ପ୍ରଭାବଶାଳୀ ପ୍ରଶାସନ ଓ ଦିଗଦର୍ଶୀ ନେତୃତ୍ୱର ସମାବେଶୀ ବ୍ୟକ୍ତିତ୍ୱ ନବୀନ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : “ରାଜନୀତି ବୃତ୍ତି ନୁହେଁ, ରାଜନୀତି ଜନସେବାର ଏକ ମାଧ୍ୟମ” । ଏହି ଉକ୍ତିର ଆଧୁନିକ ରାଜନୀତିରେ ଯଦି କୌଣସି ଜୀବନ୍ତ ଉଦାହରଣ ଥାଏ, ସେ ନାମଟି ହେଲା, ‘ନବୀନ ପଟ୍ଟନାୟକ’ । କ୍ରମାଗତ ପାଞ୍ଚଥର ପାଇଁ, ଦୀର୍ଘ ଚବିଶ ବର୍ଷ ଧରି ଶାସନ କ୍ଷମତାରେ ଆସୀନ ହୋଇ ଲୋକଙ୍କ ବିଶ୍ୱାସଭାଜନ ହେବା ସାଂପ୍ରତିକ ରାଜନୀତିରେ ବିରଳ । ଏତେ ଲମ୍ବା ସମୟ ଧରି ନିରବଚ୍ଛିନ୍ନ ଭାବେ ବାରମ୍ବାର ଲୋକଙ୍କ ସମର୍ଥନ ପାଇବା କୌଣସି ଚମକôାରଠୁ କମ୍ ନୁହେଁ, କାରଣ ୧୯୯୦ ଦଶନ୍ଧିରୁ ଭାରତୀୟ ରାଜନୀତିରେ ଗଠବନ୍ଧନ ସରକାରର ଅଭୁ୍ୟଦୟ ହୋଇଥିଲା ଯାହା ଆଜିପର୍ଯ୍ୟନ୍ତ ଚାଲୁରହିଛି ।
ଏତେ ଲମ୍ବା ସମୟ ଧରି ନିରବଚ୍ଛିନ୍ନ ଭାବେ ଲୋକଙ୍କ ବିଶ୍ୱାସଭାଜନ ହେବା ଏକ ଶୋଧର ଆବଶ୍ୟକତା ଅଛି । କିନ୍ତୁ, ରାଜନୈତିକ ଦୃଷ୍ଟିକୋଣରୁ ବିଚାରକଲେ କେବଳ ଦୁଇଟି କାରଣ ପ୍ରତୀୟମାନ ହୁଏ । ପ୍ରଥମଟି ହେଉଛି ସଂପୂର୍ଣ୍ଣ ଭାବେ ନିର୍ମଳ ଓ ସ୍ୱଚ୍ଛ ବ୍ୟକ୍ତିଗତ ଭାବମୂର୍ତ୍ତି ଏବଂ ଦ୍ୱିତୀୟଟି ହେଉଛି ପ୍ରଭାବୀ ପ୍ରଶାସନ । ନବୀନ ପଟନାୟକ କେଉଁ ପ୍ରକାର ପରିସ୍ଥିତିରେ ରାଜନୈତିକ ଚିତ୍ରପଟକୁ ଆସିଥିଲେ,ସର୍ବଜନବିଦିତ । ତେଣୁ ତାହାର ପୁନରାବୃତ୍ତି କରିବା ଅନାବଶ୍ୟକ । ୨୦୦୦ ମସିହା ପରେ ସେ ଯେତେବେଳେ ରାଜ୍ୟର ଶାସନ କ୍ଷମତାକୁ ସମ୍ଭାଳିଥିଲେ ଏବଂ କିପରି ଭାବେ ଏକ ଦରିଦ୍ର, ପଛୁଆ ଏବଂ ଅର୍ଥନୈତିକ ଭାବେ ଦେବାଳିଆ ରାଜ୍ୟକୁ ଖୁବ କମ୍ ସମୟ ଭିତରେ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ଭିତରେ ସ୍ଥାନ ଦେଇଥିଲେ, ତାହା ଯେତିକି ପ୍ରଶଂସନୀୟ, ସେତିକି ଆଶ୍ଚର୍ଯ୍ୟମୟ ମଧ୍ୟ । ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମେ ୨୦୦୦ ମସିହାରେ ଶପଥ ଗ୍ରହଣ କରିଥିଲେ ସେତେବେଳେ ଅଧା ଓଡିଶା ମହାବାତ୍ୟାର ପ୍ରକୋପରୁ ଖିନଭିନ୍ନ ହୋଇଯାଇଥିଲା । ଗୋଟିଏ ପଟେ ଉପକୂଳ ଓଡିଶାର ପୁନଃନିର୍ମାଣ ଏବଂ ଅନ୍ୟପଟେ ରାଜ୍ୟ ଚଳାଇବାକୁ ଶୂନ୍ୟ ରାଜକୋଷ । ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ପାଇଁ ସରକାରଙ୍କ ପାଖରେ ପଇସା ନ ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ନୀତିଦିନିଆ ଋଣରେ ସରକାର ଚାଲୁଥିଲା । ଏପରି ପରିସ୍ଥିତିରେ ନବୀନ ପଟ୍ଟନାୟକ ଠିକ ଭାବେ ହୃଦୟଙ୍ଗମ କରିଥିଲେ ଯେ ପ୍ରଶାସନିକ ସଂସ୍କାରବିନା ସ୍ଥିତି ସମ୍ଭାଳିବା କାଠିକର ହୋଇଯିବ । ଯେ କୌଣସି ସଂସ୍କାରକୁ ବିଭିନ୍ନ ସ୍ତରରେ ସେତେବେଳେ ବିରୋଧ କରାଯିବା ମଧ୍ୟ ସ୍ୱାଭାବିକ ଥିଲା । କିନ୍ତୁ, ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପିତା ଔଷଧର ଉପଚାରର ଆବଶ୍ୟକତା ଥିଲା ଏବଂ ତାହାହିଁ ହେଲା । ଆଉ ଏକ ବଡ ପ୍ରତିବନ୍ଧକ ଥିଲା ସର୍ବୋଚ୍ଚ ସ୍ତରରେ ଦୁର୍ନୀତି । ଶାସନ ଆରମ୍ଭରୁ ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଯୋଗୁଁ, ନିଜ ଦଳ ତଥା ସହଯୋଗୀ ଦଳର ଅନେକ ଅତ୍ୟନ୍ତ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ବିଦା କରିଥିଲେ । ଏପରି କାର୍ଯ୍ୟାନୁଷ୍ଠାନ ଏକ ମିଳିତ ସରକାରରେ ଅକଳ୍ପନୀୟ ଥିଲା । କିନ୍ତୁ, ତାଙ୍କର ଦୃଢ ଇଚ୍ଛାଶକ୍ତି ବଳରେ କେବଳ ରାଜନେତା ନୁହେଁ, ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିଲା । ୨୦୦୦ ପୂର୍ବବର୍ତ୍ତୀ ସରକାର ଅମଳରେ ରାଜ୍ୟବାସୀ ସବୁ ସ୍ତରରେ ଦୁର୍ନୀତି ପାଇଁ ତ୍ରାହି ତ୍ରାହି ଡାକୁଥିଲେ । କିନ୍ତୁ,ନବୀନବାବୁଙ୍କ କଡା ନିଦେ୍ର୍ଦଶ ଏବଂ ଦୃଢ ଶାସନ ଫଳରେ ପୁଣିଥରେ ଲୋକଙ୍କ ବିଶ୍ୱାସ ଫେରିଥିଲା ପ୍ରଶାସନ ଉପରେ ।
ଦ୍ୱିତୀୟ କାରଣଟି ହେଉଛି, ବିକାଶ । ‘ବିକାଶ’ ଏପରି ଏକ ଶବ୍ଦ ଯାହା ରାଜନୀତିରେ ସବୁ ରାଜନୈତିକ ଦଳ ଚତୁରତାର ସହିତ ନିଜକୁ ଅନୁକୂଳ କରିବା ପାଇଁ ବ୍ୟବହାର ବା ଅପବ୍ୟବହାର କରିଥାଆନ୍ତି । ଉଦାହରଣସ୍ୱରୂପ, ୨୦୦୪ ମସିହାରେ ‘ଇଣ୍ଡିଆ ସାଇନିଙ୍ଗ’ କେବଳ ଏକ ସ୍ଲୋଗାନ ଥିଲା, ବାସ୍ତବରେ ଏହା ଲୋକଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ଆଣିନଥିଲା, ଯାହାଫଳରେ ଅଟଳ ବିହାରୀ ବାଜପେୟୀଙ୍କ ପରି ନେତାଙ୍କୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଥିଲେ ।
ତେଣୁ, ମୁଖ୍ୟମନ୍ତ୍ରୀ ଭାବେ ଓଡିଶାକୁ ବିକାଶର ରାଜରାସ୍ତାରେ ଦଉଡାଇବା ଏକ କଠିନ ବ୍ୟାପାର ଥିଲା । କାରଣ,ସେ ସମୟରେ ଓଡିଶାର ଅର୍ଥନୈତିକ ସ୍ଥିତି ଥିଲା ଅତ୍ୟନ୍ତ ସଙ୍ଗିନ । ରାଜ୍ୟର ୬୩ ପ୍ରତିଶତରୁ ବି ଅଧିକ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ସବୁ କ୍ଷେତ୍ରରେ ଓଡିଶା ଥିଲା ପଛୁଆ ଏବଂ ଦେଶରେ ଏହାକୁ ‘ବିମାରୁ’ ରାଜ୍ୟ ଭାବେ ଅଭିହିତ କରାଯାଉଥିଲା । କିନ୍ତୁ,କଥାରେ କୁହାଯାଏ, ‘ମାନବର ଚରିତ୍ର ପ୍ରତିପାଦିତ ହୁଏ ପ୍ରତିକୂଳ ପରିସ୍ଥିତିରେ’ । ଏହି ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି, ଲୋକାଭିମୁଖୀ ଯୋଜନାର ପରିକଳ୍ପନା ଏବଂ କାର୍ଯ୍ୟାନୁୟାନ ଏବଂ ଦିଗଦର୍ଶନର ଆବଶ୍ୟକତା ଥିଲା । ଆରମ୍ଭ ହେଲା ବିକଶିତ ଓଡିଶା ଗଢିବା ପାଇଁ ସଂକଳ୍ପ । ଫଳସ୍ୱରୂପ ପ୍ରାୟ ଦଶ ବର୍ଷରେ ଓଡିଶା ଏକ ନିଅଣ୍ଟିଆ ରାଜ୍ୟରୁ ବଳକା ଚାଉଳ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହେଲା । କ୍ଷୁଧାକୁ ଦୂର କରିବା ପାଇଁ ବୈପ୍ଲବିକ ‘ଟଙ୍କିକିଆ ଚାଉଳ’ ଯୋଜନାର ଶୁଭାରମ୍ଭ କରଯାଇଥିଲା, ଯାହା ଫଳରେ ଓଡିଶାରୁ ଅନାହାର ଇତିହାସରେ ପରିଣତ ହୋଇଯାଇଥିଲା ।
ସବୁ କ୍ଷେତ୍ରରେ ବିକାଶର ସ୍ୱାକ୍ଷର ଲୋକେ ଦେଖିବାକୁ ପାଇଲେ । ଗାଁ କୁ ଗାଁ ରାସ୍ତା, ଗ୍ରାମାଞ୍ଚଳରେ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି, ରୋଜଗାରର ନୂଆ ମାଧ୍ୟମ, ଦ୍ରୁତ ଶିଳ୍ପାୟନ ମାଧ୍ୟମରେ ଲୋକେ ବିକାଶରେ ଭାଗୀଦାରୀ ହୋଇପାରିଲେ । ରାଜ୍ୟରେ ଗୋଟିଏ ମାତ୍ର ଇସ୍ପାତ କାରଖାନାରୁ ଆଜି ଓଡିଶାକୁ ଦେଶର ଇସ୍ପାତ ରାଜଧାନୀ କୁହାଯାଇଛି । ଏହି ୨୪ ବର୍ଷ ଭିତରେ ୪୦ରୁ ଅଧିକ ବୃହତ ଇସ୍ପାତ କାରଖାନା ସ୍ଥାପିତ ହୋଇଛି । ଠିକ ସେହିପରି ସ୍ୱାଧୀନତାର ପ୍ରଥମ ପଚାଶ ବର୍ଷ ଭିତରେ ଯେତିକି ଜମିକୁ ଜଳସେଚନ ସୁବିଧା ଥିଲା, ମାତ୍ର ୨୪ ବର୍ଷରେ ଏହା ଦୁଇଗୁଣ ହୋଇପାରିଥିଲା । ‘ଜମିକୁ ଜଳ,ଚାଷିକୁ ବଳ’ ନ୍ୟାୟରେ କୃଷକମାନେ ନିଜ ଫସଲ ସୁରକ୍ଷିତ କରିବାକୁ ଆତ୍ମବିଶ୍ୱାସ ଲାଭକଲେ । କୃଷି ଠାରୁ ଆରମ୍ଭ କରି ଶିଳ୍ପସଂସଦ ପର୍ଯ୍ୟନ୍ତ ସବୁଠି ବିକାଶର ଜୟଯାତ୍ରାର ଛାପ ଦେଖିବାକୁ ମିଳିଲା । ଯେତେବଳେ ବି ନବୀନ ପଟ୍ଟନାୟକଙ୍କ ଉପଲବ୍ଧି ବିଷୟରେ ଆଲୋଚନା ହେବ, ‘ମହିଳା ସଶକ୍ତିକରଣ’ ବିନା ଏହି ଆଲୋଚନା ସଂପୂର୍ଣ୍ଣ ହୋଇପାରିବ ନାହିଁ । ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସ୍ତରରେ ମହିଳାଙ୍କ ପାଇଁ ଯଦି ଭାରତବର୍ଷରେ କେହି ନିରବଚ୍ଛିନ୍ନ ଭାବେ କାର୍ଯ୍ୟକରିଥାଆନ୍ତି, ତେବେ ସେ ହେଲେ ନବୀନ ପଟ୍ଟନାୟକ । ତଥାକଥିତ ‘ମହିଳା ବନ୍ଦନ ଅଧିନିୟମ’ ସଂସଦରେ ପାରିତ ହେବା ବହୁ ପୂର୍ବରୁ ବିଜୁ ଜନତା ଦଳର ସଭାପତି ଭାବେ ସେ ୨୦୧୯ ମସିହାରେସାଂସଦ ପ୍ରାର୍ଥୀ ଭାବେ ଏକ ତୃତୀୟାଂଶ ମହିଳାଙ୍କୁ ଦଳର ଟିକେଟ ଦେଇଥିଲେ । ଗତ ପଞ୍ଚାୟତ ନିର୍ବାଚନପରେ ୨୧ ଗୋଟି ଜିଲ୍ଲା ପରିଷଦରେ ମହିଳାଙ୍କୁ ସଭାପତିଭାବେ ଦାୟିତ୍ୱ ତୁଲାଇବାକୁ ସୁଯୋଗ ଦେଇଥିଲେ । ମହିଳା ସଶକ୍ତିକରଣ ଦିଗରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ମଡେଲ ଭାବେ ବିବେଚିତ ହୁଏ ।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ପଟନାୟକ ଯେଉଁ ଉଚ୍ଚ ମାନଦଣ୍ଡ ନିର୍ଦ୍ଧାରଣ କରିଯାଇଛନ୍ତି, ତାହାଦ୍ୱାରା ଅନେକ ଧନ ଜୀବନ ରକ୍ଷା ପାଇଛି ବିଗତ ଦିନରେ । ସାମୁଦ୍ରିକ ବାତ୍ୟା ଉପକୂଳ ଓଡିଶାର ଦୁଃଖ ଓ ଆତଙ୍କ ଭାବେ ସବୁବେଳେ ରହିଆସିଛି ଏବଂ ଏହାର ପ୍ରଭାବରୁ ଧନଜୀବନ ହାନି ଏକ ସାଧାରଣ କଥାଥିଲା । ୧୯୯୯ର ମହାବାତ୍ୟା ଏହାର ଜ୍ୱଳନ୍ତ ଉଦାହରଣ । କିନ୍ତୁ, ଏକ ଦିଗଦର୍ଶୀ ନେତୃତ୍ୱ ଭାବେ ସେ 'ଜିରୋକାଜୁଆଲିଟି' ନୀତିର ସଂରଚନା କରିଥିଲେ, ଅର୍ଥାତ ଏହିସବୁ ବିଭୀଷିକା ହେଲେ ଜଣେ ହେଲେ ବି ମୃତୁ୍ୟମୁଖରେ ପଡିବେ ନାହିଁ । ଏହାର ଫଳ ସ୍ୱରୂପ ମହାବାତ୍ୟା ପରେ ବାତ୍ୟା ଓ ବନ୍ୟାଜନିତ ମୃତୁ୍ୟକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ରୋକା ଯାଇପାରିଛି । ଏହି ଅଭୂତପୂର୍ବ ବାତ୍ୟା ପରିଚାଳନା ଦକ୍ଷତା ଯୋଗୁଁ ସେ ଯେ କେବଳ ବିଶ୍ୱରେ ପ୍ରଶଂସିତ ହୋଇନାହାନ୍ତି, ତାହା ନୁହେଁ, ଜାତିସଂଘ ମଧ୍ୟ ବିପର୍ଯ୍ୟୟ ପରିଚାଳନାରେ 'ଓଡିଶାମଡେଲ' କୁ ଅନ୍ୟ ଦେଶ ଅନୁକରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ବିକାଶ ସହିତ ଖେଳକୁଦ, ଓଡିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କ ଶାସନ କାଳରେ ଅଭୂତପୂର୍ବ କାର୍ଯ୍ୟ ହୋଇଥିଲା । ବିଶେଷ ଭାବେ ଜଗନ୍ନାଥ ସଂସ୍କୃତିକୁ ଦେଶ ବିଦେଶରେ ପରିଚିତ କରିବା ପାଇଁ ତାଙ୍କର ଅବଦାନ ରାଜ୍ୟବାସୀ ନିଶ୍ଚିତ ଭାବେ ମନେ ରଖିବେ ।
ନବୀନ ପଟ୍ଟନାୟକଙ୍କ ଆଉ ଏକ ବିଶେଷତ୍ୱ ଥିଲା ସମାବେଶୀ ଏବଂ ସର୍ବସମ୍ମତ୍ତି ରାଜନୈତିକ ଶୈଳୀ । ଏହି ୨୪ ବର୍ଷରେ ସେ ଉଭୟ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପରିଚାଳିତ କେନ୍ଦ୍ର ସରକାରଙ୍କ ସହିତ କାର୍ଯ୍ୟ କରିଛନ୍ତି । କିନ୍ତୁ, ଏମିତି କୌଣସି ଗୋଟିଏ ବି ଉଦାହରଣ ନାହିଁ, ଯେଉଁଠି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ହୋଇଥିଲା । ପ୍ରଚଣ୍ଡ ଜନସମର୍ଥନ ଏବଂ ଅଭୂତପୂର୍ବ ବିଧାୟକଙ୍କ ଶକ୍ତି ଥିଲେ ମଧ୍ୟ ସେ ସବୁବେଳେ ରାଜ୍ୟର ସ୍ୱାର୍ଥପାଇଁ କେନ୍ଦ୍ର ସହ କାର୍ଯ୍ୟ କରୁଥିଲେ, ଏବଂ ଆବଶ୍ୟକ ହେଲେ ଓଡିଶାର ନ୍ୟାର୍ଯ୍ୟ ଦାବିକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବା ପାଇଁ କୁଣ୍ଠାବୋଧ କରୁନଥିଲେ । ତେଣୁ ନିଃସନେ୍ଦହରେ କୁହାଯାଇ ପାରିବ ଯେ ନବୀନ ପଟନାୟକଙ୍କ ପାଇଁ ରାଜନୀତି ଥିଲା ଜନ ସେବାର ଏକ ମାଧ୍ୟମ ମାତ୍ର,ବୃତ୍ତି ନୁହେଁ । ଏପରି ଜଣେ ଆଦର୍ଶ ଜନନାୟକଙ୍କ ୭୮ତମ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।
ବିଧାୟକ, ଆଠଗଡ