ପୂର୍ବତନ ହୋମଗାଡର୍ଙ୍କ ସଂଗୀନ ଅଭିଯୋଗ ‘ଟଙ୍କା ଦିଅ, ହୋମଗାଡର଼୍ ହୁଅ’
ଭୁବନେଶ୍ୱର : ଦିନ ଥିଲା ହୋମଗାଡର଼୍ ଚାକିରୀ ପ୍ରତି ଯୁବପୀଢ଼ିଙ୍କର ସେତେ ଆଗ୍ରହ ନଥିଲା । ବଡ଼ ବଡ଼ ପୁଲିସ କିମ୍ବା ନେତାଙ୍କ ସୁପାରିଶରେ ଅନେକ ଅନାୟସରେ ଏହି ଚାକିରୀ ପାଇପାରୁଥିଲେ । ଏବେ କିନ୍ତୁ ହୋମଗାଡର଼୍ ଚାକିରୀର ଭାଉ ବଢ଼ିଯାଇଛି । ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ମାଣିଆ ନଦେଲେ ଚାକିରୀ ହେବାର ଚାନ୍ସ ବି ନାହିଁ । କନଷ୍ଟେବଳ ନିଯୁକ୍ତିରେ ହୋମଗାଡର଼୍ଙ୍କ ପାଇଁ ସଂରକ୍ଷଣ ରହିଥିବାରୁ ଏହାର ଚାହିଦା ବଢ଼ିଯାଇଛି । ସେଇ ମଉକାରେ ବଡ଼ ବଡ଼ିଆ ପୁଲିସ୍ ବାବୁମାନେ ହାତ ଚିକ୍କଣ କରିବାରେ ହେଳା କରିନାହାନ୍ତି ।
ଆଜ୍ଞା ଏହା କୌଣସି ମନଗଢ଼ା କଥା ନୁହେଁ କି ଉଡ଼ା ଖବର ବି ନୁହେଁ । କମିଶନରେଟ ପୁଲିସରେ ଚାକିରୀ କରିଥିବା କେତେକ ପୂର୍ବତନ ହୋମଗାଡର଼୍ ଏହି ମର୍ମରେ ହୋମଗାଡର଼୍ କମାଣ୍ଡାଣ୍ଟ ତଥା ଡିସିପିଙ୍କୁ ଫେରାଦ୍ ବି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ୧୬ ଓ ଗତ ୨୧ରେ ହୋମଗାଡର଼୍ ଚାକିରୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ବିଭାଗ ପକ୍ଷରୁ କମିଶନରେଟ୍ ପୁଲିସର ଦାୟିତ୍ୱରେ ଥିଲେ ହାବିଲଦାର ଅଭୟ କୁମାର ମଲ୍ଲିକ ଓ ବିଭୁ ପ୍ରସାଦ ପ୍ରଧାନ। ସେମାନଙ୍କ ନାମରେ ହିଁ ପୂର୍ବତନ ହୋମଗାଡର଼୍ମାନେ ଅଭିଯୋଗ ଆଣିଛନ୍ତି । ଦୁଇ ପୁଲିସ୍ ଗତ ୫ ବର୍ଷ ଧରି ଡିସିପି ଅଫିସରେ ଗାଦି ମାଡ଼ି ବସିଥିବା ଜାଣିବାକୁ ମିଳିଛି ।
- କୋଟି କୋଟିର କେଳେଙ୍କାରୀ
- କି ଆକ୍ସନ ନେବେ ସିପି ଓ ଡିସିପି?
ଏହି ଦୁଇ ଅଧିକାରୀ ଡିଟିପି ଅପରେଟର (କମ୍ପ୍ୟୁଟର), ଡ୍ରାଇଭର, ୱାସରମ୍ୟାନ, ବାରବର ଭଳି ପଦବୀ ପାଇଁ ଥିବା ନିଯୁକ୍ତି ପ୍ରକ୍ରିୟା ଦାୟିତ୍ୱରେ ରହିଥିଲେ । ତେବେ ସେମାନେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ୨ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥିବା ନେଇ ଅଭିଯୋଗ ହୋଇଛି । ପୁଣି ଖୋଦ୍ ସିପି ଓ ଡିସିପିଙ୍କୁ ପତ୍ର ମାଧ୍ୟମରେ ସେମାନେ ଅବଗତ କରିଛନ୍ତି । ଏମିତିକି ଏହି ଟଙ୍କା ପୁଲିସ୍ ସିପି, ଡିସିପି-ହୋମଗାଡର଼୍ କମାଣ୍ଡାଣ୍ଟ ଭାଗ ନେଉଛନ୍ତି ବୋଲି ଅଭୟ ଓ ବିଭୁ କହିଥିବା ନେଇ ଅଭିଯୋଗ ହୋଇଛି ।
୨୦୨୦ରୁ ଏହି ପଦବୀରେ ନିଯୁକ୍ତି ଉପରେ ରୋକ ଲାଗିଥିଲା । କିନ୍ତୁ ଏବେ ନିଯୁକ୍ତି ପାଇଁ ସରକାର ନିଷ୍ପତ୍ତି ନେବା ପରେ ଦୁଇ ଅଧିକାରୀ ଫାଇଦା ନେଇଛନ୍ତି ବୋଲି ପୂର୍ବତନ ହୋମଗାଡର଼୍ ସଂଜୟ ବେହେରା ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଅନେକ ଯୋଗ୍ୟ ପ୍ରାର୍ଥୀ ବଳି ପଡ଼ିଯାଇଛନ୍ତି । ଏନେଇ ବିଭାଗୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ଏହାର ନକଲ ସେ ପୁଲିସ ସିପି, ହୋମଗାଡର଼୍ କମାଣ୍ଡାଣ୍ଟ ଜେନେରାଲ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ରେଜିଷ୍ଟ୍ରେଡ଼ ପୋଷ୍ଟ ଜରିଆରେ ପଠାଇଛନ୍ତି ।