ପେଟ୍ରୋଲ ପମ୍ପ ଉପରେ ଚଢାଉ

ଭୁବନେଶ୍ୱର  : ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାଡ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଚଢାଉ କରିଛନ୍ତି । ଚଢାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍ସିକ୍ ଲାବୋରେଟୋରୀକୁ ପଠାଇଛନ୍ତି । ପମ୍ପରେ ଅନିୟମିତତା ଯଥା-ନିଆଁ ଲିଭା ଯନ୍ତ୍ର ନବୀକରଣ ନହେବା, ସ୍ୟାଣ୍ଡ ବକେଟ୍ରେ ବାଲି ନ ରହିବା, ଶୌଚାଳୟ କାର୍ଯ୍ୟକ୍ଷମ ନଥିବା ଓ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ତ୍ରୁଟି ପରିଲକ୍ଷିତ ହେବାରୁ ପମ୍ପର ମାଲିକ  ବିଚିତ୍ର ଭୋଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲା ଉପରିସ୍ଥ ଅଧିକାରୀ ତଥା ଅଏଲ ମାର୍କେଟିଂ କମ୍ପାନୀର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇବେ ବୋଲି ଯୋଗାଣ ବିଭାଗର ଅଧିକାରୀମାନେ ପ୍ରକାଶ କରିଥିଲେ ।  ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗକୁ ଭିତ୍ତି କରି ମାପ, ଓଜନ ତଥା ମାନରେ ଆସୁଥିବା ତ୍ରୁଟି ସୁଧାରିବା ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ଆଗାମୀ ଦିନରେ ଏହିଭଳି ଚଢାଉ ଜାରି ରଖିବ । ଏହି ଚଢାଉରେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ବିଏମ୍ସି ଅତିରିକ୍ତ ଯୋଗାଣ ଅଧିକାରୀ  ରୋହିତ କୁମାର ଦାସ, ଭୁବନେଶ୍ୱର ଉପଖଣ୍ଡର ସହାୟକ ଯୋଗାଣ ଅଧିକାରୀ ସୁନୀତା ବେହେରା, ଭୁବନେଶ୍ୱର ବ୍ଲକ୍ର ଯୋଗାଣ ନିରୀକ୍ଷକ ସୌମେନ୍ଦ୍ର ମହାନ୍ତି ଓ ବିଏମ୍ସିର ଯୋଗାଣ ନିରୀକ୍ଷକ ଉପସ୍ଥିତ ଥିଲେ ।