ବଢିଲା ବ୍ରହ୍ମପୁର ଏସପିଙ୍କ ଅଡୁଆ : ୧୧ ରେ ହାଜର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ବ୍ରହ୍ମପୁର ଏସପି ଡ ସର୍ବଣା ବିବେକ ଏମ । ହାଇକୋର୍ଟ ପୂର୍ବରୁ ଏସପିଙ୍କୁ ରିର୍ପୋଟ ତଲବ କରିଥିବାବେଳେ ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିଦିନ ଏସପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ତାହାର ନିଷ୍ପତ୍ତି ହେବ । ତେବେ ଏହା ପୂର୍ବରୁ ଏସପି ନିଜର ଉତ୍ତର ଆସନ୍ତା ୧୦ ତାରିଖରେ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ପର୍ଦ୍ଦାଫାଶକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ନିର୍ବାଚନ ମାମଲା କଥା ଉଠାଇଥିଲେ । ହାଇକୋର୍ଟରେ ବିଚାରାଧୀନ ଥିବା ଏକ ନିର୍ବାଚନୀ ମାମଲା ପ୍ରସଙ୍ଗରେ ଏସପି ମନ୍ତବ୍ୟ ଦେଇଥିଲେ । ଏସପି ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ଥିବାନେଇ ଟିପ୍ପଣୀ ଦେଇଥିଲେ । ଏସପି କହିଥିଲେ ଏହି କମନ ଲିଙ୍କ ଥିଲା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟାର ହୋଇଥିବା ନିର୍ବାଚନୀ ମାମଲା । ଶିବଶଙ୍କର ମାମଲା କରିଥିଲେ ଓ ବିକ୍ରମ ଖର୍ଚ୍ଚ ବହନ କରୁଥିଲେ । ଏସପିଙ୍କ ଏହି ଟିପ୍ପଣୀ ତାଙ୍କପାଇଁ ଅଡ଼ୁଆ ସୃଷ୍ଟି କରିଥିଲା । ଏହାକୁ ନେଇ ଗତ ୩୧ ତାରିଖରେ ହାଇକୋର୍ଟ ଖପ୍ପା ହେବା ସହିତ ଏସପିଙ୍କୁ ରିର୍ପୋଟ ତଲବ କରିଥିଲେ ।