗାଯାଇଥାଏ । 

ମୋ : ୯୯୩୭୬୫୮୩୬୨