ସବୁ ଆଡ଼େ ଖୁନ୍ଦି ହୋଇଛନ୍ତି ବିଭୀଷଣ ଗଡ଼ ସୁରକ୍ଷିତ ରଖିପାରିବେ ତ ସେନାପତି ବବି 

ଯାଜପୁର: ମୁଣ୍ଡ ଉପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଦଳୀୟ ହୁଅନ୍ତୁ ନା ନିର୍ଦଳୀୟ ପ୍ରାର୍ଥୀଦିନରାତିକୁ ଏକ କରି ପ୍ରଚାର ଚଲାଇଛନ୍ତି । ବିଜେପି ହେଉ କି ବିଜେଡ଼ି ଏଥର ସରକାର କରିବେ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି । ବିଜେପିର ଷ୍ଟାର ପ୍ରଚାରକ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିବା ଜାରୀ ରଖିଥିବା ବେଳେ ବିଜେଡ଼ିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟିଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ପ୍ରଚାର ଚଲାଇଛନ୍ତି । ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ ବିଧାୟକ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ ଏବଂ ଲୋକସଭା ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଗଲାକାଲି ୫ଟି- ଅଧ୍ୟକ୍ଷ ଭି.କେ.ପାଣ୍ଡିିଆନ ଯାଜପୁର ଜିଲାର ୬ଗୋଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ହେଉ କି ଯାଜପୁରର କୁସୁମା ଠାରେ ହୋଇଥିବା ପ୍ରଚାର ସଭାରେ ଶ୍ରୀ ପାଣ୍ଡିଆନ ସଂଗଠନ ସଂପାଦକଙ୍କୁ ବିଜେଡ଼ିର ସେନାପତି ବୋଲି ଅଭିହିତ କରିଥିଲେ । ଆମ ନେତା ଯେମିତି, ସେନାପତି ସେମିତି ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ । ପ୍ରଣବ ପ୍ରକାଶ ଦାସ ବା ବବି ବିଜେଡ଼ିର ସଂଗଠନ ସଂପାଦକ ସହ ଯାଜପୁର ବିଧାୟକ ଅଛନ୍ତି । ରାଜ୍ୟ ବିଜେଡ଼ି ସେନାପତି ବବିଙ୍କ ଉପରେ ଜିଲା ଗଡ଼ ସୁରକ୍ଷା ଦାୟିତ୍ୱ । କିନ୍ତୁ ରାଜନୈତିକ ମହଲରେ ଆଲୋଚନା ବବି ଗଡ଼ ସୁରକ୍ଷିତ ରଖିପାରିବେ ତ ? ଯାଜପୁର ବିଜେଡ଼ିରେ ସେଭଳି କୈାଣସି ବଡ଼ ଧରଣର ବିଦ୍ରୋହି ଉଭା ହୋଇନାହାନ୍ତି ସତ କିନ୍ତୁ ସବୁ ଆଡ଼େ ଖୁନ୍ଦି ହୋଇଛନ୍ତି ବିଭିଷଣ । ଦଳରେ ଥିଲେ ବି କୋଣ ଠେସା ହେଉ କି ସରକାର ଅମଳରେ ନିଦ୍ଧିଷ୍ଟ ଗୋଷ୍ଟୀ ଲାଭବାନ କାରଣରୁ ଅନେକ ଘର ପଛେ ପୋଡ଼ୁ ମୂଷା କେଞ୍ଚେ ପାଉ ନୀତିକୁ ଆପଣାଇଛନ୍ତି । ଯଦି ଦୁଇବର୍ଷ ତଳେ ଅନୁଷ୍ଠିତ ପଞ୍ଚାୟତ ଏବଂ ପୈାର ନିର୍ବାଚନକୁ ଦେଖିବା ତେବେ ବିଜେଡ଼ି ବିଜେପି ଠାରୁ ଡ଼ବଲ ଜନସମର୍ଥନ ହାସଲ କରିଥିଲା । ସେତେ ବେଳେ ଦଳର ନେତୃତ୍ୱ ନେଉଥିବା ନେତା ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ଜିଲାପରିଷଦ, ପଞ୍ଚାୟତ ଏବଂ ପୌର ଦଖଲ କରିଥିଲେ । ବିଜେପି ଲଢୁଥିଲେ ମଧ୍ୟ ତାହା ନାଁକୁ ମାତ୍ର ରହିଥିଲା । ଏଣୁ ବିଜେଡ଼ିକୁ ଜବର ସଫଳତା ମିଳିଥିଲା । କିନ୍ତୁ ନିର୍ବାଚନ ପାଖେଇ ଆସିବା ପରେ ଟିକଟକୁ ନେଇ ଦ୍ୱନ୍ଦ ଏବଂ ପ୍ରାର୍ଥୀ ଘୋଷଣା ପରେ ଦ୍ୱନ୍ଦ ଭିତରେ ବିଜେଡ଼ି ନିର୍ବାଚନକୁ ଓହ୍ଲାଇଥିଲେ ହେଁ ଅନେକ ସ୍ଥାନରେ ବିଭିଷଣଙ୍କୁ ନିଜର କରିପାରିନାହାନ୍ତି ବିଜେଡ଼ି ନେତୃତ୍ୱ । ଏହି କାରଣ ମତେ କିଛି ଜଣାଶୁଣା ମୁହାଁ ବିଜେପିକୁ ଚାଲିଯାଇଥିବା ବେଳେ ଅନେକ ଉପରେ ବିଜେଡ଼ି ଭିତରେ ବିଜେପିର ଜପମାଳା ଜପିବାରେ ଲାଗିଛନ୍ତି । ଯେଉଁ କାରଣରୁ ବଡ଼ଚଣା ହେଉ କି ବରୀ, ଧର୍ମଶାଳା ହେଉ କି କୋରେଇ, ବିଞ୍ଝାରପୁର ହେଉ କି ଯାଜପୁର ବା ସୁକିନ୍ଦାରେ ବିଜେଡ଼ି ପ୍ରାର୍ଥୀ ବିଜେପି ଠାରୁ କଡ଼ା ମୁକାବିଲାର ସମ୍ମୁଖିନ ହେବାକୁ ଯାଉଥିବା ଜଣାଡ଼ିଛି । ସେନାପତି ବବି ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଚାଲିଯିବା ପରେ ବିଜେପି ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରି ଅନେକ ବିଭିଷଣ ଉଭା କରିବାକୁ ସକ୍ଷମ ହୋଇପାରିଛି । ଯେଉଁ ମାନଙ୍କୁ ଚିହ୍ନଟ କରି କରାୟତ କରିବା ସହଜ ବ୍ୟାପାର ବୋଲି କୁହାଯାଇପାରିବନି । ବିଜେଡ଼ି ସେନାପତି ବବିଙ୍କ ପାଇଁ ଯାଜପୁର ସଂସଦୀୟ କ୍ଷେତ୍ର ସହ ବିଧାନସଭା ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ କେତେକାଂଶରେ ବିଜେପିର ଗତିରେ ରୋକ ଦେଇପାରୁଛନ୍ତି, ତାହା ତାଙ୍କ ଗୋଟି ଚାଳନା ଉପରେ ନିର୍ଭର କରିବ । ବିଜେଡ଼ି ଗଡ଼ ସୁରକ୍ଷିତ ରଖିବା ସହ କୋରେଇରୁ ପ୍ରାର୍ଥୀ ହୋଇଥିବା ମାଆ ସନ୍ଧ୍ୟାରାଣୀ ଦାସ ଏବଂ ଯାଜପୁର ପ୍ରାର୍ଥୀ ସୁଜାତା ସାହୁଙ୍କ ବିଜୟ ବବିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଉଭୟଙ୍କ ବିଜୟ ପାଇଁ ସେନାପତି କି ପ୍ରକାର ରଣନୀତି କରୁଛନ୍ତି, ତାହା ଉପରେ ରହିଛି ସଭିଁଙ୍କ ନଜର ।