କଟିଲା ସୁନନ୍ଦାଙ୍କ ଟିକେଟ; ବିଶ୍ୱଙ୍କୁ ଭରସା କଲା ବିଜେଡ଼ି
ଯାଜପୁର: ବରୀରୁ ବିଧାୟୀକା ସୁନନ୍ଦା ଦାସ ନାଁ ବିଶ୍ୱରଂଜନ ମଲିକ ନାଁ ଆଉ କିଏ ତାହାକୁ ନେଇ ସସପେନ୍ସ ଲାଗିରହିଥିଲା । ହେଲେ ବିଜୁ ଜନତା ଦଳ ପକ୍ଷରୁ ଆଜି ବରୀରୁ ବିଶ୍ୱରଂଜନ ମଲିକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ପାଞ୍ଚବର୍ଷ ତଳେ ବିଜେପିରୁ ଆସି ବିଜେଡ଼ି ଟିକେଟ ନେଇ ବିଧାୟୀକା ହୋଇଥିବା ସୁନନ୍ଦା ଦାସଙ୍କ ଟିକେଟ କଟିଛି । ଟିକେଟ କଟିବା ପରେ ବିଧାୟୀକା ସୁନନ୍ଦା ପ୍ରବଳ କୋହ ପ୍ରକାଶ କରିଛନ୍ତି । ନିର୍ବାଚନ ମଣ୍ଡଳୀର୪୭ ପଞ୍ଚାୟତରେ ସଂଗଠନକୁ ସୁଦୃଢ କରିଛନ୍ତି । ୩୨ ପଞ୍ଚାୟତ ପ୍ରତିନିଧି ମୋ ସାଙ୍ଗରେ ରହିଥିବା ବେଳେ ମୋ’ ଟିକେଟ କାଟିବା ପଛରେ ଚକ୍ରାନ୍ତକାରୀଙ୍କ ଚକ୍ରାନ୍ତ ରହିଛି ।
ବରୀ ହେଉଛି ଏକ ଶାନ୍ତିପ୍ରିୟ ଅଞ୍ଚଳ । ହେଲେ ଏକ ଶାନ୍ତପ୍ରିୟ ଅଞ୍ଚଳରେ ଜଣେ ଗୁଣ୍ଡାଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି । ଯିଏ ମା’ ଭଉଣୀଙ୍କୁ ସମ୍ମାନ ଦେଇଜାଣିନି,ଗାଳି କରେ, ଯିଏ କଥା କଥାକେ ଲୋକଙ୍କୁ ମାଡ଼ ମାରେ, ଯିଏ ବ୍ଲକରେ ଗାଡ଼ିଭାଙ୍ଗି ନଈକୁ ପକାଇ ଦେଇଥିଲା ସେଭଳି ଲୋକଙ୍କୁ ପ୍ରାର୍ଥୀ କରି ବରୀକୁ ଅଶାନ୍ତ କରିବାକୁ ଛାଡ଼ିଦିଆଗଲା ବୋଲି କହିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସୁନନ୍ଦା କହିଥିଲେ ଯେ ମୋ’ ନାମରେ ଭଲ ରିପୋର୍ଟ ଯାଇଥିଲା । ହେଲେ ମୋ ଟିକେଟ କାଟିବାକୁ ଚକ୍ରାନ୍ତ କରାଯାଇଛି । ଚକ୍ରାନ୍ତକାରୀ ଏକାଧିକ ରହିଛନ୍ତି । ଯେଉଁ ମାନେ ମୋ ସହ ଚକ୍ରାନ୍ତ କରିଛନ୍ତି, ସେମାନଙ୍କ କଥା ଜଗନ୍ନାଥ ବୁଝିବେ ବୋଲି କୋହଭରା କଣ୍ଠରେ କହିଥିଲେ । ଅନ୍ୟପଟେ ପ୍ରାର୍ଥୀ ଘୋଷଣା ପରେ ବିଶ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେପାଣ୍ଡିଆନ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୂଖଙ୍କୁ କୃତଜ୍ଞତା ଜଣାଇବା ସହ ବରୀ ବିକାଶ ପାଇଁ ବିଧାୟୀକାଙ୍କୁ ସାଙ୍ଗରେ ନେବେ ବୋଲି କହିଥିଲେ । ୨୦୦୨ରୁ ରାଜନୀତିରେ ପ୍ରବେଶ କରି ସରପଞ୍ଚ, ଜିଲାପରିଷଦ ଏବଂ ବିଧାୟୀକା ହୋଇଥିବା ସୁନନ୍ଦା ରାଜନୀତିରେ ରହିବେ ବୋଲି କହିଥିଲେ ହେଁ ଦଳବଦଳ କରିବେ କି ନାହିଁ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ କରିନଥିଲେ । ଯଦି ଦେଖିବା ତେବେ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳରୁ ଲଢି ୭୨ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ସୁନନ୍ଦା ବିଶ୍ୱଙ୍କ ରାଜନୈତିକ ପରିଚାଳକ ଭାବେ ଆଗରେ ରହି କାର୍ଯ୍ୟ କରୁଥିବା ବେଳେ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ଯାହା ଏକ ଅକସ୍ମାତ ଥିଲା । ବିଜେପିର ନେତୃତ୍ୱ ନେଉଥିବା ବିଶ୍ୱ ସୁନନ୍ଦାଙ୍କୁ ଆଗକୁ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ବେଳେ ସୁନନ୍ଦା ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ବରୀ ବ୍ଲକର ଅଧ୍ୟକ୍ଷା ଥିବା ସୁନନ୍ଦା ଦଳ ପରିବର୍ତ୍ତନ କରି ଟିକେଟ ହାତେଇବା ପରେ ବିଶ୍ୱଙ୍କୁ ୪ହଜାରରୁ ଅଧିକ ଭୋଟରେ ହରାଇଥିଲେ । ଏଠାରେ ପ୍ରକାଶ ଥାଉକି ୨୦୦୭ ମସିହାରେ ୨୪ ନମ୍ବର ଜୋନରୁ ବିଜେଡି ଟିକେଟ ଆଶାୟୀ ଥାଇ ଅସଫଳ ହେବାରୁ ସୁନନ୍ଦା ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ବିଶ୍ୱଙ୍କୁ ଯୋରଦାର ଝଟକା ଦେଇଥିବା ସୁନନ୍ଦାଙ୍କ ପର କାଟିବା ପାଇଁ ବିଶ୍ୱ ୨୯ା୧୦ା୨୧ରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦାନ କରିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ବିଶ୍ୱ ନିଜର ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗ ଦେଇଥିବା ବେଳେ ବରୀର ବିଧାୟିକା ସୁନନ୍ଦା ଦାସ ତାଙ୍କୁ ଫୁଲ ତୋଡ଼ାଦେଇ ଦଳକୁ ସ୍ୱାଗତ କରିଥିଲେ । କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ବିଶ୍ୱ ୨୦୧୪ରେ ହାତରୁ ଟିକେଟ ନପାଇ ସ୍ୱାଧିନ ଭାବେ ଲଢି ବିଜେଡ଼ିର ଦେବାଶିଷ ନାୟକଙ୍କ ଠାରୁ ମାତ୍ର ୭ହଜାର ଭୋଟରେ ହାରିଯାଇଥିଲେ । ହେଲେ ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇ ୨୦୧୯ରେ ନିର୍ବାଚନ ଲଢି ହାରିଯାଇଥିଲେ ।