ପ୍ରହସନ ପାଲଟିଛି ଶିକ୍ଷାନୁଷ୍ଠାନରେ ଚାରା ରୋପଣ 

 ଖଣ୍ଡପଡ଼ା : ବର୍ଷା ଋତୁର ପ୍ରାରମ୍ଭରେ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ, ଶିକ୍ଷାନୁଷ୍ଠାନ ପରିସରରେ ବ୍ୟାପକ ଚାରାରୋପଣ କରାଯାଇଥାଏ । ବହୁ ଆଡମ୍ବରରେ ସବୁଠି ଚାରାରୋପଣ କରାଯାଉଥିଲା ବେଳେ, ପରବର୍ତ୍ତୀ ସମୟରେ ରୋପଣ କରାଯାଇଥିବା ଚାରା ଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦିଗରେ ଅନୁଷ୍ଠାନ କର୍ତ୍ତୃପକ୍ଷ  କି ବନବିଭାଗ କର୍ତ୍ତୃପକ୍ଷ କେହି ହେଲେ ଧ୍ୟାନ ଦିଅନ୍ତି ନାହିଁ । ଫଳରେ ପ୍ରତିବର୍ଷ ଚାରାରୋପଣ କାର୍ଯ୍ୟକ୍ରମ କେବଳ ଏକ ପ୍ରହସନ ନୁହେଁ ତ ଆଉ କ’ଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରତିବର୍ଷ ଏକାଧିକ ଅନୁଷ୍ଠାନ ପରିସରସରେ ଶହଶହ ଚାରା ରୋପଣ କରାଯାଉଥିଲେ ହେଁ ଉକ୍ତ ଅନୁଷ୍ଠାନ ପରିସର ସବୁଜିମାରେ ଭରି ଉଠିବା ପରିବର୍ତ୍ତେ ଖାଁ ଖାଁ ଲାଗିବା ପରିତାପର ବିଷୟ ଅଟେ । ପ୍ରଶ୍ନ ଉଠେ ଅନୁଷ୍ଠାନ ପରିସରରେ ପ୍ରତିବର୍ଷ ରୋପଣ କରାଯାଇ ଥିବା ଚାରା ଗୁଡିକ କୁଆଡେ ଗଲା ? ଏ ସମ୍ପର୍କରେ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପଚାରିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳେନାହିଁ ।
ସେହିପରି ପ୍ରତିବର୍ଷ ବନବିଭାଗ ପକ୍ଷରୁ ପୂର୍ତ୍ତବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ପଥପାର୍ଶ୍ୱ ବନୀକରଣ ଯୋଜନାରେ ଫଳ ଓ ଛାୟା ପ୍ରଦାନକାରୀ ଶହଶହ ଚାରାରୋପଣ କରାଯାଇଥାଏ । ବନବିଭାଗ ଜରିଆରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଚାରା ପ୍ରସ୍ତୁତ କରିବା ପରେ ବିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମାତ୍ର ବିଭାଗ ପକ୍ଷରୁ ପ୍ରତିବର୍ଷ ରାସ୍ତାର ଉନ୍ନତିକରଣ ସହ ପ୍ରଶସ୍ତୀକରଣ ନିମନ୍ତେ ବେଫିକର ଭାବେ ରାସ୍ତାର ଉଭୟ ପାର୍ଶ୍ୱରୁ ମୂଲ୍ୟବାନ ବୃକ୍ଷ ଗୁଡିକୁ କାଟି ଦିଆ ଯାଇଥିବାରୁ ପଥପାର୍ଶ୍ୱ ବନୀକରଣ ଯୋଜନାର ସଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏ ଦିଗରେ ପ୍ରଶାସନ ଓ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ସଚେତନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ତେବେ କେଉଁ ଜାଗାରେ ଚାରା ଗୁଡିକ ରୋପଣ କରାଗଲେ ବନୀକରଣ ଯୋଜନାର ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ନୟାଗଡ ବନଖଣ୍ଡ ଅଧିକାରୀ, ଜିଲ୍ଲାପାଳ, ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଏ ଦିଗରେ ସଚେତନ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।