ପ୍ରକୃତ ବିଦ୍ୟା

 ଡ.ଅରୁନ୍ଧତୀ ଦେବୀ :
ପ୍ରାଚୀନ ଗୁରୁକୁଳରେ ଶିଷ୍ୟ ଗୁରୁଙ୍କ ତତ୍ତ୍ୱାବଧାନରେ ଶିକ୍ଷା ସମାପନ କରିବା ପରେ ଗୁରୁ ତାକୁ ଯେଉଁ ଉପଦେଶ ଦେଉଥିଲେ ଅନ୍ୟ ଦେଶରେ ମଧ୍ୟ ସେ ସବୁର ପଟ୍ଟାନ୍ତର ନାହିଁ “ମାତୃ ଦେବୋ ଭବ’ (ମା ତୁମର ଈଶ୍ୱର ହୁଅନ୍ତୁ), “ପିତୃ ଦେବୋ ଭବ’ (ପିତା ତୁମର ଈଶ୍ୱର ହୁଅନ୍ତୁ), “ଆଚାର୍ୟ୍ୟ ଦେବୋ ଭବ’ (ଗୁରୁ ତୁମର ଈଶ୍ୱର ହୁଅନ୍ତୁ), “ସତ୍ୟଂ ବଦ’ (ସତ୍ୟ କୁହ), “ଧର୍ମଂ ଚର’ (ଉଚିତ ରୂପେ କର୍ମ କର), “ନେ ଇତରାଣ’ (ଅନ୍ୟ ପନ୍ଥା ଅବଲମ୍ବନ କର ନାହିଁ ।) ଏସବୁ ଥିଲା ଆଦେଶ । ସମସ୍ତ ଅଧର୍ମ କାର୍ୟ୍ୟରୁ ନିବୃତ୍ତ ହୁଅ । ଯାହା ତୁମର ପ୍ରଗତି ପାଇଁ ସହାୟକ ହେବ କେବଳ ସେଭଳି କର୍ମରେ ଲିପ୍ତ ରହ । ଏହା ହିଁ ଥିଲା ଉପଦେଶ । ପୃଥିବୀ ପାଇଁ ଶାନ୍ତି ପ୍ରାର୍ଥନା କରି ବେଦା, ଉପନିଷଦ ଯେତେବେଳେ ଶାନ୍ତିଃ ଶାନ୍ତିଃ ଶାନ୍ତିଃ କହନ୍ତି ସେମାନେ ଏହି ଆଦେଶ ପ୍ରସଙ୍ଗ ଉତଥାପନ କରିଥାନ୍ତି ।
ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ବିଜୟ ଆଶା କରନ୍ତି । ସମସ୍ତେ ଧନ ଚାହାଁନ୍ତି କେହି ଦାରିଦ୍ର୍ୟ କାମନା କରନ୍ତି ନାହିଁ । ମାତ୍ର ବିଜୟ ଅଥବା ସଂପଦ କିପରି ଅର୍ଜନ କରାଯାଇ ପାରିବ? ଏହା ଚିନ୍ତା ଏବଂ ଆବିଷ୍କାର କରିବାକୁ ହେବ । ସମାଧାନ ନିମନ୍ତେ ଆମେ ଦୀର୍ଘକାଳ ଅନୁସନ୍ଧାନ କରିବା ଅନାବଶ୍ୟକ । ମହାଭାରତରେ ସଂଜୟ ରାଜା ଧୃତରାଷ୍ଟ୍ରଙ୍କୁ କହିଛନ୍ତି “ଯେଉଁ ପକ୍ଷରେ ଯୋଗେଶ୍ୱର କୃଷ୍ଣ ଏବଂ ଧନୁର୍ଦ୍ଧର ଅର୍ଜ୍ଜୁନ ରହିଛନ୍ତି ସେହି ପକ୍ଷ ବିଜୟୀ ଓ ଶ୍ରୀମଣ୍ଡିତ ହେବ ।’ ଏହାଠାରୁ ଅଧିକ ଉପଦେଶ ଆମେ ଅନ୍ୱେଷଣ କରିବା କାହିଁକି? ବିଜୟ ଲାଭ ନିମନ୍ତେ ଦୈହିକ, ମାନସିକ ଏବଂ ବୌଦ୍ଧିକ, ଏହି ତ୍ରିମୁଖୀ ସଂଗ୍ରାମ ଅନାବ୍ୟଶକ । ଜଣେ ବିବ୍ରତ ଅଥବା ଉଦବିଗ୍ନ ହେବା ଅନାବଶ୍ୟକ । ସଂପଦ ଏବଂ ସମୃଦ୍ଧି ନିମନ୍ତେ ଅଶ୍ରୁ ବର୍ଷଣ କରିବା ଅନାବଶ୍ୟକ । ଭଗବାନଙ୍କର ଶରଣାପନ୍ନ ହୁଅ, ସାହସର ଧନୁ ଧାରଣ କର, ଅର୍ଥାତ୍ ହୃଦୟ ନିର୍ମଳ କର । ତାହା ହିଁ ଯଥେଷ୍ଟ । ତୁମେ ବିଜୟୀ ଓ ଶ୍ରୀମଣ୍ଡିତ ହେବ । ମାତ୍ର ତୁମେ ଯେତେବେଳେ ବିଜୟ ଓ ସଂପଦର ଅନୁସରଣ କରୁଛ ସ୍ମରଣ ରଖ ଯେ ସେଗୁଡ଼ିକ ଛାୟା ମାତ୍ର, ସେ ସବୁର କୌଣସି ବାସ୍ତବତା ନାହିଁ । ତୁମେ ନିଜର ଛାଇକୁ ଧରିପାରିବ ନାହିଁ, ସୂର୍ୟ୍ୟକୁ ପଛ କରି ନିୟୁତ ବର୍ଷ ଏଥିପାଇଁ ତୁମେ ଉଦ୍ୟମ କରିପାର । କାରଣ ଏହା ଦ୍ରୁତତର ଗତିରେ ପଳାୟନ କରେ ଏବଂ ସର୍ବଦା ତୁମ ଠାରୁ ଦୂରକୁ ଚାଲିଯାଏ । କିନ୍ତୁ ସୂର୍ୟ୍ୟକୁ ସାମ୍ନା କରି ତୁମେ ଯଦି ଅଗ୍ରସର ହୁଅ ତାହେଲେ ତୁମର ପଥପ୍ରଦର୍ଶକ ହେବା ପରିବର୍ତ୍ତେ ଛାୟା ତୁମ ପଛପଟେ ରହିବ ଏବଂ ତୁମକୁ ଅନୁସରଣ କରିବ । ଗୋଟିଏ କ୍ରୀତଦାସ ପରି ଏହା ତୁମର ପଦାଙ୍କ ଅନୁସରଣ କରିବ । ଛାୟାକୁ ମାୟାର ପ୍ରତୀକ ବୋଲି ମନେକର । ତୁମେ ମାୟାର ଅନୁସରଣ କରୁଥିବା ପର୍ୟ୍ୟନ୍ତ ମାଧବ ଉପେକ୍ଷିତ ହେବେ । ତୁମେ ତାଙ୍କର ଶୁଭଦୃଷ୍ଟି ପାଇବ ନାହିଁ । ଜନ୍ମ ମୃତୁ୍ୟର ବନ୍ଧନ ମଧ୍ୟରେ ତୁମେ ବନ୍ଦୀ ହେବ ଏବଂ ସର୍ବଦା ବନ୍ଧନରେ ରହିବ । 
ଭାରତୀୟ ଜୀବନର ଏହି ଦିଗଦର୍ଶକ ନିୟମମାନ ଦେଶର ଭୌଗୋଳିକ ସୀମା ଦ୍ୱାରା ସୀମିତ ନଥିଲା । ଏଇ ଦେଶର ଲୋକମାନେ ଇଛା କଲେ ବା ନକଲେ ମଧ୍ୟ ସେମାନେ ଅନ୍ୟ ଦେଶକୁ ପରିବ୍ୟାପ୍ତ ହେଉଛନ୍ତି । ନିଜର ମୂଲ୍ୟବୋଧଗୁଡ଼ିକ ଚିନ୍ତା ଓ ଅନୁଭୂତିରେ ପୂର୍ଣ୍ଣ କରି ସେମାନେ ସାହିତ୍ୟକୁ ରୂପାନ୍ତରିତ କରୁଛନ୍ତି । ପ୍ରାକୃତିକ ବିଜ୍ଞାନ ଆତ୍ମା ମାନଙ୍କୁ କେବଳ ଅନ୍ନ, ବସ୍ତ୍ର ଏବଂ ଅନୁରୂପ ପଦାର୍ଥ ଦେଇପାରିବ । କେବଳ ଆଧ୍ୟାତ୍ମିକ ବିଜ୍ଞାନ ଆତ୍ମସତ୍ତାକୁ ଶକ୍ତିମନ୍ତ ଏବଂ ଅପରିବର୍ତ୍ତିତ ରଖିପାରିବ । ଏହି ବିଷୟ ପ୍ରତି ଶିକ୍ଷାର୍ଥୀ ମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଆତ୍ମସତ୍ତାର ଶକ୍ତି ନାହିଁ ଅଥବା ଦୃଢ଼ତା ନାହିଁ, ଅନ୍ନ, ବସ୍ତ୍ର ଏବଂ ଅନୁରୂପ ପଦାର୍ଥ ବହୁ ପରିମାଣରେ ଥିଲେ ମଧ୍ୟ ସେ ସବୁ ମୂଲ୍ୟହୀନ । ଜାତିର ଉନ୍ନତିବିଧାନ କରିବା ଆବଶ୍ୟକ ହେଲେ ନିଜ ମଧ୍ୟରେ ତୁମେ ସମସ୍ତ ଆଧ୍ୟାତ୍ମିକ ଉତ୍ସ ପୁଞ୍ଜିଭୂତ କରିବା ବାଞ୍ଝନୀୟ । ଅତୀତରେ ଆବଶ୍ୟକତା ଜଣା ଥିଲା ଏବଂ ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ୟମ ହେଉଥିଲା । ଭବିଷ୍ୟତରେ ମଧ୍ୟ ଏହି ଆବଶ୍ୟକତା ଅନୁଭୂତ ହେବ ଏବଂ ପୂର୍ଣ୍ଣ ହେବ । ଅର୍ଥାତ୍ ଆଜି ଯେଉଁସବୁ ଆଧ୍ୟାତ୍ମିକ ଅନୁରାଗ, ପ୍ରତ୍ୟୟ ଓ ଅଭିଳାଷ ଦୁର୍ବଳ ଏବଂ ବିପର୍ୟ୍ୟସ୍ତ ହୋଇଛି ସେସବୁକୁ ପରସ୍ପର ସହିତ ଐକ୍ୟବଦ୍ଧ ଏବଂ ପୁନଃ ପ୍ରଚଳିତ କରିବାକୁ ହେବ । ଭାରତୀୟ ଧର୍ମର ଅନନ୍ୟ ବିଭାଗଗୁଡ଼ିକ ଏଇ ଦୃଢ଼ ଭିତ୍ତି ଗଠନ କରିଛି । ସେ ସବୁ ଆକାଶ ପରି ପ୍ରଶସ୍ତ ଏବଂ ପ୍ରକୃତି ପରି ଶାଶ୍ୱତ । ଧର୍ମର ଅଂଶସ୍ୱରୂପ ଜାତି ଓ ସଂପ୍ରଦାୟ ବୃକ୍ଷର ଶାଖା ରୂପେ ଅବସ୍ଥାନ କରିପାରେ । ଜଣେ ସେଗୁଡ଼ିକୁ ଭୁଲ ବୋଲି ଧିକ୍କାର କରିବା ଅନାବଶ୍ୟକ । ମାତ୍ର କୌଣସି ଶାଖା ଅନ୍ୟ ଏକ ଶାଖା ସହିତ ସଂଗ୍ରାମ ବା ପ୍ରତିଯୋଗିତା କରିବା ଅନୁଚିତ । ତା ହେଲେ ବୃକ୍ଷଟି ଧ୍ୱଂସ ହେବ ଏବଂ ସବୁକିଛି ବିଧ୍ୱସ୍ତ ହେବ । ଜାତି ଗୁଡ଼ିକ ପ୍ରତିଯୋଗିତାପୂର୍ଣ୍ଣ ବିଭେଦରେ ଲିପ୍ତ ହେଲେ ଧର୍ମ ଧ୍ୱଂସ ହୁଏ ଏବଂ ବିଶ୍ୱ ବିନାଶ ହୁଏ । “ଏକଂ ସତ୍ ବିପ୍ରାଃ ବହୁଧା ବଦନ୍ତି’ ।
ଭଗବାନଙ୍କର ସ୍ୱଭାବ ଏବଂ ବିଭାବ, ରୂପ ଓ ଗୁଣ ନେଇ ଆମ ପ୍ରତ୍ୟେକଙ୍କର ପୃଥକ ଧାରଣା ଥାଇପାରେ । ଜଣେ ବିଶ୍ୱାସ କରିପାରେ ଭଗବାନଙ୍କର ମାନବ ଗୁଣାବଳୀ ଓ ରୂପ ରହିଛି । ଆଉ ଜଣେ ମାନବ ରୂପ ଓ ସଂକେତହୀନ ଭଗବାନଙ୍କୁ ବିଶ୍ୱାସ କରିପାରେ, ମାତ୍ର ତାଙ୍କ ସ୍ୱରୂପକୁ ଅସ୍ୱୀକାର କରିପାରେ । ଆଉ ଜଣେ ଭଗବାନଙ୍କୁ ସମ୍ପୂର୍ଣ୍ଣ ନିରାକାର ରୂପେ ଗ୍ରହଣ କରିପାରେ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଯୁକ୍ତି ସପକ୍ଷରେ ବେଦରୁ ଶ୍ଳୋକ ଉଦ୍ଧାର କରିପାରିବେ । କାରଣ ସମସ୍ତେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, ଅର୍ଥାତ୍ ଉତ୍ସ, ଆଧାର ଓ ପରିପୋଷାକ ରୂପେ ଏକ ରହସ୍ୟମୟୀ ଶକ୍ତିକୁ ବିଶ୍ୱାସ କରନ୍ତି । ଏହି ସତ୍ୟ ବେଦରେ ଉଦଘୋଷିତ ଏବଂ ବିସ୍ତୃତ ଭାବେ ବର୍ଣ୍ଣିତ । ଈଶ୍ୱରଙ୍କ ନାମ ବା ରୂପ ସମ୍ପର୍କରେ ଯେଉଁସବୁ ଶିକ୍ଷା ଦିଆଯାଏ ସେଗୁଡ଼ିକ ଅତୀବ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ ସବୁର ସ୍ୱାତନ୍ତ୍ର୍ୟ ଏବଂ ପ୍ରଭେଦ ସମ୍ପର୍କରେ ଆଦୌ ବିବାଦ କରିବା ଅନାବଶ୍ୟକ । ଭଗବାନଙ୍କ ସମ୍ପର୍କରେ ଉପଦେଶ ପ୍ରଦାନ ହିଁ ବଡ଼ ସେବା । ପୃଥିବୀ ଏବଂ ଯେଉଁ ବିଶ୍ୱର ଏହା ଏକ ଅଂଶ, ସେସବୁ ସହସ୍ର ବର୍ଷ ତଳେ ସ୍ଥିତିବାନ ହୋଇଛି ଏବଂ ଭବିଷ୍ୟତରେ କେବେ ସେ ସବୁର ବିଲୟ ହେବ ବୋଲି ଅନ୍ୟମାନେ ଯେଭଳି ଭାବନ୍ତି ଭାରତୀୟମାନେ ସେହି ଦୃଷ୍ଟଭଙ୍ଗୀ ଗ୍ରହଣ କରନ୍ତି ନାହିଁ । ବିଶ୍ୱ ଯେ ଶୂନ୍ୟରୁ ସୃଷ୍ଟି ହୋଇଛି ଏହି ମନ୍ତବ୍ୟକୁ ମଧ୍ୟ ସେମାନେ ଗ୍ରହଣ କରନ୍ତି ନାହିଁ । ସେମାନେ ବିଶ୍ୱାସ କରନ୍ତି ପ୍ରକୃତି ଶୂନ୍ୟସୃଷ୍ଟି ନୁହେଁ, ଏହା ସର୍ବଦା ପୂର୍ଣ୍ଣ । ଏହାର ଆଦି ନାହିଁ କି ଅନ୍ତ ନାହିଁ । ଏହାର କେବଳ ସ୍ଥଳ ଏବଂ ସୂକ୍ଷ୍ମ ରୂପ ଅଛି । ଦୃଷ୍ଟାନ୍ତସ୍ୱରୂପ, ମଣିଷ ସମ୍ପୂର୍ଣ୍ଣ ରୂପେ ଶରୀର ନୁହେଁ । ତାର ସ୍ଥୂଳ ଶରୀରରେ ଗୋଟିଏ ସୂକ୍ଷ୍ମ ଶରୀର ରହିଛି । ଏହାର ନାମ ମନ । ଏତଦଭିନ୍ନ ତାର ଆଉ ଏକ ଶରୀର ଅଛି । ମନ ଠାରୁ ତାହା ଆହୁରି ସୂକ୍ଷ୍ମ । ତାର ନାମ ଜୀବାତ୍ମା । ଶେଷଟିର ଆଦ୍ୟ ନାହିଁ କି ପ୍ରାନ୍ତ ନାହିଁ । ଏହାର ମୃତୁ୍ୟ ନାହିଁ କି ଧ୍ୱଂସ ନାହିଁ । ଏହି ସତ୍ୟକୁ ଭାରତୀୟମାନେ ବିଶ୍ୱାସ କରନ୍ତି । ଏହି ବିଶ୍ୱାସ ବେଦବାଣୀ ଉପରେ ଆଧାରିତ । ଈଶ୍ୱର ଉପାସନା କରିବା ସମୟରେ ଆମ୍ଭେମାନେ ଆଖି ବନ୍ଦ କରିଥାଉ । ଆମ୍ଭମାନଙ୍କର ମୁଖ ଉତ୍ତୋଳିତ କରି ଏବଂ ଉପରକୁ ଅନାଇ ବାହାରେ ଆମ୍ଭେମାନେ ଈଶ୍ୱରଙ୍କର ସନ୍ଧାନ କରିବା ପାଇଁ ଚେଷ୍ଟା କରୁନା । ଈଶ୍ୱରଙ୍କ ଦ୍ୱାରା ଉଦ୍ବୁଦ୍ଧ ବ୍ୟକ୍ତିମାନେ ଧର୍ମଗ୍ରନ୍ଥ ରଚନା କରିଛନ୍ତି ବୋଲି ଅନ୍ୟମାନେ କହିଥାନ୍ତି । ଭାରତୀୟମାନଙ୍କର ବିଶ୍ୱାସ ମୁନି ମାନଙ୍କ ହୃଦୟରୁ ଧ୍ୱନିତ ହୋଇଥିବା ବେଦ ହେଉଛି ଈଶ୍ୱରଙ୍କର ଅଭ୍ରାନ୍ତ ସ୍ୱର । 
ମୋ: ୯୯୩୭୧୭୨୮୧୦