ପୋଖରୀ ଖୋଳା ନାଁରେ ଶାଳ ଗଛ ଉଜାଡ଼ି ଦେଲେ ଠିକାଦାର
ରଗଡି : ପୋଖରୀ ଖୋଳା ନାଁରେ ଶହଶହ ଶାଳ ଗଛ ଉଜାଡ଼ି ଦେଲେ ଠିକାଦାର । କୋଟି କୋଟି ଟଙ୍କା ଜଙ୍ଗଲ ମଧ୍ୟରେ ଟ୍ରେଞ୍ଜ୍ ଖନନ, ଖୁଦ୍ର ପୋଖରୀ ଖନନ ଏବଂ ଜଙ୍ଗଲ ଚତୁପାର୍ଶ୍ୱରେ ଡ୍ରେନେଜ୍ ଖନନ କରି ମୃତିକା ସଂରକ୍ଷଣ କରାଯିବାକୁ ଠିକାଦାର ନିୟୋଜିତ ହୋଇଥିବା ବେଳେ ଏଠି କିନ୍ତୁ ଠିକାଦାର ଜଙ୍ଗଲ ଉଜାଡ଼ିବାକୁ ପଛାଇ ନାହାନ୍ତି । ଜଙ୍ଗଲ ସୃଷ୍ଟି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏସଏମସି କାର୍ଯ୍ୟ ପୋଖରୀ ଖୋଳା ନାଁରେ ନିର୍ବିଘ୍ନରେ ଶତାଧିକ ଶାଳ ପରି ମୂଲ୍ୟବାନ ଗଛ ନଷ୍ଟ କରି ଦିଆଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ କରିବାର ଅବଧି ଥିଲେ ହେଁ ବର୍ଷା ଋତୁରେ ବି ପୋଖରୀ ଖୋଳା ଚାଲିଛି । କଟକ ବନଖଣ୍ଡ ଯାଜପୁର ରୋଡ ବନାଂଚଳ ଅଧିନ ଅନ୍ଧାରୀ ପଂଚାୟତ କୋରାବନ୍ଦୀ ଗ୍ରାମ୍ୟ ଜଙ୍ଗଲରେ ଏପରି ଦେଖିବାକୁ ମିଳିଛି । ଜଙ୍ଗଲ ଭିତରେ ପଶୁ ପକ୍ଷୀ ପାଣି ପିଇବା ପାଇଁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ପୋଖରୀ ଖୋଳା ଯିବା ନେଇ ଠିକାଦାର ଚୟନ ହୋଇଛି । ଏସବୁ ପୋଖରୀ ଖୋଳା ଯିବାପାଇଁ ଠିକାଦାରଙ୍କ ପକ୍ଷରୁ ଚେନ ପୁଲି ଗାଡି ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବାରୁ ଏହାଦ୍ୱାରା ବହୁ ସଂଖ୍ୟାରେ ଶାଳଗଛ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ଜଙ୍ଗଲ ମଧ୍ୟରେ ପଶୁପକ୍ଷୀ ପାଣି ପିଇବା ପାଇଁ ଅନେକ ପୋଖରୀ ଥିବା ବେଳେ ପୁଣି କେଉଁ ଉଦେ୍ଦଶ୍ୟରେ ଓ କାହା ସ୍ୱାର୍ଥରେ ଏତେ ସଂଖ୍ୟକ ପୋଖରୀ ଖୋଳା ଯିବାର ଯୋଜନା କରାଯାଇଛି ଓ ଯଦ୍ଦ୍ୱାରା ଏତେ ସଂଖ୍ୟକ ଦାମୀ ଶାଳଗଛ ନଷ୍ଟ ହେବାକୁ ଦିଆଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଠିକାଦାର ସୂଚନା ଫଳକ ନଲଗାଇ ଅର୍ଥ ହରିଲୁଟ୍ ପାଇଁ ସମସ୍ତ ପ୍ରକାର ବନେ୍ଦାବସ୍ତ କରିଥିବାର ଅଭିଯୋଗ ହୋଇଛି । ବନବିଭାଗର କୌଣସି ସାଟେଲାଇଟ୍ ମ୍ୟାପ୍ କିମ୍ବା ଗର୍ତ ଖନନ ପାଇଁ ଜାଗା ଚିହ୍ନଟ ନକରି ଯେଉଁଠି ଇଚ୍ଛା ସେଇଠି ଗର୍ତ ଖନନ କରୁଛନ୍ତି । ଏପରିକି ଖୁଦ୍ର ପୋଖରୀ ଖନନ ପାଇଁ ଠିକାଦାର ପ୍ରୋକଲିନ ଲଗାଇ ୧୦୦ଉର୍ଦ୍ଧ୍ୱ ଶାଳ, ଚାର, ମହୁଲ, ଅଶନ ପ୍ରଭୃତି ପ୍ରାକୃତିକ ମୂଲ୍ୟବାନ ବୃକ୍ଷ ଆଦି କାଟି ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ରାଉତଙ୍କ ସହ ଗୋଲକ କୁମାର କର, ସୁକର୍ଣ୍ଣ ରାଉତ, ତ୍ରିଲୋଚନ ମିଶ୍ର, ଗଜେନ୍ଦ୍ର କର, ପ୍ରତାପ କୁମାର ରାଉତରାୟ, ଗୟାଧର ପରିଡ଼ା, ବିଶ୍ୱଜିତ କର, ପ୍ରହଲ୍ଲାଦ କର ପ୍ରମୁଖ ଗ୍ରାମର ମୁରବୀ ମାନେ ଗଛ କାଟିବାକୁ ବିରୋଧ କରି ଉକ୍ତ ପ୍ରୋକଲିନ୍ ମେସିନକୁ ଅଟକ ରଖିବା ସହିତ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବନବିଭାଗ ନିକଟରେ ଦାବି କରିଛନ୍ତି । ଖବର ପାଇ ଯାଜପୁର ରୋଡ଼ ରେଞ୍ଜ ଅଧିକାରୀ ଧର୍ମେନ୍ଦ୍ର କୁମାର ପ୍ରଧାନ ଘଟଣା ସ୍ଥଳରେ ପହଁଚି କଟା ଯାଇଥିବା ଗଛର ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହିତ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା ବେଳେ ରେଞ୍ଜର ଗଛନଷ୍ଟ ନେଇ ତାଙ୍କୁ ନୋଟିସ ହୋଇଛି ବୋଲି କହିଛନ୍ତି ।