ପୁରୁଣା ଶଗଡ଼ଗୁଳାର କରାମତି 

ପୁରୁଣା ଶଗଡ଼ଗୁଳାର କରାମତି 

ହରେକୃଷ୍ଣ ପଣ୍ଡା : ଓଡିଶା ରାଜନୀତିରେ ଜନତା ସବୁବେଳେ ପରିବର୍ତ୍ତନର ଆଶାପୋଷଣ କରିଥାଆନ୍ତି । କିନ୍ତୁ ଓଡିଶାର ଶାସନ ନିୟମିତ ଗୋଟିଏ ଶଗଡ ଗୁଳାରେ ଚାଲିଆସିଛି । ବିଭିନ୍ନ ଦଳୀୟ ସରକାର ଆଦର୍ଶ ଓ ସ୍ୱଚ୍ଛତାକୁ ଅଣଦେଖା କରି ପ୍ରତି ସରକାର ଶାସନ କ୍ଷେତ୍ରରେ ପରିବର୍ତ୍ତନ ଓ ସଂସ୍କାର ପାଇଁ ମନ ବଳାଇଛନ୍ତି । ତାହା ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରିନାହିଁ । କାରଣ ପୁରୁଣା ଶଗଡ ଗୁଳାରେ ଶଗଡ ଚକ ସୁରୁଖୁରରେ ଚାଲେ ବୋଲି ,ଶାସନ ମଧ୍ୟ ସେହି ନୀତି ଅନୁସରଣ କରିଥାଏ । ୨୦୨୪ ମସିହାରେ ବିଜେପି ନୂତନ ସରକାର ଗଠନ କରିବା ପରେ ଓଡିଶା ରାଜନୀତିରେ ଏକ ଘଡିସନ୍ଧି ସମୟ ଉପନୀତ ହେଲା । ଏ ସରକାର ଯଦି ଚାହିଁ ନଥାଆନ୍ତେ ଅମଲାତନ୍ତ୍ରର ପରିବର୍ତ୍ତନ କରିବା, ଦୁର୍ନୀତିକୁ ସହ୍ୟ ନକରିବା,ବିଭିନ୍ନ ପୁରୁଣା ଆଇନର ପରିବର୍ତ୍ତନ ନକରିବା, ଶାସନ କ୍ଷେତ୍ରରେ ସଂସ୍କାର ନଆଣିବା, ତେବେ ପୁରୁଣା ଶଗଡ ଗୁଳାରେ ବେଶ ସୁରୁଖୁରରେ ଶାସନଟି ଚାଲି ପାରିଥାଆନ୍ତା । ସମ୍ପ୍ରତି ଦେଖା ଯାଉଛି  ସରକାରଙ୍କୁ  ଚାରିଆଡୁ ଘୋର ବିରୋଧ କରାଯାଉଛି ।

      ବିଜେପିକୁ ଓଡିଶାରେ ଯେଉଁମାନେ  ସମ୍ବାଦ ପତ୍ରରେ ଟେଲିଭିଜନରେ ,ସୋସିଆଲ ମିଡିଆରେ ବିରୋଧ କରୁଛନ୍ତି ସେମାନେ ଅତୀତ ଶାସକ ଦଳର ଲୋକ ବା ସମର୍ଥକ । ଦୀର୍ଘ ୨୫ ବର୍ଷ ଶାସନରେ ଏମାନେ ଯେ ବହୁଳ ଭାବେ ଉପକୃତ ନ ହୋଇଛନ୍ତି ତା ନୁହେଁ । ସମଗ୍ର ରାଜକୋଷର ସିଂହ ଭାଗ ଅର୍ଥ ଏମାନଙ୍କ ପକେଟକୁ ଯାଇଥିବ ନିଶ୍ଚୟ । ବହୁ ଦିନ ଶାସନପରେ ଶାସକ ଚାହେଁ ସରକାର ନିଜର ସ୍ଥାୟିତ୍ୱକୁ ବଜାୟ ରଖିବା । ସେଥିପାଇଁ ଗତ ୨୫ ବର୍ଷର ଶାସକ ଏକଛତ୍ରବାଦୀ ହୋଇ ପ୍ରଥମେ ଗଣତନ୍ତ୍ରର ଶ୍ୱାସରୋଧ କଲେ । ସାମ୍ବାଦିକମାନେ କୈଣସି ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ସଚିବାଳୟ ସହଜରେ ଯାଇ ପାରିବେନାହିଁ । ଶିକ୍ଷାନୁଷ୍ଠାନରେ କୈଣସି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇ ପାରିବ ନାହିଁ । ଆରଟିଆଇ ଆକ୍ଟକୁ ସମସ୍ତେ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ ବହୁ ସାମାଜିକ କର୍ମୀଙ୍କୁ ହତ୍ୟା କରାଯିବାର ଅଭିଯୋଗ ଆସିଲା । ସରକାରଙ୍କ ଦୁର୍ନୀତି ସମ୍ପର୍କରେ ପ୍ରଘଟ କରୁଥିବା ନାଗରିକଙ୍କୁ ମିଥ୍ୟା ପୋଲିସ କେସରେ ଫସାଇ ଦିଆଗଲା । ଯୋଜନା, ଉନ୍ନୟନ, ଶିକ୍ଷାନୁଷ୍ଠାନ ନିର୍ମାଣ ଅର୍ଥ ବ୍ୟାପକ ଭାବେ ବାଟ ମାରଣା କରାଗଲା । ଭୟରେ କେହି ପାଟି ଫିଟାଇଲେ ନାହିଁ । ଯାବତୀୟ ଅଭିଯୋଗ ଗୁଡିକୁ ଅକାମୀ କରାଗଲା । ଦୀର୍ଘ ୨୫ ବର୍ଷରେ ଯେତେ ଅର୍ଥ ଆସିଲା ସେଥିରେ ଉନ୍ନତି ହୋଇଛି ସତ, ତାହା ସ୍ଥାୟୀ ନୁହେଁ କିନ୍ତୁୁ ରାଜକୋଷକୁ, ଗରିବ ଜନତାଙ୍କ ଟିକସକୁ ଅପବ୍ୟୟ କରିବା, ନିଜର ସମ୍ପତ୍ତି ବୋଲି ଅଧିକାର ସାବ୍ୟସ୍ତ କରି ଅଣସାମ୍ବିଧାନିକ କିମ୍ଭୁତକିମାକାର ଅର୍ଥନୀତିଟିଏ ସୃଷ୍ଟି କରିବା କଣ ତାଙ୍କର ମାନବିକ ଧର୍ମ ଥିଲା ? ଏଇଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜନତା ଏବଂ ସଚେତନ ନାଗରିକ ସରକାର ପରିବର୍ତନ କରନ୍ତେ ନାହିଁ କଣ ଆଉ ବରଦାସ୍ତ କରିବା ପାଇଁ ବାଟ ଛାଡିଥାଆନ୍ତେ ? ୨୦୨୪ରେ ନିର୍ବାଚନ ଆସିଲା ଲୋକେ ବିପୁଳ ଭୋଟ ଦେଲେ ବିଜେପିକୁ । ଏଥିରେ ଇଲୋକ୍ରେ୍ଟାନିକ ଭୋଟବାକ୍ସର କି ଦୋଷ ? ନୂତନ ସରକାର ଓଡିଶାରେ ଗଠନ ହେଲା । ଯେଉଁମାନେ ଗତ ସରକାରଙ୍କ ଅମଳରେ ଥିଲେ ଅଭିଜ୍ଞ ସେମାନେ ସେ ସରକାରଙ୍କ ବିରୋଧରେ ଅତିଷ୍ଠ ହୋଇ  ଶାସକ ଦଳକୁ ଆସିଲେ ।  

 

         ସେମାନଙ୍କୁ ନେଇ ସରକାର ଗଠନ କରିବା ଅବଶ୍ୟ ସହଜ ହେଲା । କିନ୍ତୁ ଦେଖାଗଲା ରାଷ୍ଟ୍ରର ପ୍ରଧାନ ମନ୍ତ୍ରୀ ଓ ରାଜ୍ୟରେ ଯାହାକୁ କରାଯାଇଥିଲା ମୁଖ୍ୟମନ୍ତ୍ରୀ ଉଭୟ ସମମାନସିକତାର ପରିଚାୟକ । ମୂଳ କଥା ହେଲା ସେମାନେ ସ୍ୱଚ୍ଛତାକୁ ମୂଳମନ୍ତ୍ର କରି ସବୁ ପ୍ରକାର ସ୍ୱାର୍ଥକୁ ଶାସନ କ୍ଷେତ୍ରରୁ ହଟାଇବା । ଏହା ଅବଶ୍ୟ କଷ୍ଟଦାୟକ । ସଚେତନ ନାଗରିକ ତାଙ୍କ କଥା ବୁଝୁଛନ୍ତି । ସେମାନେ ଏଭଳି ଏକ ଘଡିସନ୍ଧି ସମୟର ସମ୍ମୁଖୀନ ହୋଇଛନ୍ତି ଯେ ସେଥିରୁ ଉଦ୍ଧାର ପାଇବା ପାଇଁ ବହୁ ସଂଗ୍ରାମ କରିବାର ସାମର୍ଥ୍ୟ ହାସଲ କରିବା ଆବଶ୍ୟକ । ଜଣେ ଲେଖକ କହିଥିଲେ-  ପୁରୁଣା ଶଗଡ ଗୁଳାରୁ ଯେତେବେଳେ ଶଗଡ ଚକଟି  ଗୁଳା ଭାଙ୍ଗି ଆଉ ଗୋଟିଏ ଗୁଳା କରିବାକୁ ଉଠିଆସେ , ସେତେବେଳେ ପୁରୁଣା ଅଭ୍ୟାସ, ରୀତି,ନୀତି ପ୍ରବଳ ବେଗରେ ମାଡି ଆସନ୍ତି ତାକୁ ନଉଠାଇଦେବାକୁ । ବେଳେ ବେଳେ ସେମାନେ ବାତ୍ୟା ମଧ୍ୟ ସୃଷ୍ଟି କରିବାକୁ ପଛାନ୍ତି ନାହିଁ । ସେହିଭଳି ବାଧା ବିପତ୍ତିରୁ ଉଦ୍ଧାର ପାଇବା ପାଇଁ ଯଦି ଶାସକ ଦଳ ସମାନ ବଳ ନେଇ ସଂଗ୍ରାମ କରି ନପାରେ ତେବେ ସେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ । ଏଇଭଳି ଏକ ପରିସ୍ଥିତିରେ ଓଡିଶାର ନୂତନ ସରକାର ହରଡଘଣାରେ ପଡି ଯାଇଛନ୍ତି । ଗୋଟିଏ ୨୫ ବର୍ଷର ଶାସନ କ୍ଷମତାକୁ  ଗୋଟିଏ ବର୍ଷରେ ପରାହତ କରା ଯାଇ ନପାରେ । ନୂତନ ସରକାର ଏଭଳି ଚିନ୍ତାଧାରା ମନକୁ ଆଣିବା ବୋକାମୀ ହୋଇଯିବ । ତାହା ସମ୍ଭବ ହୁଅନ୍ତା ଯଦି ମୂଳରୁ ଅଗ ଯାଏ ସମସ୍ତଙ୍କର ମାନସିକତା ଏକ ହୁଅନ୍ତା । ଏହା ବି କିପରି ସମ୍ଭବ ହେବ? ଆଗକୁ ବିଜେପି ପାଇଁ ଆହୁରି ବିପଦ ମାଡି ଆସୁଛି । ପୁର୍ବ ସରକାରୀ ଦଳ ଯେତେବେଳେ କ୍ଷମତାରୁ ଯାଏ ସେ ସମସ୍ତ କର୍ମୀ ବା ସମର୍ଥକଙ୍କୁ ନିଜ ଅକ୍ତିଆରରେ ରଖି ପାରେନା । ବହୁ କର୍ମୀ ମଧ୍ୟ ଏହି ଦଳକୁ ଝାମ୍ପ ମାରୁଛନ୍ତି ।  ବର୍ତ୍ତମାନର ସରକାରୀ ଦଳ ଲୋଭ ସମ୍ଭରଣ କରି ନପାରି କିପରି ପୂର୍ବ ଦଳକୁ କ୍ଷତ ବିକ୍ଷତ କରି ନିଜ ଦଳକୁ ବୃହତ ଦଳରେ ପରିଣତ କରିବ ସେଥିପାଇଁ କଳକୈ।ଶଳ ଅବଲମ୍ବନ କରିଥାଏ । ଏହା ବୃଥା ପ୍ରୟାସ । ଏଭଳି ଚିନ୍ତା ଶାସକଙ୍କୁ ପ୍ରକୃତ ଲକ୍ଷ୍ୟ ପଥରୁ ଅଥବା ନୂତନ ଓଡିଶା ଗଠନ କରିବା ଉଦ୍ଦେଶ୍ୟରୁ ବିଚ୍ୟୁତ କରିଦେବ । ସେହି ଦାଗୀ ଦୁର୍ନୀତିଗ୍ରସ୍ତ କର୍ମୀଙ୍କ ଆବଶ୍ୟକତା ପୂରଣ କରି ନପାରିଲେ ସେହିମାନେ ହିଁ ଶାସକ ଦଳର ପ୍ରଥମ ବିରୋଧୀ ହୋଇଯିବେ । ଏକଥା ପ୍ରତି ସଚେତନ ହେବା ନିହାତି ଜରୁରି । ବିଜ୍ଞାପନ ମାଧ୍ୟମରେ ନୁହେଁ , ବରଂ କର୍ମ କରି ଲୋକଙ୍କ ଅନୁଭୂତିକୁ ଶାଣିତ କରିପାରିଲେ ଶାସକ ଲୋକଙ୍କର ହୋଇ ପାରିବ । ବିଜେପି ସରକାର ଏଭଳି ସଚେତନ ନହେଲେ ସେ ଲକ୍ଷ୍ୟ ପଥରେ ପହଁଚି ପାରିବ ନାହିଁ ।  

 

        ଓଡିଶାର  ଜନସାଧାରଣ  ପୁରୁଣା କଥାକୁ ଅତି ସହଜରେ ଭୁଲି ଯାଆନ୍ତି ।  ସେମାନେ ସେତେ ପ୍ରତିଶୋଧ ପରାୟଣ ନୁହଁନ୍ତି । ଅଧିକାଂଶ ଭାବନ୍ତି ମୁଁ ନିଜେ ଭଲ ତ ଦୁନିଆଁ ଭଲ । ତା ନହୋଇଥିଲେ ସେମାନେ ଗୋଟିଏ ସରକାରକୁ ୨୫ ବର୍ଷ ଶାସନ ଗାଦିରେ ବସାଇ ଥାଆନ୍ତେ ? ଜନସାଧାରଣ ଯେତେ ସରଳ, ବୋକା ହେବେ ତାହା ଯୁଗ ଯୁଗ ଧରି ଶାସକମାନଙ୍କୁ ଏକଛତ୍ରବାଦୀ ହେବାକୁ ସୁଯୋଗ ଦେବେ । ଭାରତ ଏକ ସଂଘୀୟ ଗଣତନ୍ତ୍ର ଦେଶ ଏଠାରେ ବହୁ ଦଳକୁ ଶାସନ କରିବାକୁ ସୁଯୋଗ ମିଳିଥାଏ । କେହି କେବେ କହେ ନାହିଁ ଏହି ଦଳ ନିଃଶେଷ ହୋଇ ଯାଉ । ଅତୀତର କଥା ମନେପକାଇଲେ ଜାଣି ହୁଏ ଯେ  ୧୯୭୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଆରଏସଏସ ନାମକ ଏକ ସଂଗଠନକୁ ସାରା ଭାରତ ବର୍ଷରେ ଗୋଡେଇ ଗୋଡେଇ ଅନ୍ୟ କେତୋଟି ଦଳ ପିଟୁଥିଲେ । ତାଙ୍କ ପ୍ରତି ପୋଲିସ ମଧ୍ୟ ଅତ୍ୟାଚାର କରୁଥିଲା । ଭୟରେ ବହୁ ଶିକ୍ଷିତ ଅଧ୍ୟାପକ, ପ୍ରଫେସର, ବିଜ୍ଞାନୀ, ଛାତ୍ର ନେତା, ଅଧିକାଂଶ ଗ୍ରାମର ନାଗରିକ ଏଣେ ତେଣେ ଲୁଚୁଥିଲେ । ତଥାପି ସେମାନେ ସେମାନଙ୍କ ଲକ୍ଷ୍ୟରୁ ଓହରୁନଥିଲେ । ଅତୀତରେ  ଆରଏସଏସ ମାନଙ୍କୁ ବହୁ ଅତ୍ୟାଚାର ସହିବାକୁ ପଡିଥିଲା । ଏପରିକି ଇଂରେଜ, ମୋଗଲ ମାନଙ୍କଠାରୁ ଅଧିକ । କାହିଁକି ? ସେମାନେତ ଏହି ଦେଶର ନାଗରିକ । ସେମାନେ ତ କହୁଥିଲେ ଦେଶଭକ୍ତି କଥା । ସେମାନଙ୍କୁ କାହିଁକି ଏତେ ଘୃଣା କରାଯାଉଥିଲା ।  ସମୟ ଆସିଲା ସେହିମାନଙ୍କୁ ଖୋଜା ଚାଲିଛି ଦେଶର ଶାସନ ଭାର ନେବାକୁ । କିନ୍ତୁ ସେମାନଙ୍କ ସଂଖ୍ୟା ଆଉ ପୂର୍ବ ଭଳି ନାହିଁ । ଦେଖନ୍ତୁ ରାଜନୀତିର ଏ କି ଗତି? ଆହୁରି ଆଶ୍ଚର୍ଯ୍ୟର କଥା ହିନ୍ଦୁ ମାନଙ୍କ ନାମ ନେଇ  କେତେକ ରାଜ୍ୟର ସରକାର ଏବେ ସର୍ବସ୍ୱାନ୍ତ ।  ଆମ ରାଜ୍ୟରେ ସରକାର ଯିଏ ବି ହୁଅନ୍ତୁ ସେମାନେ ପ୍ରକୃତରେ ଲୋକଙ୍କ ପାଇଁ କାମ କଲେ, କଥା ଓ କାମ ଏକ ହେଲେ ଯେତେ ଦୁର୍ଦ୍ଦିନରେ ପଡନ୍ତୁ ନା କାହିଁକି ତାଙ୍କୁ ଜନତାମାନେ ହିଁ ଉପରକୁ ଉଠାଇନେବେ । ଓଡିଶା ରାଜନୀତିରେ ଏଭଳି ଦେଖା ଦେଇଛି । ଏବେ ଓଡିଶା ରାଜନୀତିରେ ଯେଉଁ ଘନଘଟା ଲାଗିଛି ତାହା ସରକାର ଓ ବିରୋଧୀ ଶକ୍ତିଙ୍କ ମଧ୍ୟରେ । ଜନତା ଦେଖୁଛନ୍ତି । ସେମାନେ ଏହି ନୂତନ ସରକାରଙ୍କୁ ବିରୋଧ କରୁ ନାହାନ୍ତି । ସେମାନେ ଶାସନର ସ୍ୱାଦ ନଚାଖିଲା ଯାଏଁ କିଛି କହିବେ ନାହିଁ । କିନ୍ତୁ ଯୁଗେ ଯୁଗେ  ସ୍ୱଚ୍ଛତା, ତୋଷାମଦି,ସଂକୀର୍ଣ୍ଣ ସ୍ୱାର୍ଥ  ବିରୋଧରେ ଜନତାଙ୍କ ସ୍ୱର ଉଠେ । ସେହି ସ୍ୱରକୁ ସରକାର ଯଦି ନିଜର ସ୍ୱର ବୋଲି ଭାବି ଶାସନ କରିବେ ଏବଂ ଗୋପବନ୍ଧୁଙ୍କ ସେହି ପୁରୁଣା ଉକ୍ତିକୁ ମନେ ପକାଇବେ - “ମିଶୁ ମୋର ଦେହ ଏ ଦେଶ ମାଟିରେ , ଦେଶବାସୀ ଚାଲି ଯାଆନ୍ତୁ ପିଠିରେ” , ତେବେ ଧର୍ମର ଜୟ ହେବ । 
  
 ସା,ପୋ- ସୟଦପୁର, ଜି- ଯାଜପୁର
 ମୋ:୯୪୩୭୩୧୫୬୨୩