ସାମାନ୍ୟ ବର୍ଷାରେ ବାଲିଚନ୍ଦ୍ରପୁର ବଜାର ଜଳାର୍ଣ୍ଣବ
ବାଲିକୁଦା : ସାମାନ୍ୟ ବର୍ଷାରେ ବାଲିଚନ୍ଦ୍ରପୁର ବଜାର ଜଳାର୍ଣ୍ଣବ ହୋଇପଡ଼ିଛି । ବାଲିଚନ୍ଦ୍ରପୁର ଏକ ବ୍ୟବସାୟୀକ ପେଣ୍ଠସ୍ଥଳି । ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲାର ଏହା ମଧ୍ୟସ୍ଥଳି ହୋଇଥିବା ବେଳେ ହଜାର ହଜାର ଲୋକ ବ୍ୟବସାୟ ତଥା ଅନ୍ୟାନ୍ୟ କାମ ପାଇଁ ବଜାରକୁ ଆସିଥାନ୍ତି । ବଜାରର ଜଗନ୍ନାଥ ମନ୍ଦିର ପାଶ୍ୱର୍ରାସ୍ତା, ଶୁଖୁଆଗଳି, ବାଇପାସ ରାସ୍ତା ଓ ଗଳିପୋଲ ଠାରେ ବର୍ଷା ହେବା ଦ୍ୱାରା ଏକ ଫୁଟ ଭଳି ପାଣି ଜମି ରହୁଛି । ପାଣି ଜମି ରହିବା ଦ୍ୱାରା ବଜାରକୁ ଆସୁଥିବା ଗ୍ରାହକ, ସ୍କୁଲ, କଲେଜର ଛାତ୍ରଛାତ୍ରୀ ଯାତାୟତରେ ଅସୁବିଧାର ସମ୍ମୁଖିନ ହେବା ସହିତ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି । ବାଲିଚନ୍ଦ୍ରପୁରରୁ ବଡ଼ଚଣା ପୃତବିଭାଗ ରାସ୍ତାର ଉନ୍ନତିକରଣ ଏବେ ଚାଲୁରହିଥିବା ବେଳେ ବଜାରର ଜଗନ୍ନାଥ ମନ୍ଦିର ପଛ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଏକ ଫୁଟରୁ ଊଦ୍ଧ୍ୱର୍ ପାଣି ଜମିରହୁଛି । ମନ୍ଦିର ପାଖର ଦୁଇ ଫୁଟ ରାସ୍ତା ଉଚ୍ଚା କରାଯାଇଥିବା ବେଳେ ପଛପଟ ରାସ୍ତା ଖାଲଥିବାରୁ ସେଠାରେ ବାରମ୍ବାର ପାଣି ଜମି ରହୁଥିବାରୁ ବ୍ୟବସାୟୀମାନେ ଘୋରଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ତପନ ସେଠୀଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି କିଛି ବ୍ୟବସାୟୀ ରାସ୍ତା ଉପରକୁ ତାଙ୍କର ଦୋକାନ କରି କବଜାର କରିଥିବାରୁ ଏହା ଅଣଓସାରିଆ ହୋଇଯାଇଛି । ତହସିଲ ପକ୍ଷରୁ ମାପଚୁପ କରାଯାଇ ଜବରଦଖଲ ହଟାଗଲେ ରାସ୍ତା ନିର୍ମାଣ ହୋଇପାରିବା ସହ ଆଉ ପାଣି ଜମିବ ନାହିଁ । ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ତୁରନ୍ତ ଏହାର ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।