ବନ୍ଦେ ମାତରମ ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବ : ମୁଖ୍ୟମନ୍ତ୍ରୀ

ବନ୍ଦେ ମାତରମ ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବନ୍ଦେ ମାତରମ୍‌ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ । ବଙ୍କିମ୍‌ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକ ସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍‌' ର ୧୫୦ ତମ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ କହିଥିଲେ । ଲୋକସେବା ଭବନ ସ୍ଥିତ ପ୍ରାଙ୍ଗଣରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ର ସାମୂହିକ ଗାନରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିଶ ଶାସକମାନେ ବନ୍ଦେ ମାତରମ୍‌କୁ ବ୍ୟାନ କରିଥିଲେ, ଯାହା ଏହି ଗୀତର ଶକ୍ତିର ସ୍ପଷ୍ଟ ପ୍ରମାଣ । ଆମେ କେଉଁ ଭାଷା, କେଉଁ ଧର୍ମ ବା କେଉଁ ଅଞ୍ଚଳର ହେଲେ ବି, ଦେଶପ୍ରେମ ବିନା ଦେଶର ଉନ୍ନତି ଅସମ୍ଭବ । ବନ୍ଦେ ମାତରମ୍‌ ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ । ଯୁବପିଢି, ପିଲାମାନେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପୀ ପାଳନ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଅଭିମତ ଦେଇଥିଲେ ।

     ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଜ୍ଞା ଦେବାରେ ସଫଳ ହେବ । ଆଗାମୀ ଏକବର୍ଷ ଧରି ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ମାଧ୍ୟମରେ ସାମୂହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ଚାଲିବାକୁ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ଉନ୍ନୟନ କମିଶନର  ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସହ ସମସ୍ତ ବିଭାଗୀୟ ସଚିବ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ ଗାନ କରିଥିଲେ ।