କୂଳ ଖାଉଛି ଚିତ୍ରୋତ୍ପଳା ନଦୀ  : ଆତଙ୍କିତ ନଦୀକୂଳବାସୀ

ସାଲେପୁର : ସାଲେପୁର ନିକଟ ଦେଇ ପ୍ରବାହିତ ହେଉଥିବା ଚିତ୍ରୋତ୍ପଳା ନଦୀ ଏବେ ତାର କୂଳବର୍ତ୍ତୀ ଅଞ୍ଚଳ ଗୁଡିକର କ୍ଷତି କରିବାକୁ ଆରମ୍ଭ କଲାଣି । ଆତୋଡ଼ା ବାରବୋଡ଼ିଆ ଠାରେ ବହୁ ଚାଷ ଜମି ନଦୀରେ ଲୀନ ହୋଇଥିବାବେଳେ ସେଠାରେ ଥିବା ବଡ଼ ପଠା ମଧ୍ୟ ଖାଇଗଲାଣି । ଯାହା ଫଳରେ ନଦୀ କୂଳବର୍ତ୍ତୀ ବନ୍ଧ ମଧ୍ୟ ବିପଦଜନକ ଅବସ୍ଥାରେ ପହଞ୍ôଚଛି । ଏହି କୂଳବର୍ତ୍ତୀ ଅଞ୍ଚଳ ଦେଇ ଚିତ୍ରୋତ୍ପଳା ନଦୀ ଦ୍ରୁତ ଗତିରେ ବର୍ଷାଦିନେ ପ୍ରବାହିତ ହେଉଥିବାରୁ ନଦୀ କୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ପାଲଟିଛି । ସାଲେପୁର ବ୍ଲକ୍‌ ସ୍ଥିତ ବଟେଶ୍ୱର ଏବଂ ବ୍ରହ୍ମାବଣ ପାଖରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ବହୁ ଜାଗାରେ ନଦୀବନ୍ଧ ପାଣି ମାଡ଼ ଯୋଗୁ କ୍ଷତିଗ୍ରସ୍ତ ହୋଇଛି । ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହଯୋଗରେ ପ୍ରସିଦ୍ଧ ବୌଦ୍ଧ ପୀଠ ରୂପେ ଖ୍ୟାତିଲାଭ କରିଥିବା ବ୍ରହ୍ମାବଣର କୂଳ ଗୁଡିକ ବିପଦଜନକ ଅବସ୍ଥାରେ ରହିଛି । ଏହାକୁ ନେଇ କୋଲଣପୁର ଏବଂ ସାଲେପୁର ଅଞ୍ଚଳ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ବ୍ରହ୍ମାବଣରେ ଅବସ୍ଥାନ କରୁଥିବା ପ୍ରାଧ୍ୟାପକ ବିପିନ ବିହାରୀ ଦାସ କହିଛନ୍ତି ଯେ, ଏଠାରେ ନଦୀରେ ଆଡିବନ୍ଧ ନିର୍ମାଣ କରାନଗଲେ ଏହି ବୌଦ୍ଧପୀଠ ପ୍ରତି ବିପଦ ରହିଛି । ସେହିପରି ଏହି ଅଞ୍ଚଳର ବହୁ ପଠା ଓ ଜମି ଗୁଡିକ ନଦୀଗର୍ଭରେ ଲୀନ ହୋଇଯାଉଥିବାବେଳେ ରାଜ୍ୟ ସରକାର ତୁରନ୍ତ ଏହି ପୀଠର ସୁରକ୍ଷା ଓ ନଦୀକୂଳବର୍ତ୍ତୀ ଗ୍ରାମମାନଙ୍କର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଏଠାରେ ଆଡିବନ୍ଧ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଦାବି କରିଛନ୍ତି ।