ବଢୁଛି ହାତୀ ଉପଦ୍ରବ : ଭାଙ୍ଗିଲେଣି ୪୮ରୁ ଊଦ୍ଧ୍ୱର୍ ଘର
ଚମ୍ପୁଆ : ଚମ୍ପୁଆ ବନାଞ୍ଚଳ ଅଧିନସ୍ତ ଚମ୍ପୁଆ ସେକ୍କନରେ ନିୟମିତ ଭାବେ ହାତୀ ପଲଙ୍କ ଉପଦ୍ରବ ବଢିବାରେ ଲାଗିଛି । ଗୋଟିଏ ଗୋଠରେ ପ୍ରାୟ ୨୭ ଗୋଟି ହାତୀ ଥିବା ବେଳେ ଅନ୍ୟ ଗୋଟେ ଗୋଠରେ ୧୮ ଗୋଟି ହାତୀ ରହିଛନ୍ତି । ମାତ୍ର ବିଡମ୍ବନାର ବିଷୟ ଏହି ହାତୀ ପୋଲରୁ ଗୋଟିଏ ହାତୀ ଗୋଠ ଖଣ୍ଡିଆ ହୋଇ ଗ୍ରାମ ଗୁଡିକରେ ଘୋର ଆତଙ୍କ ଖେଳାଇ ଚାଲିଛନ୍ତି । ବିଶେଷ ଭାବରେ ଏହି ୨୭ ଗୋଠିଆ ହାତୀ ପଲ ଚମ୍ପୁଆ ବନାଞ୍ଚଳର ଆଦିବାସୀ ଗ୍ରାମ ଗୁଡିକରେ ଏହି ହାତୀ ପଲ ଘରପରେ ଘର ଭାଙ୍ଗି ଚାଲିଛି । ଦିନସାରା ଏହି ହାତୀ ପଲ ଜଙ୍ଗଲ ଭିତରେ ଅବସ୍ଥାନ କରିବା ସହିତ ଜଙ୍ଗଲ ମଧ୍ୟରେ ଥିବା ପୋଖରୀରେ ଜଳ କ୍ରୀଡା କରୁଛନ୍ତି । ଏହି ହାତୀ ପଲଙ୍କ ଉପଦ୍ରବରୁ ହେକ୍ଟର ହେକ୍ଟର ଚାଷ ଜମିର ଚାଷ ହାତୀ ପାଦ ତଳେ ନଷ୍ଟ ହୋଇଚାଲିଛି । ଚମ୍ପୁଆ ବନାଂଚଳ ତଥା ଚମ୍ପୁଆ ସେକ୍ସନର ଫରେଷ୍ଟର ଜ୍ୟେତିରୁପା ପାଣିଙ୍କ କହିବା ଅନୁଯାୟୀ ଶାତହଳିଆ ଜଙ୍ଗଲରେ ରହିଥିବା ୧୮ ଗୋଟିଆ ହାତୀ ପଲ କେବଳ ଧାନ ଚାଷ ନଷ୍ଟ କରୁଥିବା ବେଳେ ୨୭ ଗୋଠିଆ ହାତୀ ପଲ ଘର ଭାଙ୍ଗି ଚାଲିଛନ୍ତି । ଚମ୍ପୁଆ ବନାଞ୍ଚଳର ବରାବାଡିଆ ଅଞ୍ଚଳରେ ୧୭ ଗୋଟି ଘର ଭାଙ୍ଗିଥିବା ବେଳେ ପତଳା ଗ୍ରାମରେ ୬ ଗୋଟି, ରଜିଆ ଗ୍ରାମରେ ୫ ଗୋଟି, କୃଷ୍ଣପୁର ଗ୍ରାମରେ ୨ ଗୋଟି, ଶଶାଙ୍ଗ ଗ୍ରାମରେ ୨ ଗୋଟି, ସରେଇ ଗ୍ରାମରେ ୧ ଟିଏ ଓ ଟୁଣୁଟୁଣା ଗ୍ରାମରେ ଚଳିତ ମାସରେ ୧୫ ଗୋଟି ଘର ଭାଙ୍ଗିଥିବା କହିଛନ୍ତି । ବିଶେଷ ଭାବରେ ଚାଷୀ ମାନେ ଲଗାଇଥିବା ଧାନ ତଳି ଓ ଖାରାଟିଆ ଧାନ ଏଥିରେ ପ୍ରଭାବିତ ହୋଇଛି । ହାତୀ ରହୁଥିବା ଗ୍ରାମାଞ୍ଚଳ ଗୁଡିକରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସୂଚନା ଦିଆଯିବା ସହିତ ବନ କର୍ମଚାରୀ ମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ହାତୀ ଘଉଡାଉଛନ୍ତି । ସୂଚନା ଯୋଗ୍ୟକି ପୂର୍ବ ବର୍ଷ ଅପେକ୍ଷା ଚଳିତ ମାସରେ ଚମ୍ପୁଆ ସେକ୍ସନରେ ଘର ପରେ ଘର ଉଜୁଡି ଯାଉଛି । ଭାଙ୍ଗି ଯାଇଥିବା ଘର ଗୁଡିକୁ ବନ ବିଭାଗ ପକ୍ଷରୁ ପଲିଥିନ ଯୋଗାଉଥିଲେ ମଧ୍ୟ ଲଗାଣ ବର୍ଷା ଫଳରେ ହାତୀ ଦ୍ୱାରା ଭାଙ୍ଗି ଯାଇଥିବା ଘର ପରିବାର ଗୁଡିକ ନାହିଁ ନଥିବା ହିନସ୍ତା ହେଉଛନ୍ତି । ଏହାକୁ ନେଇ ଆଦିବାସୀ ଗ୍ରାମ ଗୁଡିକରେ ଅଷନ୍ତୋଷ ତିବ୍ରତର ହେବାକୁ ଲାଗିଥିବା ବେଳେ ରାତି ହେଲେ ହାତୀ ପାଇଁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏହି ହାତୀ ପଲ କିପରି ଘର ନଭାଙ୍ଗି ପାରିବେ ତଥା ଲୋକଙ୍କ ଧନଜୀବନର କ୍ଷୟ କ୍ଷତି କିପରି ରୋକା ଯାଇପାରିବ ସେ ନେଇ ବନଖଣ୍ଡ ଅଧିକାରୀ ଓ ଜଙ୍ଗଲ ବିଭାଗର ଉଚ୍ଚତର ଅଧିକାରୀ ମାନେ ପଦକ୍ଷେପ ନିଅନ୍ତୁ ବୋଲି ଆଦିବାସୀ ହୋ ସମାଜ ମହାସଭା ଜିଲ୍ଲା ସଭାପତି ଗୌରଚନ୍ଦ୍ର ମୁଣ୍ଡା ଦାବି କରିଛନ୍ତି ।