‘ବନ୍ଦେ ମାତରମ’ ଭାରତ ମାତାଙ୍କ ପ୍ରତି ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ : ମୋଦି

‘ବନ୍ଦେ ମାତରମ’ ଭାରତ ମାତାଙ୍କ ପ୍ରତି ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ : ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ବନ୍ଦେ ମାତରମ୍‌ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ । ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍‌’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ । ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ ।

     ‘ବନ୍ଦେ ମାତରମ୍‌’ର ସାମୂହିକ ଗାନକୁ ଅଭିବ୍ୟକ୍ତିର ସୀମା ବାହାରେ ଏକ ପ୍ରକୃତ ଅନନ୍ୟ ଅଭିଜ୍ଞତା ଭାବରେ ବର୍ଣ୍ଣନା କରି ସେ କହିଛନ୍ତି । ଯେ, ଅନେକ ସ୍ୱର ମଧ୍ୟରେ ଏକ ଅନନ୍ୟ ତାଳର ଉଦ୍ଭବ ହୋଇଥିଲା, ଏକ ଏକୀକୃତ ସ୍ୱର, ଏକ ସହଭାଗୀ ରୋମାଞ୍ଚ ଏବଂ ଏକ ଅବିଚ୍ଛିନ୍ନ ପ୍ରବାହ ଦେଖାଦେଇଥିଲା । ନଭେମ୍ବର ୭ ତାରିଖ ଏକ ଐତିହାସିକ ଦିନ, କାରଣ ଦେଶ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପାଳନ କରୁଛି । ଏହି ପବିତ୍ର ଅବସର ଆମର ନାଗରିକମାନଙ୍କୁ ନୂତନ ପ୍ରେରଣା ଏବଂ ଶକ୍ତି ପ୍ରଦାନ କରିବ। ଇତିହାସର ପୃଷ୍ଠାରେ ଏହି ଦିନକୁ ସ୍ମରଣ କରିବା ପାଇଁ, ‘ବନ୍ଦେ ମାତରମ୍‌’ ପାଇଁ ଏକ ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍‌ ଜାରି କରାଯାଇଛି । ଭାରତ ମାତାଙ୍କୁ ନିଜର ଜୀବନ ଉତ୍ସର୍ଗ କରିଥିବା ଭାରତର ସମସ୍ତ ବୀର ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦି ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ବନ୍ଦେ ମାତରମର ୧୫୦ ବର୍ଷ ପୂରଣ ପାଇଁ ପ୍ରତ୍ୟେକ ନାଗରିକଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ ।

     ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ କଥାକୁ ମନେ ପକାଇ ମୋଦି ଆନନ୍ଦମଠରେ ‘ବନ୍ଦେ ମାତରମ୍‌’ର ଗଭୀର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ବଙ୍କିମ ବାବୁଙ୍କ ରଚନାର ପ୍ରତ୍ୟେକ ଧାଡ଼ି, ପ୍ରତ୍ୟେକ ଶବ୍ଦ ଏବଂ ପ୍ରତ୍ୟେକ ଭାବନା ଗଭୀର ଅର୍ଥ ରଖେ । ସେ କହିଥିଲେ ଯେ ଯଦିଓ ଗୀତଟି ଉପନିବେଶବାଦୀ କାଳରେ ରଚିତ ହୋଇଥିଲା, କିନ୍ତୁ ଏହାର ଶବ୍ଦଗୁଡ଼ିକ କେବେବି ଶତାବ୍ଦୀର ଦାସତ୍ୱର ଛାୟା ମଧ୍ୟରେ ସୀମିତ ନଥିଲା । ଏହା ପରାଧୀନତାର ସ୍ମୃତିରୁ ମୁକ୍ତ ଥିଲା ଏବଂ ସେଥିପାଇଁ ‘ବନ୍ଦେ ମାତରମ୍‌’ ପ୍ରତ୍ୟେକ ସମୟ ଏବଂ ପ୍ରତ୍ୟେକ ଯୁଗରେ ପ୍ରାସଙ୍ଗିକ ରହିଛି । ସେ ଗୀତର ପ୍ରଥମ ଧାଡି  "ସୁଜଲାମ୍‌ ସୁଫଲାମ୍‌ ମଲୟଜ ଶୀତଲାମ୍‌ ଶସ୍ୟଶ୍ୟାମଲାମ୍‌ ମାତରମ୍‌’  ଉଦ୍ଧୃତ କରିଥିଲେ ଏବଂ କହିଥିଲେ ଯେ ଏହା ହେଉଛି ପ୍ରକୃତିର ଦିବ୍ୟ ଆଶୀର୍ବାଦରେ ସଜ୍ଜିତ ଆମ ମାତୃଭୂମି ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ଏହା ହିଁ ହଜାର ହଜାର ବର୍ଷ ଧରି ଭାରତର ପରିଚୟ ବୋଲି ଉଲ୍ଲେଖ କରି ମୋଦି କହିଛନ୍ତି ଯେ, ଏହାର ନଦୀ, ପର୍ବତ, ଜଙ୍ଗଲ, ଗଛଗୁଡ଼ିକ ଏବଂ ଉର୍ବର ମାଟି ସବୁବେଳେ ପ୍ରାଚୁର୍ଯ୍ୟ ଉତ୍ପାଦନ କରିବାର ଶକ୍ତି ରଖିଛି । ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱ ଭାରତର ସମୃଦ୍ଧିର କାହାଣୀ ଶୁଣି ଆସିଛି । ଉପନିବେଶବାଦୀ ସମୟରେ ବ୍ରିଟିଶମାନେ ଭାରତକୁ ହୀନ ଏବଂ ପଛୁଆ ଭାବରେ ଚିତ୍ରଣ କରି ସେମାନଙ୍କର ଶାସନକୁ ଯଥାର୍ଥ କରିବାକୁ ଚେଷ୍ଟା କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ‘ବନ୍ଦେ ମାତରମ୍‌’ର ପ୍ରଥମ ଧାଡି ଏହି ମିଥ୍ୟା ପ୍ରଚାରକୁ ଶକ୍ତିଶାଳୀ ଭାବରେ ଦୂର କରିଥାଏ । ତେଣୁ, ‘ବନ୍ଦେ ମାତରମ୍‌’ କେବଳ ସ୍ୱାଧୀନତାର ଗୀତ ନଥିଲା - ଏହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏକ ସ୍ୱାଧୀନ ଭାରତର ଚିତ୍ର, ଏକ ସୁଜଳା ସୁଫଳା ଭାରତର ସ୍ୱପ୍ନ ମଧ୍ୟ ପ୍ରଦାନ କରିଥିଲା । ବନ୍ଦେ ମାତରମ୍‌ ସ୍ୱାଧୀନତାର ଶହୀଦମାନଙ୍କ ଗୀତ ହେବା ସହିତ ସେହି ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ମଧ୍ୟ ଆମକୁ ପ୍ରେରଣା ଦିଏ ।