ପୂଜା ଆଢୁଆଳରେ ଚାଲିଛି ଜୁଆ ଆଡ୍ଡା

ଉମରକୋଟ : ଆଦିବାସୀ ଅଧୁ୍ୟଷିତ ନବରଙ୍ଗପୁର ଜିଲ୍ଲା ଏବେ ପାଲଟିଛି ଜୁଆରିଙ୍କ ଆଡ୍ଡା ସ୍ଥଳୀ । ଜିଲ୍ଲାର ବିଶେଷ କରି ରାଇଘର, ଉମରକୋଟ, ଡାବୁଗାଁ ଓ କୋଷଗୁମୁଡା ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟ, ଯାନୀ ଯାତ୍ରା, ଶିବରାତ୍ରି ଓ ମଣ୍ଡେଇରେ ଖୁଡଖୁଡି ପାଲି ଖେଳ ଜୋରସୋରରେ ଚାଲିଛି । ଏହି ଖେଳ ଯଦିଓ ଛୋଟ ଦେଖାଯାଏ କିନ୍ତୁ ପ୍ରତି ଖେଳରେ ଲକ୍ଷାଧିକ ଟଙ୍କାର ଖେଳ ହୁଏ । ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଖୁଡଖୁଡି ଖେଳ ଚଳାଉଥିବା ଟିମ୍ ସହ ହାତ ମିଶାଇ ଖେଳ କରନ୍ତି । ସାପ୍ତାହିକ ହାଟରେ ଖେଳ ହେଲେ ଗ୍ରାମ କମିଟିକୁ ଚାନ୍ଦା ଓ ଯାନୀ ଯାତ୍ରା, ମଣ୍ଡେଇରେ ଖେଳ ହେଲେ ରାତିରେ ଆଦିବାସୀ ନାଟ କରିବା ସହ କିଛି ଚାନ୍ଦା ଟଙ୍କା ଆକାରରେ ଦିଅନ୍ତି । ଗୋଟିଏ ପ୍ରକାର କହିବାକୁ ଗଲେ ଗ୍ରାମ ପୂଜା ଆଢୁଆଳରେ ଜୁଆ ଖେଳକୁ ପ୍ରଶୟ ଦିଆଯାଏ । ଏହି ଖୁଡଖୁଡି ଖେଳ ଯୋଗୁଁ ହାଟ ବଜାର ଓ ଯାତ୍ରା ଦେଖୁବାକୁ ଆସୁଥିବା ଲୋକ ସର୍ବସ୍ୱାନ୍ତ ହୋଇଯାନ୍ତି । ଏପରିକି ବଜାରକୁ ପରିବା କିଣିବାକୁ ଆସିଥିବା ଲୋକ ମଧ୍ୟ୍ୟ ଜୁଆରେ ସବୁ ଟଙ୍କା ହାରି ଖାଲି ବ୍ୟାଗ ଧରି ଘରକୁ ଫେରିବା ଅନେକ ଉଦାହରଣ ଦେଖିବାକୁ ମିଳେ । ଏତେ ମାରାତ୍ମକ ଏହି ଖେଳ ନିଶା ଠୁ ମଧ୍ୟ ଅଧିକ ଆକର୍ଷିତ କରେ ।  ସାର୍ବଜନୀନ ସ୍ଥାନରେ ଜୁଆ ଖେଳିବା ଓ ଖେଳେଇବା ନିଷେଧ ଥିଲେ ମଧ୍ୟ ପୋଲିସ ପ୍ରଶାସନର ଏହି ମାନଙ୍କ ଉପରେ ନିୟନ୍ତ୍ରଣ ନାହିଁ । ଖୁଲମଖୁଲ୍ଲା ଖେଳ ଖେଳାଯାଉଛି । ଧର୍ମକୁ ଆଖି ଠାର ଭଳି ପୋଲିସ ରେଡ୍ କରି ଖୁଡଖୁଡି ଖେଳ ସାମଗ୍ରୀ ଜବତ କରି କିଛି ଲୋକଙ୍କୁ ଥାନାକୁ ଆଣି ଛାଡି ଦେଉଛି । ଫଳରେ ପୋଲିସ ଚଢ଼ାଉକୁ ଭୟ କରୁନାହାଁନ୍ତି । କିଛି ଥାନାରେ ପ୍ରତି ଖେଳକୁ ରେଟ୍ ଫିକ୍ସ ରହିଛି, ଥାନା ବାବୁଙ୍କୁ ଚାନ୍ଦା ମିଳିଯାଉଥିବା ଯୋଗୁଁ ଆଦୌ ଚଢ଼ାଉ କରୁ ନାହାନ୍ତି କିମ୍ବା ଚଢ଼ାଉ ପୂର୍ବରୁ ଖୁଡଖୁଡି ବାଲାଙ୍କୁ ଆଗୁଆ ସୂଚନା ଦେଇ ଦେଉଛନ୍ତି । ଏପରିକି କିଛି ସ୍ଥାନରେ ପୋଲିସ ଯଦି ଅତର୍କିତ ଚଢ଼ାଉ କରୁଛି ତେବେ ଖୁଡଖୁଡି ଟିମ୍ ଓ ପୂଜା କମିଟିର ଆକ୍ରଶର ଶିକାର ହୋଇ ମାଡ଼ ଖାଇବାକୁ ପଡୁଛି । ଖୁଡଖୁଡି ଖେଳ ସ୍ଥାନରେ ଏକ ଅଲିଖିତ ନିୟମ ରହିଛି । କୌଣସି ବ୍ୟକ୍ତି ମୋବାଇଲରେ ଫୋଟ ଭିଡିଓ କରିବା ମନା । ଯଦି କେହି ଏହାର ଖିଲାପ କରି ଫୋଟ ଭିଡିଓ କରିବାକୁ ଚେଷ୍ଟା କରେ ତେବେ ଖୁଡଖୁଡି ଟିମ୍ ଓ ପୂଜା କମିଟିର ସଙ୍ଘବଦ୍ଧ ଆକ୍ରମଣର ଶିକାର ହେବା ସମ୍ଭାବନା ଅଧିକା ରହୁଛି । ନଚେତ ଟଙ୍କା ମାଗୁଥିଲା ତେଣୁ ଆମେ ଆକ୍ରମଣ କଲୁ ବୋଲି ବାହାଦୁରି ମାରନ୍ତି । ଏପରି କ୍ଷେତ୍ରରେ ଏହି ଜୁଆକୁ ରକିବାକୁ ବିଭିନ୍ନ ମହଲରୁ ସ୍ୱର ଉଠିଲେ ମଧ୍ୟ ଚାପି ଦିଆଯାଉଛି । ଜିଲ୍ଲା ପ୍ରଶାସନ ସାପ୍ତାହିକ ହାଟ, ପୂଜା ପାର୍ବଣ ଓ ମଣ୍ଡେଇ ଗୁଡିକରେ ଖୁଡଖୁଡିକୁ ନିୟନ୍ତ୍ରଣ ନ କରେ ତେବେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ବିଗିଡି ଯିବ ଖୁଡଖୁଡି ଖେଳ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯିବ ।