ପ୍ରକୋଷ୍ଠ ଆଗରେ ସୂଚନା ଫଳକ ଲଗାଇବାକୁ ଦାବି 

ବେତନଟୀ : ବ୍ଲକ ପରିସରରେ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କ ପ୍ରୋକଷ୍ଠରେ ସୂଚନା ଫଳକ ଲଗାଯିବା ନେଇ ବେତନଟୀ ବିଡିଓ ସୁଶାନ୍ତ କୁମାର ସୂତାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଫଳକ ନଥିବା ଯୋଗୁଁ ବେତନଟୀ ବ୍ଲକ୍‌ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବେତନଟୀ ବ୍ଲକ ମିଡିଆ ଆସୋସିଏସନ୍‌ ସଦସ୍ୟ ଏହି ଦାବିପତ୍ର ମାଧ୍ୟମରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଇପିଓଙ୍କୁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବେତନଟୀ ବ୍ଲକର ଜନ ସାଧାରଣ ଦେଖିବାକୁ ପାଇ ନଥିବା ବେଳେ, ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ ମଙ୍ଗଳ ଅଧିକାରି, ବ୍ଲକ୍‌ ସମାଜ ମଙ୍ଗଳ ଅଧିକାରୀ, ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମହିଳା ଓ ଶିଶୁ ବିକାଶ ଅଧିକାରୀ, ମିଶନ ଶକ୍ତି ଅଧିକାରୀ, ଜଳ ଯୋଗାଣ ଓ ପରିମଳ ବିଭାଗର ବ୍ଲକ ସଂଯଯୋକଙ୍କ କାର୍ଯ୍ୟାଳୟରେ ସୂଚନା ଫଳକ ନଥିବାରୁ ଏହି ଅଧିକାରୀଙ୍କୁ ସାକ୍ଷାତ କରିବାରେ ଅସୁବିଧା ସୃଷ୍ଟି ହେଉଛି । ଏଭଳି କି ବ୍ଲକର ସହକାରୀ ମତ୍ସ୍ୟଧିକାରୀଙ୍କ କାର୍ଯ୍ୟାଳୟ ପୂର୍ବରୁ ବ୍ଲକ ପରିସରରେ ରହିଥିବା ବେଳେ, ୬ମାସ ହେବ ଏହି ଅଧିକାରୀଙ୍କୁ ଲୋକେ ଖୋଜି ପାଉନାହାନ୍ତି । ବେତନଟୀ ବ୍ଲକର ୨୪ ପଞ୍ଚାୟତର ଅଧିକାଂଶ ଜନସାଧାରଣ ଏହି ଅଭିଯୋଗ ଆଣିଛନ୍ତି । ସୂଚନା ଯୋଗ୍ୟ, ବେତନଟୀ ବ୍ଲକ ହେଡ୍‌ କ୍ୱାଟର ଠାରୁ ପ୍ରାୟ ଅଧିକାଂଶ ପଞ୍ଚାୟତ କାର୍ଯ୍ୟାଳୟ ଓ ଗ୍ରାମ ଗୁଡ଼ିକ ୧୦ ରୁ ୩୦ କିଲୋମିଟର ଦୂରତା ରହିଛି । ସେମାନେ ଏଥିପାଇଁ ଟ୍ରେନ୍‌, ବସ ଏବଂ ସାଇକେଲରେ ଆସି ଦୀର୍ଘ ସମୟ ଅପେକ୍ଷା କରି ଅଧିକାରୀଙ୍କୁ ନପାଇ ନିରାଶ ହୋଇ ଫେରୁ ଥିବା ଦେଖିବାକୁ ମିଳୁଛି । ବେତନଟୀ ବ୍ଲକ୍‌ ଆଇପିଓ ଏବଂ ସହକାରୀ ମତ୍ସ୍ୟଧିକାରୀ ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା କାରଣ ଜନସାଧାରଣଙ୍କ ପାଖରେ ଅସ୍ପଷ୍ଟ ରହିଛି । ବିଡିଓ ବ୍ଲକରେ ଆଇପିଓ ଅନୁପସ୍ଥିତ ରହିବାର କାରଣ ସମ୍ପର୍କରେ ଖୁବ୍‌ ଶୀଘ୍ର ସୂଚନା ବେତନଟୀ ବ୍ଲକ ମିଡିଆ ଆସୋସିଏସନ୍‌ କୁ ଜଣାଇବା ସହ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ବୈଶିଙ୍ଗାକୁ ଉଠି ଯାଇଥିବା ଜଣାଇଛନ୍ତି । ବ୍ଲକରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତି ଶୀଘ୍ର ସୂଚନା ଫଳକ ଲଗାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।