ପ୍ରବାସୀ ଭାରତୀୟଙ୍କ ଆଗମନକୁ ନେଇ ସଜେଇ ହୋଇଛି ଶାନ୍ତିସ୍ତୁପ
ବାଲିଅନ୍ତା: ଆରମ୍ଭ ହୋଇଛି ଅଷ୍ଟାଦଶ ତମ ପ୍ରବାସଭାରତୀୟ ସମ୍ମିଳନୀ । ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯିବା ସହ ଓଡ଼ିଶାକୁ ସମଗ୍ର ବିଶ୍ୱରେ ବିଶ୍ୱବନ୍ଦିତ କରିବାପାଇଁ ଚେଷ୍ଟା କରିଛନ୍ତି । ଏଥିପାଇଁ ରାଜଧାନୀ ଓ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ରାସ୍ତାଘାଟ ଚକାଚକ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗବେରଙ୍ଗ ଓ ଚିତ୍ରବିଚିତ୍ରରେ ସଜାଯାଇଛି କାନ୍ଥବାଡ଼ । ଆଉ କେଉଁଠି ମହାପୁରୁଷଙ୍କ ଫୋଟୋ ଅଙ୍କାଯାଇ ଓଡିଶାର ଗର୍ବଗୌରବକୁ ବିଶ୍ୱ ଦରବାରରେ ପରିଚିତ କରିବାପାଇଁ ପ୍ରଚେଷ୍ଟା କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ବିଭିନ୍ନ ଆଲୋକମାଳାରେ ସଜାଇ ଦିଆଯାଇଛି । ସ୍ତୁପ ଉପରକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ହାତୀଗୁମ୍ଫା, ଅଶୋକ ସ୍ତମ୍ଭ, ଭଗବାନ ବୁଦ୍ଧଙ୍କ ମୂର୍ତ୍ତି, ଜାପାନୀ ମନ୍ଦିର ଆଦି ଧଉଳି ସମ୍ପର୍କିତ ଫୋଟୋ ହୋଡିଂ ଲଗାଯାଇଥିବା ବେଳେ ଗଛରେ ଚାନ୍ଦୁଆ ଲାଇଟ ସ୍ତୁପକୁ ଅଧିକ ଆକର୍ଷଣ କରୁଛି । ସେହିପରି ଏଠାରେ ଓଡିଶା ଗ୍ରାମ୍ୟ ଉନ୍ନୟନ ବଜାର ସଂସ୍ଥା (ଓରମାସ) ପକ୍ଷରୁ ଓଡିଶା ପ୍ରସିଦ୍ଧ ବାଳକାଟିର କଂସାବାସନ ଶିଳ୍ପ ଓ ହସ୍ତଶିଳ୍ପ ବଜାର ଖୋଲା ଯାଇଥିବା ବେଳେ, ଏକ ଶସ୍ୟ ଜାତୀୟ ଦ୍ରବ୍ୟର ଷ୍ଟଲ ଖୋଲାଯାଇଛି । ପ୍ରବାସୀ ଭାରତୀୟଙ୍କ ସାହାଯ୍ୟ ନିମନ୍ତେ ହେଲ୍ପଡେସ୍କ ଖୋଲା ଯାଇଥିବା ବେଳେ ଏକ ଜୋତା ଷ୍ଟାଣ୍ଡ ଖୋଲାଯାଇଛି କ୍ଷ ପ୍ରବାସୀ ଭାରତୀୟଙ୍କ ଆଗମନକୁ ଲକ୍ଷ ରଖି ପ୍ରଶାସନ ପକ୍ଷରୁ ଏଠାରେ ସ୍ଥାୟୀ ଦୋକାନ ବଜାର ୧୧ ତାରିଖ ଯାଏଁ ବନ୍ଦ କରାଯାଇଛି । ସେହିପରି ପର୍ଯ୍ୟଟକ ବସ ରହଣି ସ୍ଥଳରେ ମଧ୍ୟ ସାଜସଜା କରାଯାଇଛି । ଏଠାରେ ଥିବା ପାରାବୋଧି ପୁଷ୍କରିଣୀ ସଫାସୁତରା କରାଯାଉଥିବା ବେଳେ ଶାନ୍ତିସ୍ତୁପ ରାସ୍ତା ଆଲୋକୀକରଣ କରାଯାଇଛି । ସେହିପରି ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼. ଜୟଶଙ୍କର ସପନôୀଙ୍କ ସହ ଧଉଳି ଭ୍ରମଣରେ ଆସିଥିଲେ ।