ପ୍ଲାଷ୍ଟିକ୍ ଅପସାରଣ ଓ ସଚେତନତା କାର୍ଯ୍ୟକ୍ରମ

 କଟକ:   ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସେଣ୍ଟର ଫର ଏନ୍ଭରମେଣ୍ଟାଲ ଷ୍ଟଡିଜ ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟାଧରପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଅପସାରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ରାଲି ନିକଟସ୍ଥ ଅଂଚଳ ପରିକ୍ରମା କରିଥିଲା । ସଚେତନତା ସଭା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପରିବେଶବିତ ଡ. ଅର୍ଜ୍ଜୁନ ବିଶ୍ୱାଳ ମୁଖ୍ୟ ଅତିଥି, ସିଆରଆରଆଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭୟ ଦିକ୍ଷିତ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଗଙ୍ଗାଧର ସାହୁ ଯୋଗ ଦେଇ ପ୍ଲାଷ୍ଟିକର ଅପକାରିତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶିକ୍ଷୟିତ୍ରୀ ସୁପ୍ରଭା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କଳ୍ପନା ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷୟିତ୍ରୀ କବିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ହୃଷିକେଶ ମହାନ୍ତି, ଶିକ୍ଷୟିତ୍ରୀ ବାସନ୍ତୀ ବେହେରା, ସ୍ମିତା ସେଠୀ, ଭାଗିରଥୀ ଗୋଚ୍ଛାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।