ମହିଳା ମାଓବାଦୀ ନିପାତ

ମାଲକାନଗିରି: ତେଲେଙ୍ଗାନା ଭଦ୍ରାଦ୍ରୀ କୋତ୍ତାଗୁଡେମ ଜିଲ୍ଲାର ଏସପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ୧୪ ହାର୍ଡକୋର ମାଓବାଦୀ  । ସେହିପରି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଜଣେ ମହିଳା ମାଓବାଦୀ ନିପାତ ହୋଇଛନ୍ତି  ।
ଆତ୍ମସମର୍ପଣ କରିଥିବା ୧୪ ହାର୍ଡ଼କୋର ମାଓବାଦୀଙ୍କ ମଧ୍ୟରୁ ୧୩ ଜଣ ଛତିଶଗଡ ବିଜାପୁର ଜିଲ୍ଲାରୁ ହୋଇଥିବା ବେଳେ ଜଣେ ତେଲେଙ୍ଗାନା ଭଦ୍ରାଦ୍ରୀ କୋତ୍ତାଗୁଡେମ ଜିଲ୍ଲାର ରହିଛନ୍ତି  । ଡିଭିସିଏମ ମେମ୍ବର ସୋଡି ବୁଦ୍ରା ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ବେଶ କିଛି ବର୍ଷ ଧରି ସକ୍ରିୟ ରହିଥିଲେ  । ସେହିପରି ମହିଳା ମାଓବାଦୀ ତଥା ଏସିଏମ ମେମ୍ବର କଲମା ଆନ୍ଧ୍ର ପ୍ରଦେଶର ଭେଙ୍କଟପୁରମ ଅଞ୍ଚଳରେ ସକ୍ରିୟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଛି ବିଜାପୁର ଓ କିଛି ବସ୍ତର ଅଞ୍ଚଳରେ ସକ୍ରିୟ ରହିଥିଲେ  । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ମାଓ ସଙ୍ଗଠନରେ ଧରିଥିବା ବନ୍ଧୁକ ତେଲେଙ୍ଗାନା ପୋଲିସ ନିକଟରେ ହସ୍ତାନ୍ତର କରିଛନ୍ତି ।  
ଅପରପକ୍ଷରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଦକ୍ଷିଣ ପଶ୍ଚିମ ସୀମାବର୍ତ୍ତୀ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି  । ଯବାନଙ୍କ ଏନକାଉଣ୍ଟର ବେଳେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି  । ଡିଆରଜି, ଏସଟିଏଫ ଏବଂ ସିଆରପିଏଫର କୋବ୍ରା ଯବାନଙ୍କ ପକ୍ଷରୁ ମାଓ ଦମନ ଅପରେସନ ଚାଲିଥିବା ବେଳେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଛି  । ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଘଟଣାରେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ । ତେଣୁ ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗୋଟିଏ ପଟେ ଅପରେସନ ଜୋରଦାର ଚାଲିଥିବା ବେଳେ ଗତ ଚାରି ମାସ ମଧ୍ୟରେ ୧୨୯ ଜଣ ହାର୍ଡକୋର ମାଓବାଦୀ ନିହତ ହେଲେଣି  ।  ମାଓଦୁର୍ଗ ଭୁଷୁଡ଼ି ପଡୁଥିବାରୁ ମାଓବାଦୀମାନେ ରକ୍ତମୁଖା ହୋଇଯାଇଛନ୍ତି  । ପୋଲିସ ସୂଚନାଦାତା ସନେ୍ଦହରେ ଜଣେ ନାୟବ ସରପଞ୍ଚଙ୍କୁ ହତ୍ୟା କରି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି  । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ତାର୍ଲବେଡା ପଞ୍ଚାୟତରେ ପୋଲିସ ସୂଚନାଦାତା ସନେ୍ଦହରେ ନାୟବ ସରପଞ୍ଚ ମୁଚାକି ରାମାଙ୍କୁ ଘରୁ ଉଠାଇ ନେଇ ଗଳା କାଟି ହତ୍ୟା କରିଛନ୍ତି  । କିଛି ସଶସ୍ତ୍ର ମାଓବାଦୀ ଗ୍ରାମକୁ ଆସି ମୁଚାକିଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ ମାରିବା ପରେ ଗ୍ରାମ ନିକଟରେ ତାଙ୍କୁ ହତ୍ୟା କରି ତାଙ୍କ ମରଶରୀର ଫିଙ୍ଗି ଚାଲି ଯାଇଥିଲେ  । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବାବେଳେ ଖବର ପାଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଅଞ୍ଚଳରେ ମାଓ ଦମନ ଅପରେସନକୁ ଜୋରଦାର କରାଯାଇଛି  ।