ବଞ୍ଚିବାର କଳା

ହେମନ୍ତ କୁମାର ପରିଡ଼ା : ସଂସାର ଦୁଃଖପୂର୍ଣ୍ଣ । ଜୀବନ ଜଞ୍ଜାଳରେ ଭରା । ଜନ୍ମ, ଜରା, ମୃତ୍ୟୁ ସର୍ବତ୍ର ଦୁଃଖ ହିଁ ଦୁଃଖ । ମାତୃଗର୍ଭର ଯନ୍ତ୍ରଣା ଅକଥନୀୟ । ଜରା ଦୁଃଖ ଠାରୁ ଦୁଃଖ ନାହିଁ । ମୃତ୍ୟୁ ଯନ୍ତ୍ରଣା ଆହୁରି ଭୟଙ୍କର । ଅଳ୍ପେ ବହୁତେ ଏହି ଅନୁଭବ ପ୍ରାୟ ସମସ୍ତଙ୍କର ଅଛି । ଆମର ପୁରାଣ ଶାସ୍ତ୍ର ତଥା ଅନୁଭବୀ ସାଧୁସନ୍ଥମାନେ ଏହା ପ୍ରକାଶ କରିଛନ୍ତି । ଜୀବ ଆସିଛି ଦିନେ ସବୁ ଛାଡ଼ି ସ୍ୱଧାମକୁ ଫେରିଯିବ । ତଥାପି ଏହି ନିତ୍ୟ ପରିବର୍ତ୍ତନଶୀଳ ନାମରୂପାତ୍ମକ ସଂସାରର ମୋହରେ ସମସ୍ତେ ମୋହିତ । ସଂସାର ଆମକୁ ପ୍ରଲୋଭିତ କରୁଛି । ସୁଖର ଆଗାର ବୋଲି ପ୍ରତ୍ୟୟ ହେଉଛି । ବାସ୍ତବରେ ଏହା ଦୁଃଖର ଅପାର ପାରାବାର । ଆମ ସମସ୍ତଙ୍କର ସକଳ ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଦୁଃଖ ସାଗରରୁ ନିବୃତ୍ତ ହୋଇ ସୁଖ ଶାନ୍ତି ଆନନ୍ଦରେ ନିବାସ କରିବା । “ସୁଖ ବାଞ୍ôଛତ ସର୍ବହି ତତଃ ଧର୍ମ ସମୁଦ୍ଭବ ।” ଏହି ସୁଖ ଶାନ୍ତି ଆନନ୍ଦ କେଉଁଠି ବଜାରରେ କିଣାବିକା ହୁଏ ନାହିଁ । ଦୁଃଖ ହେଉ ଅଥବା ସୁଖ ଏହା ସବୁ ଆମ କର୍ମର ଅର୍ଜନ ମାତ୍ର ।


   ଦୁଃଖ, ସୁଖ ଶାନ୍ତି ଆନନ୍ଦ ହେଉଛି ଆମ ମନର ଏକ ଏକ ଅବସ୍ଥା । ଶରୀର ମାଧ୍ୟମରେ ଏହା ଅନୁଭୂତ ହୁଏ । ଜୀବନ ଧାରଣ କରିଥିବା ପ୍ରତ୍ୟେକଙ୍କ ଜୀବନ କାଳ ଏହି ଅନୁଭବର ଅନୁଭୂତିରେ ଋଦ୍ଧିମନ୍ତ । ଜୀବନର ଗତି କେବଳ ସୁଖ, ଶାନ୍ତି ଆନନ୍ଦଭରା ଗୋଲାପର ଶଯ୍ୟା ନୁହେଁ । ଭଗବାନ ମର୍ତ୍ତ୍ୟମଣ୍ଡଳରେ ଅବତୀର୍ଣ୍ଣ ହେଲେ ମଧ୍ୟ ସୁଖଦୁଃଖର ଅନୁଭବ ନେଇ ତାଙ୍କୁ ଜୀବନ ନିର୍ବାହ କରିବାକୁ ହୋଇଥାଏ । ସେ ଭଗବାନ ଶ୍ରୀରାମଚନ୍ଦ୍ର ହୁଅନ୍ତୁ ଅଥବା ଭଗବାନଙ୍କର ପୂର୍ଣ୍ଣାବତାର ଶ୍ରୀ କୃଷ୍ଣଚନ୍ଦ୍ର ହୁଅନ୍ତୁ, ଏମାନେ ମର୍ତ୍ତ୍ୟରେ ମାନବୀୟ ଶରୀର ପରିଗ୍ରହ କରି ମାନବୋଚିତ ସୁଖଦୁଃଖ ଭୋଗ କରିଛନ୍ତି । ଜନ୍ମ, ମୃତ୍ୟୁ ଚକ୍ର ଚାଲିଥିବା ଯାଏ ଦୁଃଖ ରହିବ ହିଁ ରହିବ । ରାମ ଥିଲେ ଅଯୋଧ୍ୟାର ରାଜକୁମାର । ରାତି ପାହିଲେ ରାଜା ହୋଇଥାଆନ୍ତେ । କିନ୍ତୁ ପିତୃସତ୍ୟ ରକ୍ଷା ଅର୍ଥେ ଆଦେଶ ମିଳିଲା ୧୪ ବର୍ଷ ବନବାସ । କଷାୟ ବସ୍ତ୍ର ପରିଧାନ କରି ସୁକୁମାରୀ ପତ୍ନୀ ସୀତା ଓ ପ୍ରିୟ ଭାଇ ଲକ୍ଷ୍ମଣ ସହିତ ଯତି ବେଶରେ ବନଗମନ କଲେ । ଅଯୋଧ୍ୟାର ରାଜା ହେବାକୁ ଥିବା ଜନପ୍ରିୟ ରାଜକୁମାର ଶ୍ରୀରାମ । ଯାହାଙ୍କ ଶିରରେ ରାଜଛତ୍ର ଶୋଭା ପାଇବା କଥା ସେ ଆଜି ଅଯୋଧ୍ୟାର ରାଜରାସ୍ତାରେ ତପସ୍ୱୀ ବେଶ ଧାରଣ କରି ରିକ୍ତ ପଦରେ ବନଗମନ କରୁଛନ୍ତି । ସାଧାରଣ ମଣିଷର ମନ ନେଇ ଶ୍ରୀରାମଙ୍କର ଅବସ୍ଥାକୁ ଅନୁମାନ କଲେ ଜଣେ ସେ ମାନସିକ ସଂଘାତକୁ ବୁଝିପାରିବ । ସାଧାରଣ ଜୀବନରେ ଏହା ତାଳଗଛରୁ ଖସି ପଡ଼ିବା ଭଳି ଅବସ୍ଥା । ଖାଲି ଏତିକି ନୁହେଁ, ତାଙ୍କ ଜୀବନ ଦେଇ ବହିଯାଇଥିବା ଯେତେସବୁ ଜଞ୍ଜାଳର ଝଞ୍ଜାକୁ ଦୃଢ଼ତାର ସହ ସହିନେଇ ସେ ସଂସାରକୁ ମର୍ଯ୍ୟାଦାର ଯେଉଁ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ତାହା ଅନନ୍ୟ ।

   ମାନବୀୟ ବୋଧଗମ୍ୟର ବାହାରେ ଈଶ୍ୱରୀୟ ଚେତନାର ପରମ ପରାକାଷ୍ଠା ଶ୍ରୀରାମଙ୍କ ଭିନ୍ନ ଅନ୍ୟତ୍ର ଏହା ସମ୍ଭବ ନୁହେଁ । ଜୀବନରେ ପୀଡ଼ାର ପାହାଡ଼କୁ ଧୈର୍ଯ୍ୟର ସହିତ ସହି  ସେ ମାନବ ସମାଜକୁ ବଞ୍ôଚବାର କଳା ଶିକ୍ଷା ଦେଇଯାଇଛନ୍ତି । ସେଥିପାଇଁ ସମାଜ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କହି ସମ୍ମାନ କରୁଛି । ଭଗବାନ ଶ୍ରୀକୃଷ୍ଣ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖର ପାହାଡ଼ ପରେ ପାହାଡ଼ ଅତିକ୍ରମ କରି କରି ଚାଲିଛନ୍ତି । ଯେତେ ଦୁଃଖ ତାଙ୍କ ଜୀବନରେ ଲେଖା ଯାଇଛି, ସାଧାରଣ ଜୀବନରେ ତାହା ଅସହ୍ୟ । ତଥାପି ସକଳ ପ୍ରତିକୂଳ ଅବସ୍ଥାରେ ମଧ୍ୟ ତାଙ୍କ ରଙ୍ଗ ଅଧରରୁ ହସ ଲିଭି ନାହିଁ । ଦୁଃଖ ପିଇ ସୁଖ ବାଞ୍ଚିବାର ଯେଉଁ ମାଧୁର୍ଯ୍ୟମୟ କଳା ସେ ତାଙ୍କ ଜୀବନରେ ପ୍ରଦର୍ଶନ କରିଛନ୍ତି ତା’ର ତୁଳନା ନାହିଁ । ଅଜସ୍ର ଦୁଃଖ ଭିତରେ ସେ ଅଫୁରନ୍ତ ସୁଖଶାନ୍ତି ଆନନ୍ଦର ଏକ ଅନନ୍ତ ପ୍ରବାହ । ଲୋକେ ତାଙ୍କୁ ଆନନ୍ଦ ମୂର୍ତ୍ତି କହି ଅର୍ଚ୍ଚକା କରୁଛନ୍ତି । ତାଙ୍କର ଜନ୍ମକର୍ମ ସବୁ ମଧୁର । ଏପରିକି ତାଙ୍କ ଦାନ୍ତି ମୁଗ୍ଧ ମଧୁର ବୋଲି ବର୍ଣ୍ଣିତ ହୋଇଛି । ତାଙ୍କର ଚାଲିଚଳଣ, ଆଚରଣ, ଉଚ୍ଚାରଣ, ଦୃଷ୍ଟିକୋଣ ସବୁଥିରେ ଅମୃତ ଆନନ୍ଦର ପ୍ଳାବନ ପରିଲକ୍ଷିତ ହୁଏ । ବିଶ୍ୱ ସୃଷ୍ଟିରେ ତାଙ୍କୁ ଶ୍ରେଷ୍ଠ ବ୍ୟକ୍ତି ଭାବରେ ପୁରୁଷୋତ୍ତମ ରୂପେ ବିବେଚନା କରାଯାଇଛି । ନିଜ ଇଚ୍ଛାରେ ବିସ୍ତାର କରାଇଥିବା ବିଶାଳ ଯାଦବ ବଂଶକୁ ଆପଣା ହାତରେ ଧ୍ୱଂସ କରି ଶେଷରେ ଜରା ଶବରର ଶରାଘାତରେ ସ୍ୱଧାମ ପ୍ରତ୍ୟାବର୍ତ୍ତନ କଲେ । ମନରେ ଶୋଚନା ନାହିଁ କିମ୍ବା ଅନୁଶୋଚନା ନାହିଁ । ଶେଷ ମୁହୂର୍ତ୍ତରେ ମୁଗ୍ଧ ସେ ତାଙ୍କ ପ୍ରିୟ ସଂସାରରୁ ପ୍ରଶାନ୍ତ ମୁଖମଣ୍ଡଳର ଶାନ୍ତ ମଧୁର ଶେଷ ହସରେ ବିଦାୟ ନେଲେ । ଜୀବନର ସମସ୍ତ ଜଞ୍ଜାଳକୁ ଆଞ୍ଜୁଳା ଆଞ୍ଜୁଳା କରି ପିଇ ଯାଇ ସୃଷ୍ଟିକୁ ସୁନ୍ଦର ମଧୁର ପ୍ରେମାନନ୍ଦ ଲାଭର ପ୍ରଶିକ୍ଷଣ ଦେଇ ସେ ସାରା ବିଶ୍ୱବାସୀଙ୍କୁ ବଞ୍ôଚବାର କଳା ଶିଖାଇ ଦେଇଗଲେ ।

     ତେଣୁ ତାଙ୍କର ସାମଗ୍ରିକ ଜୀବନଚର୍ଯ୍ୟାକୁ ଆକଳନ କରି ସମାଜ ତାଙ୍କୁ ଲୀଳା ପୁରୁଷୋତ୍ତମ କହି ବନ୍ଦନା କରୁଛି । ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଥିବା ଅନେକ ମହାମାନବ ଆପଣା ଆଦର୍ଶ ଜୀବନଚର୍ଯ୍ୟା ଦ୍ୱାରା ସମାଜକୁ ବଞ୍ଚିବାର କଳା ଶିକ୍ଷା ଦେଇଯାଇଛନ୍ତି । ବେଦ ଭଗବାନ ହୁଅନ୍ତୁ ଅଥବା ଉପନିଷଦ, ପୁରାଣ ଆଦି ଶାସ୍ତ୍ରମାନେ ହୁଅନ୍ତୁ, ସବୁଥିରେ ମାନବ ସମାଜ ପାଇଁ ବଞ୍ôଚବାର କଳା ଶିକ୍ଷା ଭରି ରହିଛି । ଭଗବାନ ସ୍ୱୟଂ ତାଙ୍କ ଶ୍ରୀମୁଖ ନିସୃତ ଗୀତା ଗ୍ରନ୍ଥରେ ଅତି ସ୍ପଷ୍ଟ ଭାବେ ମଣିଷକୁ ବଞ୍ôଚôାର କଳା ଶିକ୍ଷା ଦେଇଛନ୍ତି । ଗୀତାର ତେର ଅଧ୍ୟାୟର ପ୍ରକୃତିର ସ୍ୱରୂପ ବର୍ଣ୍ଣନା କରି ଅତିସୁନ୍ଦର ଭାବେ ଭଗବାନ ସେଥିରୁ ନିବୃତ୍ତ ହେବାର ଜ୍ଞାନ ପ୍ରଦାନ କରିଛନ୍ତି ।  ଅଦାମ୍ଭିକତା, ଅହିଂସା, କ୍ଷମା, ସରଳତା, ନିଷ୍ଠାର ସହିତ ଗୁରୁସେବା, ବାହ୍ୟ ଅଭ୍ୟନ୍ତର ଉଭୟ ଶୁଦ୍ଧି, ସ୍ଥିରତା, ସୌର୍ଯ୍ୟ ବା ସହିଷ୍ଣୁତା, ମନନିଗ୍ରହ, ଇନ୍ଦ୍ରିୟମାନଙ୍କ ବିଷୟରୁ ବୈରାଗ୍ୟ, ଅହଂକାରରହିତ ହେବା, ଜନ୍ମମୃତ୍ୟୁ, ଜରା ବ୍ୟାଧିରେ କବଳିତ ଶରୀର ପ୍ରତି ବାରମ୍ବାର ଦୋଷଦର୍ଶନ କରିବା, ଆସକ୍ତି ରହିତ ହେବା, ପୁତ୍ରଦାରା, ଗୃହ ଆଦିଠାରୁ ଅନାସକ୍ତ ରହିବା, ଅନୁକୂଳତା ଓ ପ୍ରତିକୂଳତା ପ୍ରାପ୍ତିରେ ଚିତ୍ତ ସମ ବା ସ୍ଥିର ରହିବା, ଈଶ୍ୱରଙ୍କ ପ୍ରତି ଅନନ୍ୟ ଯୋଗ ଦ୍ୱାରା ଅବ୍ୟଭିଚାରିଣୀ ଭକ୍ତି ରଖିବା, ଏକାନ୍ତ ବାସ, ଜନସମ୍ପର୍କରେ ପ୍ରୀତି ରହିତ ଭାବ, ଆଧ୍ୟାତ୍ମ ଜ୍ଞାନରେ ନିତ୍ୟଯୁକ୍ତ ରହିବା, ତତ୍ତ୍ୱଜ୍ଞାନର ଅର୍ଥସ୍ୱରୂପ ପରମାତ୍ମାଙ୍କୁ ସର୍ବତ୍ର ଦର୍ଶନ କରିବା ଆଦି ଏହି କୋଡ଼ିଏଟି ହେଉଛି ଜ୍ଞାନ ପ୍ରାପ୍ତିର ସାଧନ । ଏହି ଦିବ୍ୟଗୁଣଗୁଡ଼ିକୁ ଜଣେ ଜୀବନରେ ଧାରଣ କଲେ ସେ ଜୀବନରେ ବଞ୍ôଚବାର କଳା ଶିଖିଯିବ। ସେ ସ୍ଥିତଧି ହୋଇଯିବ । ତା’ର ଦିବ୍ୟ ସ୍ଥିତି ଲାଭ ହେବ। ଯାହାଦ୍ୱାରା ତାକୁ ଆଉ ଦୁଃଖ, ଶୋକ, ତାପ ପ୍ରଭାବିତ କରିପାରିବ ନାହିଁ । ସର୍ବତ୍ର ସର୍ବକାଳରେ ଆନନ୍ଦ ହିଁ ଆନନ୍ଦ ଉପଲବ୍ଧ ହେବ।

 ସନାତନ ଧର୍ମରେ ଭାରତୀୟ ସଂସ୍କୃତିର ମୂଳ ଲକ୍ଷ୍ୟ ହେଉଛି କିଭଳି ପ୍ରତ୍ୟେକ ବ୍ୟକ୍ତି ପ୍ରସାଦ ପ୍ରାପ୍ତ ହୋଇ ଆନନ୍ଦମୟ ଜୀବନଯାପନ କରିବେ । ସତ୍ୟଦ୍ରଷ୍ଟା ମୁନିଋଷି ମାନେ ତାଙ୍କ ଦିବ୍ୟଦୃଷ୍ଟି ବଳରେ ବହୁ ଅନୁସନ୍ଧାନରୁ ଅନୁଭବ କଲେ ବ୍ୟକ୍ତି ବଦଳିଲେ ସମାଜ ବଦଳିବ । ଏକ ସୁସ୍ଥ ସୁନ୍ଦର ସ୍ୱାବଲମ୍ବୀ ସମାଜ କେବଳ ଶାନ୍ତ ସୁନ୍ଦର ବିଶ୍ୱ ନିର୍ମାଣରେ ସହାୟକ ହୋଇପାରିବ । ସେମାନେ ମାନବର ଜୀବନ କାଳକୁ ହାରାହାରି ଶହେବର୍ଷ ଆକଳନ କରି ତାକୁ ଚାରିଗୋଟି ଆଶ୍ରମରେ ବିଭାଜନ କରିଛନ୍ତି । ସେସବୁ ହେଲେ ବ୍ରହ୍ମଚର୍ଯ୍ୟାଶ୍ରମ, ଗାର୍ହ୍ୟସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସ ଆଶ୍ରମ । ଏକ ପରିପୂର୍ଣ୍ଣ ଜୀବନର ପରିଭାଷା ଏହି ଆଶ୍ରମ ସବୁରେ ଲିପିବଦ୍ଧ ହୋଇଛି । ବ୍ରହ୍ମଚର୍ଯ୍ୟାଶ୍ରମ ହେଉଛି ବିଦ୍ୟାର୍ଥୀ ଜୀବନ । ଏହା ପ୍ରସ୍ତୁତି ପର୍ବ । ଗାର୍ହ୍ୟସ୍ଥ ଜୀବନ ହେଉଛି ପ୍ରୟୋଗ ପର୍ବ । ବାନପ୍ରସ୍ଥାଶ୍ରମ ହେଉଛି ପର୍ଯ୍ୟବେକ୍ଷଣ ପର୍ବ ଏବଂ ସନ୍ନ୍ୟାସାଶ୍ରମ ହେଉଛି ସତ୍ୟର ଅନୁଭବ ବା ଆତ୍ମ ଉପଲବ୍ଧି ପର୍ବ । ଧୀରେ ଧୀରେ ବୃକ୍ଷ ପରିବର୍ଦ୍ଧିତ ହୋଇ ପରିଶୋଭବାନ ହେବା ସହ ଜଗତ ହିତରେ ସମର୍ପିତ ହେଲାପରି ଆମ ଜୀବନ କଳାତ୍ମକ ହୋଇ ସଂସାରର ଶୋଭା ବର୍ଦ୍ଧନ ସହିତ ହିତ ସାଧନରେ ରତ ରହିଲେ ସରଳ ଓ ସାର୍ଥକ ହୋଇପାରିବ ।

କଟକ, ମୋ- ୮୭୬୩୧୦୭୧୨୬