ଲିଜ୍‌ ନେଇଯିବେ ସରକାର, ଜାଣନ୍ତୁ କାହିଁକି

suresh pujari

ଲିଜ୍‌ ନେଇଯିବେ ସରକାର, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ସବୁ ବିଦ୍ୟାଳୟକୁ ଖୁବଶୀଘ୍ର ଜମି ପଟ୍ଟା ମିଳିବ  । ପିଏମଏୱାଇରେ ଅନ୍ତର୍ଭୁକ୍ତ ଘରଡିହ ଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ପ୍ରଦାନ କରାଯିବ  । ଡିସେମ୍ବର ସୁଦ୍ଧା ନୂଆ ରାଜସ୍ୱ ଗ୍ରାମ ଘୋଷଣା କରାଯିବ  । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି  । ଅପରପକ୍ଷରେ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଯେଉଁ ସରକାରୀ ଜମି ଲିଜ୍‌ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍‌ ଭାବେ ବ୍ୟବହାର କରୁନାହାନ୍ତି, ତେବେ ସେହି ଜମିକୁ ସରକାର ଫେରାଇନେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି  ।

ରାଜସ୍ୱ ମନ୍ତ୍ରୀ ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେଯେ, ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଯିବ, ଯାହାଦ୍ୱାରା ଲୋକମାନଙ୍କର ବିଭିନ୍ନ ସମସ୍ୟାର  ଶୀଘ୍ର ସମାଧାନ ହୋଇପାରିବ  ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ଘରଡିହ ଶୂନ୍ୟ ବ୍ୟକ୍ତିମାନଙ୍କୁ ଘରଡିହ ଯୋଗାଇଦେବା, ଭୂମିହୀନ ଲୋକମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଅବସ୍ଥା ସର୍ବେକ୍ଷଣ କରାଯାଇ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯିବା, ସମସ୍ତ ବିଦ୍ୟାଳୟଗୁଡ଼ିକୁ ଜମିର ପଟ୍ଟା ଯୋଗାଇଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ  । ନୂତନ ରାଜସ୍ୱ ଗ୍ରାମ ଘୋଷଣା କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବା, ରାଜ୍ୟରେ ତହସିଲମାନଙ୍କରେ ପଡ଼ି ରହିଥିବା ମ୍ୟୁଟେସନ ମାମଲାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଏବଂ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାମରେ ସଂଶୋଧନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ  ପରାମର୍ଶ ଦେଇଥିଲେ  ।