କାଶ୍ମୀର ଭୂସ୍ଖଳନରେ ୪୧ ମୃତ
ଶ୍ରୀନଗର : ପ୍ରକୃତି ରଚୁଛି ତାଣ୍ଡବ । କିଛି ମାସ ହେଲା ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଥିବା ବେଳେ ଏବେ ପଶ୍ଚିମ ରାଜ୍ୟରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ବିତ୍ପାତ ଦେଖାଦେଇଛି । ଏବେ ଜମ୍ମୁ ଓ କାଶ୍ମୀର, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଓ ଛତିଶଗଡରେ ପ୍ରବଳ ବର୍ଷା ଲାଗି ରହିଛି । ସେଥିରୁ ବାଦ ପଡିନି ଚଳିତ ମୌସୁମୀ ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ହିମାଚଳ ପ୍ରଦେଶ । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜମ୍ମୁ ଓ କାଶ୍ମୀରରେ ଗତ ଦୁଇଦିନ ଭିତରେ ୪୧ ଜଣଙ୍କ ମୃତ୍ୟୁ ହେଲାଣି । ଅନେକ ଆହତ ହୋଇଛନ୍ତି । କେଉଁଠି ପୋଲ ଭୁଶୁଡି ପଡିଛି ତ କେଉଁଠି ରାସ୍ତା ଧୋଇ ହୋଇଯାଇଛି । କେଉଁଠି ବିଦ୍ୟୁତ ଖୁଣ୍ଟି ତ କେଉଁଠି ମୋବାଇଲ ଟାୱାର ଭାଙ୍ଗି ପଡିଛି । ଜମ୍ମୁ ଓ କାଶ୍ମୀର କଟରାର ଅର୍ଦ୍ଧକୁମାରୀ ନିକଟରେ ମାତା ବୈଷ୍ଣବ ଦେବୀ ଯାତ୍ରା ଟ୍ରାକରେ ଏକ ବିରାଟ ଭୂସ୍ଖଳନ ଘଟି ଏହି ବିପର୍ଯ୍ୟୟ ଘଟିଛି । ଅନେକ ଲୋକ ଫସି ରହିଥିବା ଆଶଙ୍କା କରି ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳୁ ପ୍ରବଳ ବର୍ଷା ସତ୍ତେ୍ୱ ଖୋଜାଖୋଜି ଜାରି ରଖିଛନ୍ତି । ଶ୍ରୀ ମା’ ବୈଷ୍ଣଦେବୀ ମନ୍ଦିରକୁ ଯିବା ରାସ୍ତାରେ ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ‘ଏକ୍ସ’ରେ ସେୟାର କରାଯାଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମା’ ବୈଷ୍ଣଦେବୀ ମନ୍ଦିରକୁ ଯାଉଥିବା ରାସ୍ତାରେ ଭୂସ୍ଖଳନ ଯୋଗୁଁ ଜୀବନହାନି ଅତ୍ୟନ୍ତ ଦୁଃଖଦାୟକ । ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ରହିଛି । ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ । ପ୍ରଶାସନ ସମସ୍ତ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରୁଛି । ସମସ୍ତଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ମୁଁ ପ୍ରାର୍ଥନା କରୁଛି । ପ୍ରବଳ ବର୍ଷା ଜମ୍ମୁ ଏବଂ କାଶ୍ମୀରରେ ବିପର୍ଯ୍ୟୟ ସୃଷ୍ଟି କରିଛି । ଫଳରେ ହଠାତ୍ ବନ୍ୟା ଏବଂ ଭୂସ୍ଖଳନ ଘଟିଛି ।
- ବିପଦ ସଂକେତ ଉପରେ ଝେଲମ
- ମୋବାଇଲ ଓ ଇଣ୍ଟରନେଟ୍ ସେବା ଅଚଳ
- ଉଦ୍ଧାର କାର୍ଯ୍ୟରେ ସେନା ଓ ଏନ୍ଡିଆର୍ଏଫ୍
- ଶୋକ ପ୍ରକାଶ କଲେ ମୋଦି
ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବନ୍ୟା ଏବଂ ଜଳବନ୍ଦୀ ହେବା ପରେ ମଙ୍ଗଳବାର ପର୍ଯ୍ୟନ୍ତ ୩,୫୦୦ ରୁ ଅଧିକ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ ଓ ସାମ୍ବାର ୨୦ ରୁ ୩୦ ଟି ତଳିଆ ଅଞ୍ଚଳ ବନ୍ୟାରେ ବୁଡ଼ି ଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନଗୁଡ଼ିକ ହେଉଛି ଜମ୍ମୁ ସହର, ଆରଏସ ପୁରା, ସାମ୍ବା, ଅଖନୁର, ନାଗ୍ରୋଟା, କୋଟ ଭାଲୱାଲ, ବିଷ୍ନାହ, ବିଜୟପୁର, ପୁରମଣ୍ଡଳ, କାଠୁଆ ଏବଂ ଉଧମପୁର । ଅନେକ ସ୍ଥାନରେ ରାସ୍ତା ଖରାପ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରେଲୱେ ଓ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସ୍କୁଲ ଓ କଲେଜ ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନର ଟିମ, ଏସଡିଆରଏଫ, ଏନଡିଆରଏଫ, ସେନା ବାହିନୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଓ ଲେଫନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି । ଚେନାବ ଓ ଝେଲମ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେହିପରି ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ କୁଲୁ, ମନାଲି ଏବଂ ଲାହୌଲ-ସ୍ପିତି ଲଗାତାର ଦ୍ୱିତୀୟ ଦିନ ପାଇଁ ହିମାଚଳ ପ୍ରଦେଶର ଅନ୍ୟ ଅଂଶରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । କିରତପୁର-ମନାଲି ଜାତୀୟ ରାଜପଥ ଓ ମନାଲି-ଲେହ ଜାତୀୟ ରାଜପଥ ଅନେକ ସ୍ଥାନରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ସାରା ରାଜ୍ୟରେ ମୋଟ ୬୮୭ ରାସ୍ତା ଓ ତିନୋଟି ଜାତୀୟ ରାଜପଥ ନଦୀ, ନାଳ ଏବଂ ଭୂସ୍ଖଳନ ଦ୍ୱାରା ଧୋଇ ହୋଇଯାଇଛି । ଫଳସ୍ୱରୂପ ହଜାର ହଜାର ଯାତ୍ରୀ ଲାହୌଲ, କୁଲୁ-ମନାଲି ଏବଂ ମଣ୍ଡିରେ ଫସି ରହିଛନ୍ତି, ପ୍ରାୟ ୨,୦୦୦ ଯାନବାହନ ବିଭିନ୍ନ ସ୍ଥାନରେ ଫସି ରହିଛି । ସେହିପରି ଛତିଶଗଡର ବସ୍ତର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସିଛି । ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ୭୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି । ସେହିପରି ପଞ୍ଜାବର ୮ଟି ଜିଲ୍ଲା ଗୁରୁଦାସପୁର, ପଠାନକୋଟ, ଅମୃତସର, ହୋସିଆରପୁର, କପୁରଥଲା, ତରନତାରନ, ଫିରୋଜପୁର ଓ ଫାଜିଲକାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଯେଉଁଠାରେ ରବି, ବ୍ୟାସ ଓ ସତଲେଜ ନଦୀ ପ୍ରବାହିତ ହେଉଛି । ଗୁରୁଦାସପୁରର ଡାବୁରି ଗାଁରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରାୟ ୪୦୦ ଛାତ୍ର ଏବଂ ୪୦ ଜଣ କର୍ମଚାରୀ ବନ୍ୟା ଜଳରେ ଫସି ରହିବାର ଆଶଙ୍କା କରାଯାଉଛି । ସ୍କୁଲଟି ଗୁରୁଦାସପୁର-ଦୋରଙ୍ଗଲା ରାସ୍ତା ପାର୍ଶ୍ୱରେ ଅବସ୍ଥିତ । ସ୍କୁଲକୁ ଲାଗି ପ୍ରବାହିତ କିରଣ ନାଲା ବର୍ଷ ବର୍ଷ ଧରି ସଫା କରାଯାଇ ନାହିଁ, ଯାହା ଫଳରେ ପରିସରରେ ଏବଂ ଚାରିପାଖରେ ବନ୍ୟା ପାଣି ଜମା ହୋଇଛି । ଉଦ୍ଧାର କାର୍ଯ୍ୟରେ ସିଆରପିଏଫ ଓ ହେଲିକଫ୍ଟର ନିୟୋଜିତ କରାଯାଇଛି । ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି ।