ମହଙ୍ଗା ହେଉଛି ଦେଶରେ ଶିକ୍ଷା
ବର୍ତ୍ତମାନ ଦେଶରେ ଶିକ୍ଷା ବ୍ୟବସ୍ଥା ଘରୋଇ ଏବଂ ସରକାରୀ ଭାବରେ ବିଭକ୍ତ ହୋଇଯାଇଛି । ଘରୋଇ ବ୍ୟବସ୍ଥାରେ ଶିକ୍ଷା ଏତେ ମହଙ୍ଗା ହୋଇଛି ଯେ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ପିତାମାତାମାନେ କେତୋଟି ନାମକରା ବିଦ୍ୟାଳୟରେ ପିଲାଙ୍କୁ ନାମ ଲେଖାଇବାକୁ ଭୟ କରୁଛନ୍ତି । ସମଗ୍ର ବିଶ୍ୱରେ ଘରୋଇ ବ୍ୟବସ୍ଥାର ଶିକ୍ଷାଦାନ ପଦ୍ଧତିରେ ଭାରତ ସବୁଠୁ ଉପରେ ରହିଛି । ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ ଭଳି ସହରରେ ପାଠପଢ଼ା ଖର୍ଚ୍ଚ ଲଣ୍ଡନ, ନୁ୍ୟୟର୍କ୍, ଦୁବାଇ ଭଳି ବିକଶିତ ରାଷ୍ଟ୍ରରେ ପାଠପଢ଼ା ଖର୍ଚ୍ଚ ଠାରୁ ଅଧିକ । ଦେଶରେ ବର୍ତ୍ତମାନ ସବୁଠାରୁ ମହଙ୍ଗା ହେଉଛି ଡ଼ାକ୍ତରୀ ଶିକ୍ଷା । ମଧ୍ୟବିତ୍ତ ପରିବାରର ପିଲାମାନେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମଧ୍ୟ ଡ଼ାକ୍ତରୀ ପଢ଼ିବା ଖର୍ଚ୍ଚ ତୁଲାଇବା ନେଇ ସାହସ କରିପାରୁନାହାନ୍ତି ।
ନିକଟରେ ବେଙ୍ଗାଲୁରୁ ମହାନଗରର ଏକ ବିଖ୍ୟାତ ଘରୋଇ ସ୍କୁଲ୍ର ଟୁ୍ୟସନ୍ ଫି ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଛି । ଏହି ଘରୋଇ ବିଦ୍ୟାଳୟର ଟୁ୍ୟସନ୍ ଫି ସମଗ୍ର ଦେଶରେ ସବୁଠାରୁ ଅଧିକ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଟୁ୍ୟସନ୍ ଫି ହେଉଛି ୭ ଲକ୍ଷ ୩୫ ହଜାର ଟଙ୍କା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହା ସମାନ । ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଟୁ୍ୟସନ୍ ଫି ବାର୍ଷିକ ୭ ଲକ୍ଷ ୭୫ ହଜାର । ନବମ ଓ ଦଶମ ଶ୍ରେଣୀର ବାର୍ଷିକ ଟୁ୍ୟସନ୍ ଫି ୮ ଲକ୍ଷ ୫୦ ହଜାର । ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ବର୍ଷକୁ ଟୁ୍ୟସନ୍ ଫି ୧୧ ଲକ୍ଷ ଟଙ୍କା । ଏହା ବାଦ୍ ନାମଲେଖା ସମୟରେ ନାମ ଲେଖାଇବା ଦେୟ ହେଉଛି ୧ ଲକ୍ଷ ଟଙ୍କା । ଏହି ଟୁ୍ୟସନ୍ ଫି ସହିତ ପରିବହନ, ପୁସ୍ତକ, ୟୁନିଫର୍ମ ବହିର୍ଭୂତ ଏବଂ କାର୍ଯ୍ୟକଳାପ ଭଳି ଅତିରିକ୍ତ ଖର୍ଚ୍ଚ ମଧ୍ୟ ଅଛି । ଏସବୁକୁ ମିଶାଇବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବାର୍ଷିକ ଖର୍ଚ୍ଚ ହେଉଛି ୮ ଲକ୍ଷ ଟଙ୍କାରୁ ଅଧିକ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ସ୍କୁଲ୍ ନେଇ ଟୁ୍ୟସନ୍ ଫି ଅଲଗା କେମିତି? ଫି ସବୁଠାରୁ କମ୍ ହେଲା ସରକାରୀ ବିଦ୍ୟାଳୟରେ । ହେଲେ ଚାକିରି କରିବା ବେଳେ ଛାତ୍ରଛାତ୍ରୀ ଯେଉଁ ସ୍କୁଲ୍ରୁ ବି ପଢ଼ିଥାଆନ୍ତୁ ନା କାହିଁକି ଦରମା କିନ୍ତୁ ସମାନ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ବାର୍ଷିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ୍ରୁ ଉତ୍ତୀର୍ଣ୍ଣ ହୋଇଥିବା ପିଲାଟିଏ କୌଣସି ଏକ ଚାକିରିରେ ଯେତିକି ଟଙ୍କା ଦରମା ପାଇବ, ସବୁଠାରୁ କମ୍ ଖର୍ଚ୍ଚ କରି ପାସ୍ କରିଥିବା ସରକାରୀ ସ୍କୁଲ୍ର ପିଲାଟିଏ ମଧ୍ୟ ସମାନ ଦରମା ପାଇବ । ଏବେ ପ୍ରଶ୍ନ ଉଠୁଛି ଏହି ଦୁଇ ଗୋଷ୍ଠୀର ଶିକ୍ଷା ବ୍ୟବସ୍ଥାରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ମାନସିକତା କିପରି ହେବ? ବର୍ଷକୁ ୮-୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ିଥିବା ପିଲାଟି ଚାକିରି ପାଇଲେ ତାହା ପାଠପଢ଼ା ବାବଦରେ ହୋଇଥିବା ଖର୍ଚ୍ଚକୁ ଉଠେଇବା ପାଇଁ ସିଏ ଚେଷ୍ଟା କରିବ । ତେଣୁ ଏଭଳି ପରିସ୍ଥିତିରେ ଅର୍ଥ ରୋଜଗାର କ୍ଷେତ୍ରରେ ସେ ସମସ୍ତ ପ୍ରକାରର ନୈତିକତାର ସୀମାକୁ ଡ଼େଇଁଯିବା ଅସମ୍ଭବ ନୁହେଁ । ପାଠପଢ଼ାର ଖର୍ଚ୍ଚ ଅଧିକ ହେଲେ ଦୁର୍ନୀତିପୂର୍ଣ୍ଣ ଉପାୟରେ ରୋଜଗାର କରିବାର ମନୋବୃତ୍ତି ପିଲାଙ୍କ ଠାରେ ବଢ଼ିବା ଏକ ସ୍ୱାଭାବିକ ଘଟଣା । ଇଏ ତ ଗଲା ନୀତି ବା ଦୁର୍ନୀତି ସମ୍ପର୍କିତ କଥା ।
ଦ୍ୱିତୀୟ ପ୍ରସଙ୍ଗଟି ହେଲା ଯେଉଁ ସ୍କୁଲ୍ଗୁଡ଼ିକ ପ୍ରଥମ ଶ୍ରେଣୀ ପିଲାଠାରୁ ବର୍ଷକୁ ୮ ଲକ୍ଷ ଟଙ୍କା ନେଉଛନ୍ତି, ସେହି ୮ ଲକ୍ଷ ଟଙ୍କା ସେମାନଙ୍କର କଳାଧନ ତାଲିକାରେ ରହୁଛି ନା ଧଳା ଟଙ୍କା ହିସାବରେ ରହୁଛି । ଗୋଟିଏ ପଟେ କେନ୍ଦ୍ର ସରକାର ଦେଶରୁ କଳାଧନ ହଟେଇବାକୁ ଚେଷ୍ଟା କରୁଥିବା ବେଳେ ଆଉ ଗୋଟିଏ ପକ୍ଷରେ କଳାଧନରେ ହିଁ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକ କଳାଧନର କାରଖାନା । ଏଭଳି ବିଦ୍ୟାଳୟଗୁଡ଼ିକର ଆର୍ଥôକ ପରିଚାଳନା କିଭଳି ଭାବରେ ହେଉଛି ତାହା କିପରି ଆୟକର ବିଭାଗ, ଇଡ଼ି, ଭିଜିଲାନ୍ସ, ସିବିଆଇ ଏବଂ ରାଜ୍ୟ ତଥା କେନ୍ଦ୍ର ସ୍ତରୀୟ ଆର୍ଥôକ ଅନିୟମିତତାକୁ ଜଗିଥିବା ସଂସ୍ଥାମାନେ ଆଖି ବୁଜି ଦେଉଛନ୍ତି । ଏ ପ୍ରକାରର ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଦେଶର ସଚ୍ଚୋଟ ନାଗରିକ ହୋଇପାରିବେ ତ?